ମାଟିର ମାହାତ୍ମ୍ୟ

ପାଣ୍ଡବମାନେ କୁନ୍ତୀଙ୍କ ସହ ବୁଲୁବୁଲୁ ପହଞ୍ଚିଲେ ଗୋଟିଏ ଜଙ୍ଗଲରେ। ସେମାନେ ସେଠାରେ ବିଶ୍ରାମ ନେଲେ। ପରଦିନ ସକାଳେ ମା’ ପୁଅମାନଙ୍କୁ ପାଖକୁ ଡାକି କହିଲେ,‘ପୁଅ, ମୁଁ ଭାବୁଚି ଆଉ ଥରେ ବିବାହ କରିବି… ମୋ ପାଇଁ ଉପଯୁକ୍ତ ପାତ୍ରଟିଏ ଦେଖ।’ ମା’ଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ, ”ହଁ, ମା’ ସେ ବିଷୟରେ କଥା ହେବା, ତେବେ ବର୍ତ୍ତମାନ ଏ ସ୍ଥାନ ଛାଡ଼ିବାର ମୁହୂର୍ତ୍ତ ଆସି ଯାଇଚି… ଚାଲ ଯିବା“ । ସମସ୍ତେ ସ୍ଥାନ ତ୍ୟାଗ କରି ଆଗକୁ ବଢ଼ିଲେ। ଯୁଧିଷ୍ଠିର ଭୀମଙ୍କୁ କହିଲେ, ଲୁଚାଇ କରି ସେ ସ୍ଥାନର କିଛି ମାଟି ସାଥିରେ ଘେନି ଯିବା ପାଇଁ। ଅନେକ ଦୂର ଗଲା ପରେ ସେମାନେ ବିଶ୍ରାମ ନେଲେ। ବିଶ୍ରାମ ପରେ, ଯୁଧିଷ୍ଠିର ପଚାରିଲେ, ‘ମା, କାଲି ତୁମେ ତୁମ ପୁନଃ ବିବାହ ବିଷୟରେ କହୁଥିଲ…’ ଏକଥା ଶୁଣି କୁନ୍ତୀ କହିଲେ, ‘କି ଅସମ୍ଭବ କଥା କହୁଛୁ , ଏପରି କଥା ତୁଣ୍ଡରେ ଧରିବା, କାନରେ ଶୁଣିବା ବି ଘୋର ପାପ!’ ପରଦିନ ଯୁଧିଷ୍ଠିରଙ୍କ ନିର୍ଦ୍ଦେଶ ପାଳନ କରି ଭୀମ ଲୁଚାଇ ରଖିଥିବା ମାଟି ତକ ପକାଇ ତା’ ଉପରେ ମା’ଙ୍କ ପାଇଁ ବିଛଣା ପାରି ଦେଲେ। ପୁଣି କୁନ୍ତୀଙ୍କ ମନରେ ଦ୍ୱିତୀୟ ବିବାହର ଇଚ୍ଛା ଜାଗ୍ରତ ହେଲା। ଏ କିମ୍ବଦନ୍ତୀର ସତ୍ୟତା କେତେ ତା’ ମୁଁ ଜାଣେନା। ତେବେ ମାଟିର ମାହାତ୍ମ୍ୟ ରହିଚି କହି ଏହି ଉପାଖ୍ୟାନଟି ଉଦାହରଣ ଭାବେ ଦିଆଯାଏ।
