ଶିକାରୀ ହେଲେ ଶିକାର

ଖମାର, ୧୫।୧୨(ଡି.ଏନ୍‌.ଏ.): ବନ୍ୟଜନ୍ତୁ ଶିକାର କରିବାକୁ ଯାଇଥିଲେ ଜଙ୍ଗଲକୁ। ଫେରିବା ବେଳେ ଅସାବଧାନତାରୁ କାନ୍ଧରେ ଝୁଲୁଥିବା ବନ୍ଧୁକରୁ ଫୁଟିଥିବା ଗୁଳି କାଖରେ ଗଳି କାନପଟେ ବାହାରି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡ଼ିଲେ ଶିକାରୀ। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ମାଲ୍ୟଗିରି ପାହାଡ଼ରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ପୁଅଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି।

ଖମାର ଥାନାଧିକାରୀ ପ୍ରଶାନ୍ତ କୁମାର ପଢ଼ିଆରୀଙ୍କ ସୂଚନା ଅନୁଯାୟୀ, ଖେମଳା ପଞ୍ଚାୟତ ରୋହିରା ନିକଟ ବଳଭଦ୍ରପୁର ଗ୍ରାମର ବଳଭଦ୍ର ଜାମୁଦା (୩୦), ବିଜୟ କାଣ୍ଡିଆନ (୩୦), ରବିଚନ୍ଦ୍ର ପୂର୍ତ୍ତି (୨୨) ଏବଂ ଚୈତନ୍ୟ ବୋଇତା (୩୨) ଦେଶୀ ବନ୍ଧୁକ ସହାୟତାରେ ବନ୍ୟପ୍ରାଣୀ ଶିକାର କରୁଥିଲେ। ସମ୍ପୃକ୍ତ ୪ଜଣ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ଆବଶ୍ୟକ ରୋଷେଇ ସରଞ୍ଜାମ ଧରି ଶିକାର କରିବାକୁ ମାଲ୍ୟଗିରି ପାହାଡ଼ ଅଭିମୁଖେ ବାହାରିଥିଲେ। ପାହାଡ଼ ଉପରେ ରୋଷେଇ କରି ଖାଇବା ପରେ ପୁନର୍ବାର ଶିକାର ସନ୍ଧାନ କରିଥିଲେ। ହେଲେ ହାତରେ ଶିକାର ନ ଲାଗିବାରୁ ସନ୍ଧ୍ୟାରେ ସମସ୍ତେ ଫେରୁଥିଲେ। ଏହି ସମୟରେ ରବିଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ିଯାଇଥିଲେ। ଫଳରେ ତାଙ୍କ ବାମ କାଖ ତଳେ ବନ୍ଧୁକ ଫୁଟି ଯାଇ ଡାହାଣ କାନ ପଟେ ବାହାରି ଯାଇଥିଲା। ଅନ୍ୟ ୩ ଜଣ ସାଥୀ ତାଙ୍କୁ ପାହାଡ଼ ତଳକୁ ଆଣିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ପରେ ରବିଙ୍କ ଘରେ ସୂଚନା ଦେବାକୁ ବିଜୟଙ୍କୁ ପଠାଇଥିଲେ। ବିଜୟ ଘରେ ପହଞ୍ଚତ୍ ସମସ୍ତ ଘଟଣା ବିଷୟରେ କହିଥିଲେ ଏବଂ ଗିରଫ ଭୟରେ ନିଜ ବନ୍ଧୁକ ନେଇ ସେଠାରୁ ଫେରାର ହୋଇଯାଇଥିଲେ। ରାତି ପ୍ରାୟ ୧୨ଟାରେ ପରିବାର ଲୋକେ ପହଞ୍ଚତ୍ବା ବେଳକୁ ରବିଙ୍କ ମୃତ୍ୟୁ ହୋଇଯାଇଥିଲା। ରାତି ୩ଟାରେ ଖମାର ଥାନାକୁ ପରିବାର ଲୋକେ ଅବଗତ କରାଇବା ପରେ ପୋଲିସ ଭୋର୍‌ରେ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଚୈତନ୍ୟ, ବଳଭଦ୍ରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଥିବାବେଳେ ଅନ୍ୟ ଏକ ବନ୍ଧୁକ ମିଳିନାହିଁ। ଘଟଣାର ତଦନ୍ତ କରାଯାଉଥିବା ଥାନାଧିକାରୀ ପଢିଆରୀ କହିଛନ୍ତି। ମୃତ ରବିଙ୍କ ବାପା ପାଟଣା ପୂର୍ତ୍ତି (୫୫) କହିଛନ୍ତି, ଏକ ବିବାହ କାର୍ଯ୍ୟକ୍ରମ ଥିବାରୁ ସେ ପୁଅକୁ ଶିକାର କରି ଯିବା ପାଇଁ ବାରଣ କରିଥିଲେ। ତେବେ ଅନ୍ୟ ୩ଜଣ ବାଧ୍ୟ କରିବାରୁ ସେ ସେମାନଙ୍କ ସହ ଯାଇଥିଲେ। ପୁଅ ପାଖରେ ବନ୍ଧୁକ ନ ଥିଲା। ତେଣୁ ଅନ୍ୟ ୩ଜଣ ତାଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି।