ସ୍ତ୍ରୀଙ୍କ ପରାଜୟ ପରେ ଥଟ୍ଟା ସହିପାରିଲେନି ସ୍ବାମୀ, ନେଲେ ଏଭଳି ନିଷ୍ପତ୍ତି…

ପଦ୍ମପୁର,୧୪।୩(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନରେ ହାରିଯିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ଦମ୍ପତି। ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଅଛନ୍ତି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ପଦ୍ମପୁର ପଞ୍ଚାୟତରେ।
ସୂଚନାଯୋଗ୍ୟ, ପଦ୍ମପୁର ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ରମାକାନ୍ତ ପରିଙ୍କ ସ୍ତ୍ରୀ ସୁମତୀ ଲଢ଼ୁଥିଲେ। ହେଲେ ସେ ହାରି ଯାଇଥିଲେ। ଏ ନେଇ ସ୍ବାମୀ-ସ୍ତ୍ରୀ ଅସନ୍ତୋଷ ଥିଲେ। ରବିବାର ବିଜୟୀ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ବିଜୟ ଶୋଭାଯାତ୍ରା ହେଉଥିଲା। ସେହି ସମୟରେ କିଛି କର୍ମୀ ରମାକାନ୍ତଙ୍କୁ ପରିହାସ କରିଥିଲେ। ଯାହାକୁ ନେଇ ଘଟଣାସ୍ଥଳରେ ପାଟିତୁଣ୍ଡ ହୋଇଥିଲା। ପରେ ରମାକାନ୍ତ ଘରକୁ ଫେରି ସ୍ତ୍ରୀ ସୁମତୀ ସହ ଏହି କଥାକୁ ନେଇ ବଚସା ହୋଇଥିଲା। ନିର୍ବାଚନରେ ହାରି ଯାଇଥିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି ରମାକାନ୍ତ କହିଥିଲେ। ପରେ ରମାକାନ୍ତ ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ। ଏହା ଦେଖି ସୁମତୀ ମଧ୍ୟ ବିଷ ପିଇ ଦେଇଥିଲେ। ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରମାକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସୁମତୀ ଗୁରୁତର ହୋଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଏହି ଘଟଣାକୁ ନେଇ ରମାକାନ୍ତଙ୍କ ବାପା ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।