ସ୍ତ୍ରୀଙ୍କୁ ୭ କୋଟିର ମନ୍ଦିର ଉପହାର ଦେଲେ ସ୍ବାମୀ

ଯାଜପୁର ଟାଉନ,୨୫ା୧(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ୍‌ ଅନ୍ତର୍ଗତ ଚିକଣା ଗ୍ରାମରେ ଶିଳ୍ପପତି କ୍ଷେତ୍ରବାସୀ ଲେଙ୍କା ୭ କୋଟି ଟଙ୍କାର ସନ୍ତୋଷୀ ମା’ ମନ୍ଦିର ନିର୍ମାଣ କରି ତାଙ୍କ ସ୍ତ୍ରୀ ବୈଜୟନ୍ତୀ ଲେଙ୍କାଙ୍କୁ ଉପହାର ପ୍ରଦାନ କରିଛନ୍ତି। ସ୍ତ୍ରୀ ସନ୍ତୋଷୀ ମା’ଙ୍କ ଭକ୍ତ ହୋଇଥିବାରୁ ତାଙ୍କ ଗ୍ରାମରେ ମନ୍ଦିର ନିର୍ମାଣ କରି ତାଙ୍କୁ ଉପହାର ପ୍ରଦାନ କରିଥିବା କହିଛନ୍ତି କ୍ଷେତ୍ରବାସୀ। ଉଭୟ ଦମ୍ପତି ହାଇଦ୍ରାବାଦ୍‌ରେ ରହୁଥିବାବେଳେ ସ୍ତ୍ରୀଙ୍କୁ ତାଙ୍କ ଗ୍ରାମରେ ମନ୍ଦିର କରାଇଦେବାକୁ କ୍ଷେତ୍ରବାସୀ କହିଥିଲେ। ତେଣୁ ସେ ଏକ ବିଶାଳକାୟ ସନ୍ତୋଷୀ ମା’ ମନ୍ଦିର ଦକ୍ଷିଣ ଭାରତ ଶୈଳୀରେ ନିର୍ମାଣ କରିଛନ୍ତି।
କ୍ଷେତ୍ରବାସୀ ଚିକଣା ଗ୍ରାମର ବୈଜୟନ୍ତୀଙ୍କୁ ବିବାହ କରିବା ସମୟରେ ଏକ ମନ୍ଦିର ନିର୍ମାଣ କରିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୨୦୦୮ରୁ ଏହିଠାରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବାବେଳେ ଏବେ ତାହା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମନ୍ଦିରର ମୁଖଶାଳା ୪୬ଫୁଟ୍‌ ହୋଇଥିବାବେଳେ ଉଚ୍ଚତା ୬୫ ଫୁଟ୍‌ ରହିଛି। ସନ୍ତୋଷୀ ମା’ଙ୍କ ମନ୍ଦିର ସହ ଶିବ, ଗଣେଶ ଏବଂ ନବଗ୍ରହ ଏହି ମନ୍ଦିରରେ ନିର୍ମାଣ କରାଯାଇଛି। ୨୦୦୮ରେ ଏହି ମନ୍ଦିର ନିର୍ମାଣ ପାଇଁ ୩୦ ଲକ୍ଷ ଟଙ୍କା ବଜେଟ୍‌ ଥିବାବେଳେ ଦୀର୍ଘ ୧୫ ବର୍ଷ ପରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାବେଳକୁ ତାହା ବଢ଼ି ୭କୋଟି ଟଙ୍କାରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ଛି। ଆସନ୍ତା ୨୮ ତାରିଖରେ ମନ୍ଦିର ପ୍ରତିଷ୍ଠା କରାଯିବ। ପରେ ଏହା ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ଲାଗି ଉତ୍ସର୍ଗୀକୃତ ହେବ।