ସତରେ କ’ଣ ସ୍ଥାନ ଅନୁସାରେ ମାଟିର ଗୁଣ ଭିନ୍ନ ପ୍ରକାର ହୋଇଥାଏ? ଲୋକେ କହନ୍ତି,‘ ମୁଁ ମରିଗଲେ ପୁରୀ ସର୍ଗଦ୍ୱାରରେ ପୋଡ଼ିଦେବ, ମୋ ଆତ୍ମା ମୋକ୍ଷ ପ୍ରାପ୍ତି ପାଇଁ’। ଯଦି ଏତେ ସହଜରେ ସ୍ବର୍ଗ ମିଳିବ ତେବେ କର୍ମ ଫଳ ସବୁ ଯିବ କାହିଁ? ତେବେ ଏସବୁ ବିଶ୍ବାସର କଥା। ବିଶ୍ବାସ କଲେ ଠାକୁର ନ ହେଲେ ପଥର। ଏଇ ବିଶ୍ବାସ ରୂପକ ମୂଳମନ୍ତ୍ର ହିଁ ମାଟିର ମଣିଷକୁ ମହାତ୍ମାରେ କରେ ପରିଣତ। ଅନେକ ଲୋକ, ପୁରୀକୁ ମର୍ତ୍ତ୍ୟର ସ୍ବର୍ଗ ମଣି ଶେଷ ଜୀବନ ପୁରୀରେ କାଟିବାର ଆଶା କରନ୍ତି। ଏଇ ବିଶ୍ବାସ ଯୋଗୁଁ ହିଁ କାଠ ପଥର ଦେହରେ ସ୍ପନ୍ଦନ ଅନୁଭବ କରେ ପ୍ରାଣଟିଏ; ଯେଉଁଥିପାଇଁ ଶରଧାବାଲିରୁ ଟିକିଏ ପାଇ ତାକୁ ମୁଣ୍ଡରେ ମାରି କୃତ କୃତ ହୋଇ ଉଠେ। ଭାବେ, କେତେ ଜନ୍ମର ପୁଣ୍ୟ ବଳରେ ଜଣେ, କ୍ଷେତ୍ର ମଧ୍ୟରେ ଶ୍ରୀକ୍ଷେତ୍ରର ଆଖ୍ୟା ପାଇଥିବା ଭୂଇଁରେ ଭୂମିଷ୍ଠ ହୁଏ! ମାତ୍ର ସେହି ପବିତ୍ର ଭୂମି ରେ ଜନ୍ମ ହୋଇ ଗଲେ ଯେ ଜଣଙ୍କର କର୍ମ ବି ପବିତ୍ର ହୋଇଯିବ ଏପରି କୌଣସି କଥା ନାହିଁ!
ନିକଟରେ ପୁରୀ ଯାଇଥିଲୁ। ସତାଅଶୀ ବର୍ଷର ବାପା ବାଡ଼ି ଧରି ମନ୍ଦିରର ଭିଡ଼ ଭିତରେ ପଶିପାରିବେ ନାହିଁ ବୋଲି ତାଙ୍କୁ ପତିତ ପାବନଙ୍କୁ ଦେଖାଇ ସାରି ଆଣି ଗୋଟିଏ ସ୍ଥାନରେ ବସାଇ ଆମେ ଦର୍ଶନ କରିବୁ ଭାବିଲୁ। ପରେ ସେଇ ବଡ଼ ଦାଣ୍ଡରେ ଗୋଟିଏ ବିରାଟ ଲୁଗା ଦୋକାନରେ ପହଞ୍ଚିଲୁ। ଦୋକାନରେ କେହି ଗରାଖ ନ ଥିଲେ। ଅନୁରୋଧ କଲୁ, ଆଜ୍ଞା ଯଦି ଚୌକି ଖଣ୍ଡିଏ ଦିଅନ୍ତେ, ବାପାଙ୍କୁ ବସାଇ ଆମେ ଠାକୁର ଦର୍ଶନ କରି ସଙ୍ଗେ ସଙ୍ଗେ ଫେରି ଆସନ୍ତୁ। ଦୋକାନୀଙ୍କ ଉତ୍ତର ଥିଲା, ‘ଯଦି କିଛି ଲୁଗାପଟା କିଣିବେ ତେବେ ଭିତରକୁ ଆସନ୍ତୁ, ନ ହେଲେ ଏଠି ଜାଗା ନାହିଁ’। ବାଧ୍ୟ ହୋଇ କୋଲପ ପଡ଼ିଥିବା ଗୋଟିଏ ଦୋକାନ ବାରଣ୍ଡାରେ ବାପାଙ୍କୁ ବସାଇ ଠାକୁର ଦର୍ଶନ ସାରିଲୁ। ଆଶ୍ଚର୍ଯ୍ୟ, ଦୟାବନ୍ତଙ୍କ ଧାମରେ ମଣିଷ କ’ଣ ଏତେ ନିର୍ଦ୍ଦୟ ହୋଇପାରେ! ସେଠାରୁ ଫେରି ଗାଡ଼ିରେ ବସୁଚୁ, ଦୁଇ ଜଣ ଯୁବକ କହିଲେ, ଆଜ୍ଞା ଆପଣଙ୍କ ଟଙ୍କା ତଳେ ପଡ଼ି ଗଲା। ନାନୀ ସଙ୍ଗେ ସଙ୍ଗେ ଦେଖିବାକୁ ଯାଉଥିଲା। ତାକୁ ତୁରନ୍ତ ବାରଣ କରି ଏସବୁ ଠକାମି କହି ଗୋଟିଏ ବଡ଼ ବିପଦକୁ ଦୂରେଇ ଦେଇପାରିଲି। ନ ହେଲେ ଚାଳିଶ ଟଙ୍କା ପକାଇ ଚାରି ଲକ୍ଷ ଲୁଟି ନେବାରେ ଧୁରନ୍ଧରମାନେ ସେଦିନ ଆମକୁ ଚିତାକାଟି ଦେଇଥାନ୍ତେ।
ଆଚମ୍ବିତ ହେଲି। ଦୂରରୁ ପତିତ ପାବନ ବାନା ଦିଶୁ ଦିଶୁ, ଯେଉଁ ମାଟିର କଥା ମନରେ ଆସୁ ଆସୁ, ପ୍ରାଣରେ ଏକ ପବିତ୍ର ଶୀତଳତା ଭରିଯାଏ, ସେ ମାଟିରେ ପାଦଦେଇ କ’ଣ ଜଣେ ଏପରି କୁକର୍ମକୁ ଆପଣେଇ ପାରେ! ମନେ ପଡୁଥିଲା କିଛିଦିନ ତଳେ ମୁଷ୍ଟିମେୟ ସେବାୟତଙ୍କ ଦ୍ୱାରା କିପରି ରକ୍ତ ରଞ୍ଜିତ ହୋଇଥିଲା ପୁରୀର ମାଟି। ଏମାନେ ତ ସ୍ବୟଂ ପ୍ରଭୁଙ୍କର ପରିବାର ଜନ, ତେବେ… । ଆଜି ବି ରତ୍ନ ଭଣ୍ଡାରର ରହସ୍ୟ ରହିଗଲା ରହସ୍ୟ ହୋଇ। ରୋଷ ଘରର ଚୁଲି ଭଙ୍ଗା ଘଟଣା ତ ମନରୁ ଲିଭିନି। ଲିଭିନି ବି ବ୍ରହ୍ମ ପରିବର୍ତ୍ତନ ବେଳର ବିଭ୍ରାଟ କଥା। ଅନେକ ବାର ସ୍ବୟଂ ରତ୍ନ ସିଂହାସନରେ ବି ପଡ଼ିଚି ରକ୍ତ ଛିଟା।
ମନରେ ପ୍ରଶ୍ନଟିଏ ଉଙ୍କି ମାରିଲା, ତା’ହେଲେ କ’ଣ ପୁରୀର ମାଟି ପବିତ୍ର ନୂହେଁ? ଆପେ ଆପେ ଉତ୍ତରଟି ବି ମିଳିଗଲା। ହଁ! ଖୁବ୍‌ ପବିତ୍ର, କିନ୍ତୁ ଯେପରି ଦୃଷ୍ଟି ସେପରି ତ ସୃଷ୍ଟି। ସେଇଥିପାଇଁ ତ ପ୍ରହଲାଦ ନୃସିଂହଙ୍କ ରୂପରେ ପ୍ରେମମୟ ନାରାୟଣଙ୍କୁ ଦେଖିଥିଲା ବେଳେ ହିରଣ୍ୟକଶିପୁକୁ ସେ ପ୍ରତୀତ ହୋଇ ଥିଲେ ମହାକାଳ ବୋଲି। ତେଣୁ କାହା ପାଇଁ ପୁରୀର ମାଟି ମୁକ୍ତିର କ୍ଷେତ୍ର, ଆଉ କାହା ପାଇଁ ସରଳ ଭକ୍ତଙ୍କୁ ଲୁଟିବାର ସହଜ ସ୍ଥାନ। ଜଣକ ପାଇଁ ତୀର୍ଥ ଓ ଆଉ ଜଣଙ୍କ ପାଇଁ ପର୍ଯ୍ୟଟନ। ପୁରୀ କାଳେ ନିଶା ଓ ଦେହ ବେପାରର ପେଣ୍ଠସ୍ଥଳୀ ହେବାକୁ ଯାଉଚି ! ହାଏରେ ବିଡ଼ମ୍ବନା! ଏଭଳି ପବିତ୍ର ସ୍ଥାନରେ କେହି କ’ଣ ଏପରି କୁକର୍ମ ପାଇଁ ଚିନ୍ତା ସୁଦ୍ଧା କରିପାରେ!
ମାଟିରୁ ଆସି ମାଟିରେ ମିଶିବା ପର୍ଯ୍ୟନ୍ତ, ମାଟିର ମଣିଷଟି ଯେଉଁ ଦିନ ନିଜ ମାଟିର ମାହାତ୍ମ୍ୟକୁ ଭୁଲେ ସେଦିନ ସେ ନିଜର ଅସ୍ତିତ୍ୱ ହରାଇ ବସେ। ମାନବରୁ ପାଲଟି ଯାଏ ଦାନବ। ହଁ, କେହି ମାଟିକୁ କରେ ସୁନା ତ କେହି ସୁନାକୁ କରେ ମାଟି। ଈଶ୍ୱର ଯେଉଁ ସୁବର୍ଣ୍ଣ ହୃଦୟଟିଏ ଦେଇ ଏ ମାଟିକୁ ପଠାଇ ଥିଲେ, ସେ ହୃଦୟଟିକୁ ନିଜ କାମନା ଓ ବାସନାରେ କଳୁଷିତ କରି ପକାଇ ଥିବା ଅସଭ୍ୟଠାରୁ ଅଧିକ କ’ଣ ଆଶା ବା କରାଯାଇପାରେ! ପ୍ରକୃତରେ ଦେଖିବାକୁ ଗଲେ ମାଟିର ମାହାତ୍ମ୍ୟ ହୃଦୟର ଉର୍ବରତା ଉପରେ କରେ ନିର୍ଭର। ହୃଦୟର ଉର୍ବରତା ନିର୍ଭର କରେ ସଦାଚାର, ନିଃସ୍ବାର୍ଥପର ଓ ଶ୍ରଦ୍ଧାବାନ ମନ ତଥା ମସ୍ତିସ୍କ ଉପରେ। ଅନ୍ୟଥା କପଟାଚାରୀର ହୃଦୟ ଯେ ବିଷାକ୍ତ, ତା’ ନିକଟରୁ ବିଶ୍ୱସନୀୟତା ଆଶା କରିବା ଯାହା, ବିଛୁଆତିଠାରୁ ତୁଳସୀଙ୍କ ମହନିୟତା ଖୋଜିବା ତାହା। ମାଟିର ଋଣ ଶୁଝିବା ସହଜ ନୁହେଁ, କିନ୍ତୁ ମାଟି ଉପରେ ବୋଝ ପାଲଟିଯିବା, ସତରେ ଗୋଟିଏ ଅଭିଶାପ।

– ଛନ୍ଦା ମିଶ୍ର
କଳିଙ୍ଗ ନଗର, ଭୁବନେଶ୍ୱର
ମୋ: ୯୪୩୭୪ ୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri