ରାଜଧାନୀରୁ ଉଠିବ ଆଇସିସିଆର କାର୍ଯ୍ୟାଳୟ

ଭୁବନେଶ୍ୱର,୧୬ା୬(ବ୍ୟୁରୋ): ଭୁବନେଶ୍ୱରରୁ ଆଇସିସିଆର ବା ଇଣ୍ଡିଆନ କାଉନସିଲ୍‌ ଫର୍‌ କଲଚୁରାଲ ରିଲେଶନ କାର୍ଯ୍ୟାଳୟ ଉଠିଯିବ। ୨୦୧୫ରୁ ଏହି କାର୍ଯ୍ୟାଳୟ ପଳାସପଲ୍ଲୀରେ ରହିଛି। ତେବେ କେନ୍ଦ୍ର ସରକାର ହଠାତ୍‌ ଏହି କାର୍ଯ୍ୟାଳୟକୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। କୋଲକତାସ୍ଥିତ ଜୋନ କାର୍ଯ୍ୟାଳୟରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ମିଶ୍ରଣ ହେବ।

ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତ ବେଶ ଉଚ୍ଚକୋଟୀର। ଏହି କାର୍ଯ୍ୟାଳୟ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେବା ଓଡ଼ିଆଙ୍କ ପାଇଁ ବଡ଼ ଅପମାନ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଏନେଇ ସେ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଦଳଗତ ନିର୍ବିଶେଷରେ ରାଜ୍ୟର ସମସ୍ତ ଏମ୍‌ପିଙ୍କ ସହିତ ଆଲୋଚନା କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବଦଳାଇବା ପାଇଁ ଅଶୋକ ପଣ୍ଡା ନିବେଦନ କରିଛନ୍ତି।