ବାଲ୍ୟବିବାହମୁକ୍ତ ଓଡ଼ିଶା ଗଠନକୁ ଗୁରୁତ୍ୱ

ଭୁବନେଶ୍ୱର, ୨୧। ୧୧(ବ୍ୟୁରୋ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଶୁକ୍ରବାର ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଭର୍ଚୁଆଲରେ ଯୋଗଦେଇ ବାଲ୍ୟବିବାହମୁକ୍ତ ଓଡ଼ିଶା ନିର୍ମାଣ ପାଇଁ ଆମକୁ ଆହୁରି କ୍ରିୟାଶୀଳ ହେବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏମ୍‌ପି ଅଚ୍ୟୁତ ସାମନ୍ତ କହିଲେ, ଶିଶୁମାନଙ୍କ ବିକାଶ ଦିଗରେ ଶିକ୍ଷାର ଗୁରୁତ୍ୱ ସର୍ବାଧିକ। ତେଣୁ ପ୍ରତ୍ୟେକ ଶିଶୁ ଯେଭଳି ଉପଯୁକ୍ତ ଶିକ୍ଷା ପାଇବେ ସେଥିପାଇଁ ସବୁସ୍ତରରେ ଉଦ୍ୟମ ହେବା ଜରୁରୀ। ଏହି ଅବସରରେ ଶିଶୁ ସମ୍ପର୍କିତ ସମସ୍ତ ଅଭିଯୋଗର ଦାଖଲ, ଶୁଣାଣି ଓ ସମାଧାନ ପାଇଁ ଭୁବନେଶ୍ୱରରେ ଏକ ଶିଶୁ ଥାନା ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଦେଇଥିଲେ। ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସ୍ବାଗତ ଭାଷଣ ଦେଇ ଶିଶୁ ଅଧିକାରର ସୁରକ୍ଷା ଦିଗରେ ଆୟୋଗର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚର ଡିଆଇଜି ଅମିତେନ୍ଦ୍ର ସିହ୍ନା, ଶ୍ରମ ଆୟୁକ୍ତ ଏନ୍‌. ତିରୁମଲ୍ଲା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଶୁଙ୍କ ସାମଗ୍ରିକ ବିକାଶ ଦିଗରେ ଆଲୋକପାତ କରିଥିଲେ।
ପ୍ରାରମ୍ଭରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଶିଶୁ ସୁରକ୍ଷା ସଚେତନତା ବାର୍ତ୍ତା ବହନକାରୀ ରଥର ଉଦ୍‌ଘାଟନ କରିଥିଲେ। ଏହି ରଥ ଖୋର୍ଦ୍ଧା, କନ୍ଧମାଳ ଏବଂ ବୌଦ୍ଧ ଜିଲାରେ ଶିଶୁ ଅଧିକାର ସୁରକ୍ଷା, ଶିଶୁ ଶିକ୍ଷା ଓ ଯତ୍ନ ବାର୍ତ୍ତା ସହିତ ୨୦ଦିନ ଭ୍ରମଣ କରିବ। କୋଭିଡ୍‌-୧୯ ସମୟରେ ଶିଶୁଙ୍କୁ ଡିଜିଟାଲ୍‌ ମାଧ୍ୟମରେ ପ୍ରାକ୍‌ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ଭିଡିଓ ‘ଗୁଲ୍‌ମୋହର’କୁ ମନ୍ତ୍ରୀ ଲୋକାର୍ପିତ କରିଥିଲେ। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ
ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।