୨୦୨୨ ସୁଦ୍ଧା ସରିବ ହକି ଷ୍ଟାଡିୟମ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ୨୦୨୨ ମଧ୍ୟଭାଗ ସୁଦ୍ଧା ରାଉରକେଲା ହକି ଷ୍ଟାଡିୟମ ନିର୍ମାଣ ଶେଷ ହେବ। ରାଉରକେଲାରେ ଏକ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଡିସେମ୍ବରରେ ଘୋଷଣା କରିଥିଲେ। ଏହି ନୂଆ ଷ୍ଟାଡିୟମରେ ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଆୟୋଜନ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ହେବ। ଏଥିରେ ଏକା ସାଙ୍ଗରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି. କେ. ପାଣ୍ଡିଆନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲକ୍ରୀଷ୍ଣା ଏହି ପ୍ରସ୍ତାବିତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳି ଓ ଦର୍ଶକଙ୍କୁ ଯେପରି ବିଶ୍ୱସ୍ତରୀୟ ଅନୁଭୂତି ପ୍ରଦାନ କରିପାରିବ ତାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତ କରାଯାଉଛି। ବିଶ୍ୱର ଅତ୍ୟାଧୁନିକ ଏବଂ ସମନ୍ବିତ ହକି ଷ୍ଟାଡିୟମ ଭାବେ ଏହାକୁ ଗଢିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ମୁଖ୍ୟ ପିଚ୍‌ ସହିତ ଫ୍ଲଡ୍‌ ଲାଇଟ, ଅଭ୍ୟାସ ପିଚ୍‌, ଜିମ୍‌, ହାଇଡ୍ରୋଥେରାପି, ମିଡିଆ କେନ୍ଦ୍ର, ବେତାର କେନ୍ଦ୍ର ସହିତ ପାର୍କିଂ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା ରହିବ।
ସୁନ୍ଦରଗଡ଼ ଜିଲା ହକି ଖେଳାଳିଙ୍କ ପାଇଁ ପ୍ରସିଦ୍ଧ । ଭାରତୀୟ ହକିକୁ ସୁନ୍ଦରଗଡ଼ର ମହାନ୍‌ ଅବଦାନ ପ୍ରତି ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଷ୍ଟାଡିୟମ ରାଉରକେଲା ତଥା ସୁନ୍ଦରଗଡ଼ ଜିଲାର ଏକ ପ୍ରମୁଖ ସ୍ଥାନରେ ପରିଣତ ହେବ। ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଏହି ପ୍ରକଳ୍ପ ସମ୍ପର୍କରେ କ୍ରୀଡା ବିଭାଗର ସ୍ବତନ୍ତ୍ର ସଚିବଙ୍କ ସହ ଆଲୋଚନା କରିଥିଲେ। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରାଯିବ।