ସ୍ତ୍ରୀଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲେ ସ୍ବାମୀ

ପାରଳାଖେମୁଣ୍ଡ/କାଶୀନଗର,୨୫ା୫(ଡି.ଏନ୍‌.ଏ.): ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ ସାରା ଗ୍ରାମରେ। ଏହି ଗ୍ରାମର ଚନ୍ଦ୍ରଶେଖର କାର୍ଜି ଓ ତାଙ୍କ ସ୍ତ୍ରୀ ଉର୍ମିଳା ଗୁରୁବାର ସକାଳେ ଗାଁ ନିକଟରେ ଥିବା ନିଜ କାଜୁ ତୋଟାକୁ କାମ କରିବାକୁ ଯାଇଥିଲେ। ସେହି ସମୟରେ କେହି ନ ଥିବେ ଦେଖି ସ୍ବାମୀ ଚନ୍ଦ୍ରଶେଖର ଟାଙ୍ଗିଆରେ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରି ଗଣ୍ଡିରୁ ମୁଣ୍ଡ ଅଲଗା କରି ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ତେବେ ହତ୍ୟାର ପ୍ରକୃତ କାରଣ ବର୍ତ୍ତମାନ ଯାଏ ଅସ୍ପଷ୍ଟ ରହିଛି। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ଖବରପାଇ କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ବାମୀ ଚନ୍ଦ୍ରଶେଖରଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ପାରିବାରିକ କଳହ ଯୋଗୁ ଚନ୍ଦ୍ରଶେଖର ଏଭଳି ହତ୍ୟା କରିଥିବା ସନ୍ଦେହ କରିଛି ପୋଲିସ।