ଖାଦ୍ୟର ପ୍ରଭାବ

ଶରୀରର ସାମଗ୍ରିକ ସ୍ବାସ୍ଥ୍ୟ ନିର୍ଭର କରେ- ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଏହି ତିନୋଟି ସ୍ତମ୍ଭ ଉପରେ। ମାତାପିତା, ଶିକ୍ଷକ, ସାମାଜିକ ଗୁରୁ ଓ ସର୍ବୋପରି ଆଧ୍ୟାତ୍ମିକ ଗୁରୁଙ୍କ ଆଶୀର୍ବାଦରେ ମନୁଷ୍ୟ ଏହି ସ୍ବାସ୍ଥ୍ୟ ଲାଭ କରେ। ଶରୀର, ମନ ଓ ଆଧ୍ୟାତ୍ମିକ ଚିନ୍ତନକୁ ଉପଯୁକ୍ତ ଦିଗରେ ପରିଚାଳନା କରେ ଖାଦ୍ୟ। ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି – ମାଛ, ମାଂସ ଖାଇବ ନାହିଁ, ପିଆଜ, ରସୁଣ ମାଦକ ଛାଡ଼। ମାଛ, ମାଂସର ଜୈବକୋଷ ଉପାଦାନ ଆମ ଶରୀରରେ ପ୍ରବେଶ କରି ଶରୀରର ଜୈବକୋଷରେ ଏକ ଅସ୍ବାଭାବିକ ଉତ୍ତେଜନା ଓ ସଂଘାତ ସୃଷ୍ଟି କରି କୋଷ ବିଭାଜନକୁ ଅତ୍ୟନ୍ତ ଦ୍ରୁତ କରିଉଠାଏ। ଏହାଦ୍ୱାରା ସାମୟିକ ଶାରୀରିକ ପୁଷ୍ଟି ହେଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଆୟୁଷର କ୍ଷତି ଘଟେ। ପନିପରିବା ଅର୍ଥ ଜୀବନ୍ତ ଓ ଜାଗ୍ରତ କରି ଉଠାଇବା, କିନ୍ତୁ ମାଂସ ଶବ୍ଦର ସେପରି କୌଣସି ଅର୍ଥ ନାହିଁ। ଆମିଷ ଖାଦ୍ୟ ଶରୀର ପକ୍ଷରେ ସୁସଙ୍ଗତ ନୁହେଁ ଓ ସୁସଙ୍ଗତ ନ ହେଲେ ତାହା ଶରୀରକୁ ପୋଷଣ ଦେଇପାରେ ନାହିଁ। ଠାକୁର ଅନୁକୂଳଚନ୍ଦ୍ର କହିଲେ – ମାଛ ଖାଇବା ଓ ନ ଖାଇବା – ମୁଁ ଭଲ ଭାବରେ ପରୀକ୍ଷା କରି ଦେଖିଛି। ମାଛ ନ ଖାଇ ନାମ ଧ୍ୟାନ କରି ଦେଖିଛି। ମନଟି ଅତି ଶୀଘ୍ର ଉପରକୁ ଉଠିଯାଏ, ଆଉ ଯେତେବେଳେ ଆମିଷ ଖାଦ୍ୟ ଖାଇଛି, ସେତେବେଳେ ନାମ କଲେ ମଧ୍ୟ ମନର ପ୍ରସାରଣ ହୁଏନାହିଁ, କ୍ରମାଗତି କଟିଯାଏ, କ୍ଳନ୍ତି ଆସେ। ଆମିଷ ଆହାର ଏକ ବିକୃତ ରୁଚି। ଗୋଟିଏ ମନୁଷ୍ୟକୁ ହତ୍ୟାକଲେ ସେ ଯେଭଳି ବ୍ୟଥା ଓ ଯନ୍ତ୍ରଣା ଅନୁଭବ କରେ, ଗୋଟିଏ ଜୀବକୁ ହତ୍ୟା କଲେ ସେ ସେହିଭଳି କଷ୍ଟ ପାଏ। ନରହତ୍ୟା କଥା ଶୁଣିଲେ ଆମେ ଆତଙ୍କିତ ହେଉ, କିନ୍ତୁ ଜୀବହତ୍ୟା ବେଳେ କିଛି ବୋଧ ଆସେନାହିଁ, ଏହାର ଅର୍ଥ ହେଉଛି – ଆମ୍ଭମାନଙ୍କର ବୋଧବୃତ୍ତି ପ୍ରବୃତ୍ତିଆବିଳ, ସ୍ଥୂଳ, ହୃଦୟହୀନ ଓ ସହାନୁଭୂତି ଶୂନ୍ୟ। ଆମିଷ ଖାଦ୍ୟରେ ଯେଉଁ ବୃଦ୍ଧି ଘଟେ ତାହା ଆୟୁଷ ବିନିମୟରେ। ଏହା ଆମର କାମ୍ୟ ନୁହେଁ। ନିରାମିଷ ଖାଦ୍ୟ ଓ ସୁନିୟନ୍ତ୍ରିତ ଚଳନ ଦୀର୍ଘ ଆୟୁ ପକ୍ଷେ ସହାୟକ। ସୁନିୟନ୍ତ୍ରିତ ଚଳନ ନିମିତ୍ତ ତିନୋଟି ଜିନିଷର ପ୍ରୟୋଜନ। ପ୍ରଥମ ହେଲା ସୁକୈନ୍ଦ୍ରିକ ଇଚ୍ଛାଶକ୍ତି। ଏହା ନ ଥିଲେ ମନୁଷ୍ୟ ଜୀବନରେ ବିରୋଧୀ ଶକ୍ତିଗୁଡ଼ିକୁ ଆୟତ୍ତରେ ଆଣିପାରେ ନାହିଁ। ଜୀବନର ଘାତ ପ୍ରତିଘାତରେ ଦୁର୍ବଳ ଓ ହତାଶ ହୋଇପଡ଼େ ଓ ପ୍ରତିରୋଧକ କ୍ଷମତା କମିଯାଏ। ରୋଗ ବ୍ୟାଧି ଚାପି ଧରେ। ଦ୍ୱିତୀୟ ହେଲା- ସୁନିୟନ୍ତ୍ରିତ ଦାମ୍ପତ୍ୟ ଜୀବନ ଓ ତୃତୀୟ ହେଲା – ଶାନ୍ତିପୂର୍ଣ୍ଣ ପାରିବାରିକ ପରିବେଶ।
ଖାଦ୍ୟରେ ସ୍ପର୍ଶ ଦୋଷ ମଧ୍ୟ ଦେଖିବାକୁ ହୁଏ। ଯାହାଙ୍କ ହାତରେ ଖାଦ୍ୟ ଖିଆଯାଏ ତାଙ୍କର ମାନସିକ ଅବସ୍ଥା, ଚିନ୍ତା ଓ ପ୍ରବୃତ୍ତିର ସ୍ପର୍ଶ ଖାଦ୍ୟ ଭିତର ଦେଇ ଅନ୍ୟର ଶରୀରକୁ ପ୍ରବେଶ କରେ। ଖାଦ୍ୟର ମନ ଉପରେ ପ୍ରଭାବ ବିଷୟରେ ମହାଭାରତରେ ଥିବା ଭୀଷ୍ମଙ୍କ ଉଦାହରଣ ରହିଛି । ଭୀଷ୍ମ ଶରଶଯ୍ୟାରେ ଥିବାବେଳେ ପାଣ୍ଡବମାନେ ସପରିବାର ତାଙ୍କୁ ଦର୍ଶନ କରିବା ପାଇଁ ଗଲେ । ଭୀଷ୍ମ ପାଣ୍ଡବଙ୍କୁ ସଦାଚାର ବିଷୟରେ ଉପଦେଶ ଦେଲେ । ତାହା ଶୁଣି ଦ୍ରୌପଦୀ ହସିବାକୁ ଲାଗିଲେ । କାଳେ ପିତାମହ ଖରାପ ଭାବିବେ, ସେଥିପାଇଁ ପାଣ୍ଡବମାନେ ଦ୍ରୌପଦୀଙ୍କୁ ବାରଣ କଲେ । ଭୀଷ୍ମ ହସିବାର କାରଣ ବିଷୟ ପଚାରିବାରୁ ଦ୍ରୌପଦୀ କହିଲେ – ଆପଣ ଏତେଦିନ ଧରି କୌରବଙ୍କ ଉପଦେଷ୍ଟା ହୋଇ ରହି ତାଙ୍କୁ ଯଦି ଏ ବିଷୟରେ ଶିକ୍ଷା ଦେଇଥାଆନ୍ତେ ଓ ନିଜେ ଯୁଦ୍ଧ କରିବାରୁ ନିବୃତ୍ତ ରହିଥାଆନ୍ତେ, ତା’ହେଲେ ଆଜି ଏପରି ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ।
ଏହି ଧାରଣା ମୋ ମନରେ ଆସିବାରୁ ଆପଣଙ୍କ କଥା ଶୁଣି ମୋତେ ହସ ଲାଗିଲା। ଭୀଷ୍ମ ଉତ୍ତର ଦେଲେ – କୌରବଙ୍କ ଅନ୍ନରେ ମୋର ଏ ଶରୀର ପ୍ରତିପାଳିତ ହୋଇ ଆସୁଥିବାରୁ ମୋ ଶରୀରର ରକ୍ତ ସେମାନଙ୍କ ଖାଦ୍ୟ ଦ୍ୱାରା ଗଠିତ ହୋଇଥିଲା । ତେଣୁ ସେମାନେ ମୋତେ ଯାହା ଚାହୁଁଥିଲେ ମୋ ମନ ତାହା କରିବାକୁ ନିର୍ଦ୍ଦେଶ ଦେଉଥିଲା ଓ ମୁଁ ତାହା କରୁଥିଲି । ଶରଶଯ୍ୟାରେ ରହିବା ଫଳରେ ମୋ ଦେହରୁ ସେ ଦୂଷିତ ରକ୍ତ ବାହାରିଯାଇ ମୋ ମନକୁ ପବିତ୍ର କରି ଦେଇଛି । ତେଣୁ ମୁଁ ଆଜି ଏ ଉପଦେଶ ଦେବାକୁ ସମର୍ଥ ହୋଇଛି । ଠାକୁର ଅନୁକୂଳଚନ୍ଦ୍ରଙ୍କର ଖାଦ୍ୟ ସମ୍ବନ୍ଧରେ ଏହି ଆହ୍ବାନକୁ ଆମେ ଗ୍ରହଣ କରୁଛୁ।

ଡା. ଉମେଶ ଚନ୍ଦ୍ର ପାତ୍ର
ଅବସରପ୍ରାପ୍ତ ପ୍ରଫେସର, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ମୋ: ୯୪୩୭୦୫୧୯୫୭

&nb

Dharitri – Odisha’s No.1 Odia Daily
sp;