ମାଟିର ମାହାତ୍ମ୍ୟ

ପାଣ୍ଡବମାନେ କୁନ୍ତୀଙ୍କ ସହ ବୁଲୁବୁଲୁ ପହଞ୍ଚିଲେ ଗୋଟିଏ ଜଙ୍ଗଲରେ। ସେମାନେ ସେଠାରେ ବିଶ୍ରାମ ନେଲେ। ପରଦିନ ସକାଳେ ମା’ ପୁଅମାନଙ୍କୁ ପାଖକୁ ଡାକି କହିଲେ,‘ପୁଅ, ମୁଁ ଭାବୁଚି ଆଉ ଥରେ ବିବାହ କରିବି… ମୋ ପାଇଁ ଉପଯୁକ୍ତ ପାତ୍ରଟିଏ ଦେଖ।’ ମା’ଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ, ”ହଁ, ମା’ ସେ ବିଷୟରେ କଥା ହେବା, ତେବେ ବର୍ତ୍ତମାନ ଏ ସ୍ଥାନ ଛାଡ଼ିବାର ମୁହୂର୍ତ୍ତ ଆସି ଯାଇଚି… ଚାଲ ଯିବା“ । ସମସ୍ତେ ସ୍ଥାନ ତ୍ୟାଗ କରି ଆଗକୁ ବଢ଼ିଲେ। ଯୁଧିଷ୍ଠିର ଭୀମଙ୍କୁ କହିଲେ, ଲୁଚାଇ କରି ସେ ସ୍ଥାନର କିଛି ମାଟି ସାଥିରେ ଘେନି ଯିବା ପାଇଁ। ଅନେକ ଦୂର ଗଲା ପରେ ସେମାନେ ବିଶ୍ରାମ ନେଲେ। ବିଶ୍ରାମ ପରେ, ଯୁଧିଷ୍ଠିର ପଚାରିଲେ, ‘ମା, କାଲି ତୁମେ ତୁମ ପୁନଃ ବିବାହ ବିଷୟରେ କହୁଥିଲ…’ ଏକଥା ଶୁଣି କୁନ୍ତୀ କହିଲେ, ‘କି ଅସମ୍ଭବ କଥା କହୁଛୁ , ଏପରି କଥା ତୁଣ୍ଡରେ ଧରିବା, କାନରେ ଶୁଣିବା ବି ଘୋର ପାପ!’ ପରଦିନ ଯୁଧିଷ୍ଠିରଙ୍କ ନିର୍ଦ୍ଦେଶ ପାଳନ କରି ଭୀମ ଲୁଚାଇ ରଖିଥିବା ମାଟି ତକ ପକାଇ ତା’ ଉପରେ ମା’ଙ୍କ ପାଇଁ ବିଛଣା ପାରି ଦେଲେ। ପୁଣି କୁନ୍ତୀଙ୍କ ମନରେ ଦ୍ୱିତୀୟ ବିବାହର ଇଚ୍ଛା ଜାଗ୍ରତ ହେଲା। ଏ କିମ୍ବଦନ୍ତୀର ସତ୍ୟତା କେତେ ତା’ ମୁଁ ଜାଣେନା। ତେବେ ମାଟିର ମାହାତ୍ମ୍ୟ ରହିଚି କହି ଏହି ଉପାଖ୍ୟାନଟି ଉଦାହରଣ ଭାବେ ଦିଆଯାଏ।
ସତରେ କ’ଣ ସ୍ଥାନ ଅନୁସାରେ ମାଟିର ଗୁଣ ଭିନ୍ନ ପ୍ରକାର ହୋଇଥାଏ? ଲୋକେ କହନ୍ତି,‘ ମୁଁ ମରିଗଲେ ପୁରୀ ସର୍ଗଦ୍ୱାରରେ ପୋଡ଼ିଦେବ, ମୋ ଆତ୍ମା ମୋକ୍ଷ ପ୍ରାପ୍ତି ପାଇଁ’। ଯଦି ଏତେ ସହଜରେ ସ୍ବର୍ଗ ମିଳିବ ତେବେ କର୍ମ ଫଳ ସବୁ ଯିବ କାହିଁ? ତେବେ ଏସବୁ ବିଶ୍ବାସର କଥା। ବିଶ୍ବାସ କଲେ ଠାକୁର ନ ହେଲେ ପଥର। ଏଇ ବିଶ୍ବାସ ରୂପକ ମୂଳମନ୍ତ୍ର ହିଁ ମାଟିର ମଣିଷକୁ ମହାତ୍ମାରେ କରେ ପରିଣତ। ଅନେକ ଲୋକ, ପୁରୀକୁ ମର୍ତ୍ତ୍ୟର ସ୍ବର୍ଗ ମଣି ଶେଷ ଜୀବନ ପୁରୀରେ କାଟିବାର ଆଶା କରନ୍ତି। ଏଇ ବିଶ୍ବାସ ଯୋଗୁଁ ହିଁ କାଠ ପଥର ଦେହରେ ସ୍ପନ୍ଦନ ଅନୁଭବ କରେ ପ୍ରାଣଟିଏ; ଯେଉଁଥିପାଇଁ ଶରଧାବାଲିରୁ ଟିକିଏ ପାଇ ତାକୁ ମୁଣ୍ଡରେ ମାରି କୃତ କୃତ ହୋଇ ଉଠେ। ଭାବେ, କେତେ ଜନ୍ମର ପୁଣ୍ୟ ବଳରେ ଜଣେ, କ୍ଷେତ୍ର ମଧ୍ୟରେ ଶ୍ରୀକ୍ଷେତ୍ରର ଆଖ୍ୟା ପାଇଥିବା ଭୂଇଁରେ ଭୂମିଷ୍ଠ ହୁଏ! ମାତ୍ର ସେହି ପବିତ୍ର ଭୂମି ରେ ଜନ୍ମ ହୋଇ ଗଲେ ଯେ ଜଣଙ୍କର କର୍ମ ବି ପବିତ୍ର ହୋଇଯିବ ଏପରି କୌଣସି କଥା ନାହିଁ!
ନିକଟରେ ପୁରୀ ଯାଇଥିଲୁ। ସତାଅଶୀ ବର୍ଷର ବାପା ବାଡ଼ି ଧରି ମନ୍ଦିରର ଭିଡ଼ ଭିତରେ ପଶିପାରିବେ ନାହିଁ ବୋଲି ତାଙ୍କୁ ପତିତ ପାବନଙ୍କୁ ଦେଖାଇ ସାରି ଆଣି ଗୋଟିଏ ସ୍ଥାନରେ ବସାଇ ଆମେ ଦର୍ଶନ କରିବୁ ଭାବିଲୁ। ପରେ ସେଇ ବଡ଼ ଦାଣ୍ଡରେ ଗୋଟିଏ ବିରାଟ ଲୁଗା ଦୋକାନରେ ପହଞ୍ଚିଲୁ। ଦୋକାନରେ କେହି ଗରାଖ ନ ଥିଲେ। ଅନୁରୋଧ କଲୁ, ଆଜ୍ଞା ଯଦି ଚୌକି ଖଣ୍ଡିଏ ଦିଅନ୍ତେ, ବାପାଙ୍କୁ ବସାଇ ଆମେ ଠାକୁର ଦର୍ଶନ କରି ସଙ୍ଗେ ସଙ୍ଗେ ଫେରି ଆସନ୍ତୁ। ଦୋକାନୀଙ୍କ ଉତ୍ତର ଥିଲା, ‘ଯଦି କିଛି ଲୁଗାପଟା କିଣିବେ ତେବେ ଭିତରକୁ ଆସନ୍ତୁ, ନ ହେଲେ ଏଠି ଜାଗା ନାହିଁ’। ବାଧ୍ୟ ହୋଇ କୋଲପ ପଡ଼ିଥିବା ଗୋଟିଏ ଦୋକାନ ବାରଣ୍ଡାରେ ବାପାଙ୍କୁ ବସାଇ ଠାକୁର ଦର୍ଶନ ସାରିଲୁ। ଆଶ୍ଚର୍ଯ୍ୟ, ଦୟାବନ୍ତଙ୍କ ଧାମରେ ମଣିଷ କ’ଣ ଏତେ ନିର୍ଦ୍ଦୟ ହୋଇପାରେ! ସେଠାରୁ ଫେରି ଗାଡ଼ିରେ ବସୁଚୁ, ଦୁଇ ଜଣ ଯୁବକ କହିଲେ, ଆଜ୍ଞା ଆପଣଙ୍କ ଟଙ୍କା ତଳେ ପଡ଼ି ଗଲା। ନାନୀ ସଙ୍ଗେ ସଙ୍ଗେ ଦେଖିବାକୁ ଯାଉଥିଲା। ତାକୁ ତୁରନ୍ତ ବାରଣ କରି ଏସବୁ ଠକାମି କହି ଗୋଟିଏ ବଡ଼ ବିପଦକୁ ଦୂରେଇ ଦେଇପାରିଲି। ନ ହେଲେ ଚାଳିଶ ଟଙ୍କା ପକାଇ ଚାରି ଲକ୍ଷ ଲୁଟି ନେବାରେ ଧୁରନ୍ଧରମାନେ ସେଦିନ ଆମକୁ ଚିତାକାଟି ଦେଇଥାନ୍ତେ।
ଆଚମ୍ବିତ ହେଲି। ଦୂରରୁ ପତିତ ପାବନ ବାନା ଦିଶୁ ଦିଶୁ, ଯେଉଁ ମାଟିର କଥା ମନରେ ଆସୁ ଆସୁ, ପ୍ରାଣରେ ଏକ ପବିତ୍ର ଶୀତଳତା ଭରିଯାଏ, ସେ ମାଟିରେ ପାଦଦେଇ କ’ଣ ଜଣେ ଏପରି କୁକର୍ମକୁ ଆପଣେଇ ପାରେ! ମନେ ପଡୁଥିଲା କିଛିଦିନ ତଳେ ମୁଷ୍ଟିମେୟ ସେବାୟତଙ୍କ ଦ୍ୱାରା କିପରି ରକ୍ତ ରଞ୍ଜିତ ହୋଇଥିଲା ପୁରୀର ମାଟି। ଏମାନେ ତ ସ୍ବୟଂ ପ୍ରଭୁଙ୍କର ପରିବାର ଜନ, ତେବେ… । ଆଜି ବି ରତ୍ନ ଭଣ୍ଡାରର ରହସ୍ୟ ରହିଗଲା ରହସ୍ୟ ହୋଇ। ରୋଷ ଘରର ଚୁଲି ଭଙ୍ଗା ଘଟଣା ତ ମନରୁ ଲିଭିନି। ଲିଭିନି ବି ବ୍ରହ୍ମ ପରିବର୍ତ୍ତନ ବେଳର ବିଭ୍ରାଟ କଥା। ଅନେକ ବାର ସ୍ବୟଂ ରତ୍ନ ସିଂହାସନରେ ବି ପଡ଼ିଚି ରକ୍ତ ଛିଟା।
ମନରେ ପ୍ରଶ୍ନଟିଏ ଉଙ୍କି ମାରିଲା, ତା’ହେଲେ କ’ଣ ପୁରୀର ମାଟି ପବିତ୍ର ନୂହେଁ? ଆପେ ଆପେ ଉତ୍ତରଟି ବି ମିଳିଗଲା। ହଁ! ଖୁବ୍‌ ପବିତ୍ର, କିନ୍ତୁ ଯେପରି ଦୃଷ୍ଟି ସେପରି ତ ସୃଷ୍ଟି। ସେଇଥିପାଇଁ ତ ପ୍ରହଲାଦ ନୃସିଂହଙ୍କ ରୂପରେ ପ୍ରେମମୟ ନାରାୟଣଙ୍କୁ ଦେଖିଥିଲା ବେଳେ ହିରଣ୍ୟକଶିପୁକୁ ସେ ପ୍ରତୀତ ହୋଇ ଥିଲେ ମହାକାଳ ବୋଲି। ତେଣୁ କାହା ପାଇଁ ପୁରୀର ମାଟି ମୁକ୍ତିର କ୍ଷେତ୍ର, ଆଉ କାହା ପାଇଁ ସରଳ ଭକ୍ତଙ୍କୁ ଲୁଟିବାର ସହଜ ସ୍ଥାନ। ଜଣକ ପାଇଁ ତୀର୍ଥ ଓ ଆଉ ଜଣଙ୍କ ପାଇଁ ପର୍ଯ୍ୟଟନ। ପୁରୀ କାଳେ ନିଶା ଓ ଦେହ ବେପାରର ପେଣ୍ଠସ୍ଥଳୀ ହେବାକୁ ଯାଉଚି ! ହାଏରେ ବିଡ଼ମ୍ବନା! ଏଭଳି ପବିତ୍ର ସ୍ଥାନରେ କେହି କ’ଣ ଏପରି କୁକର୍ମ ପାଇଁ ଚିନ୍ତା ସୁଦ୍ଧା କରିପାରେ!
ମାଟିରୁ ଆସି ମାଟିରେ ମିଶିବା ପର୍ଯ୍ୟନ୍ତ, ମାଟିର ମଣିଷଟି ଯେଉଁ ଦିନ ନିଜ ମାଟିର ମାହାତ୍ମ୍ୟକୁ ଭୁଲେ ସେଦିନ ସେ ନିଜର ଅସ୍ତିତ୍ୱ ହରାଇ ବସେ। ମାନବରୁ ପାଲଟି ଯାଏ ଦାନବ। ହଁ, କେହି ମାଟିକୁ କରେ ସୁନା ତ କେହି ସୁନାକୁ କରେ ମାଟି। ଈଶ୍ୱର ଯେଉଁ ସୁବର୍ଣ୍ଣ ହୃଦୟଟିଏ ଦେଇ ଏ ମାଟିକୁ ପଠାଇ ଥିଲେ, ସେ ହୃଦୟଟିକୁ ନିଜ କାମନା ଓ ବାସନାରେ କଳୁଷିତ କରି ପକାଇ ଥିବା ଅସଭ୍ୟଠାରୁ ଅଧିକ କ’ଣ ଆଶା ବା କରାଯାଇପାରେ! ପ୍ରକୃତରେ ଦେଖିବାକୁ ଗଲେ ମାଟିର ମାହାତ୍ମ୍ୟ ହୃଦୟର ଉର୍ବରତା ଉପରେ କରେ ନିର୍ଭର। ହୃଦୟର ଉର୍ବରତା ନିର୍ଭର କରେ ସଦାଚାର, ନିଃସ୍ବାର୍ଥପର ଓ ଶ୍ରଦ୍ଧାବାନ ମନ ତଥା ମସ୍ତିସ୍କ ଉପରେ। ଅନ୍ୟଥା କପଟାଚାରୀର ହୃଦୟ ଯେ ବିଷାକ୍ତ, ତା’ ନିକଟରୁ ବିଶ୍ୱସନୀୟତା ଆଶା କରିବା ଯାହା, ବିଛୁଆତିଠାରୁ ତୁଳସୀଙ୍କ ମହନିୟତା ଖୋଜିବା ତାହା। ମାଟିର ଋଣ ଶୁଝିବା ସହଜ ନୁହେଁ, କିନ୍ତୁ ମାଟି ଉପରେ ବୋଝ ପାଲଟିଯିବା, ସତରେ ଗୋଟିଏ ଅଭିଶାପ।

– ଛନ୍ଦା ମିଶ୍ର
କଳିଙ୍ଗ ନଗର, ଭୁବନେଶ୍ୱର
ମୋ: ୯୪୩୭୪ ୫୩୬୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri