ବନ୍ଧା ପଡ଼ିଥିବା ସୁନା ଆଣିବାକୁ କହିବାରୁ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ସ୍ବାମୀ

କୋକସରା ୧୮।୪: ବନ୍ଧା ପଡିଥିବା ସୁନା ଅଳଙ୍କାର ମୁକୁଳାଇବାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ା ଚରମସୀମାରେ ପହଞ୍ଚିଛି। ରାଗ ସମ୍ଭାଳି ନ ପାରି ସ୍ବାମୀ କିରୋସିନ ଢାଳି ସ୍ତ୍ରୀଙ୍କୁ ନିଆଁ ଲଗାଇ ଦେବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ କୁଣ୍ଡିଗୁଡା ଗ୍ରାମରେ। ମହିଳା ଜଣକ ୨୫ ଦିନ ହେଲା ଘରେ ଚିକିତ୍ସିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ସୂଚନା ଅନୁଯାୟୀ କୋକସରା ବ୍ଲକ ବଙ୍ଗୋମୁଣ୍ଡା ଗ୍ରାମର ମଞ୍ଜିତ ମାଝୀଙ୍କ ଝିଅ ଦ୍ରୌପଦୀ ୨୦୨୦ରେ ଜୟପାଟଣା ବ୍ଲକ କୁଣ୍ଡିଗୁଡା ଗାଁର ଅମରେଶ ଚଲାନ(୨୪)ଙ୍କୁ ବିବାହ କରିଥିଲେ। ଗତ ମାର୍ଚ୍ଚ ୨୪ ତାରିଖ ରାତିରେ ଦ୍ରୌପଦୀ ବନ୍ଧକ ପଡିଥିବା ଯୌତୁକ ଅଳଙ୍କାର ମୁକୁଳାଇବାକୁ ସ୍ବାମୀଙ୍କୁ କହିଥିଲେ। ଏନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ଅମରେଶ ଘରେ ଥିବା କିରାସିନ ଆଣି ଦ୍ରୌପଦୀଙ୍କ ଦେହରେ ଢାଳି ନିଆଁ ଲାଗାଇ ଦେଇଥିଲେ। ଦ୍ରୌପଦୀ ଙ୍କ ଚିତ୍କାର ଶୁଣି ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଭବାନୀପାଟଣା ହସ୍ପିଟାଲ ପଠାଇ ଦେଇଥିଲେ । ୧୮ ଦିନ ସେଠାରେ ଚିକିତ୍ସା ପରେ ବାପା ଝିଅକୁ ଗାଁକୁ ନେଇ ଆସିଥିଲେ । ବର୍ତ୍ତମାନ ସେ ଘରେ ଚିକିତ୍ସିତ ହେଉଛନ୍ତି। ଏନେଇ ମଞ୍ଜିତ ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା(ନଂ.୭୨/୨୧) ରୁଜୁ କରିଛି। କୋକସରା ଥାନା ଧିକାରୀ ବାସୁଦେବ ଛାତ୍ରୀଆଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।