ହେପାଟାଇଟିସ୍‌ ‘ସି’ର ଇତିବୃତ୍ତ

କିଏ ପାଇଛନ୍ତି : ୨୦୨୦ ମସିହାର ଶରୀର ବିଜ୍ଞାନ, ଭେଷଜ ବିଜ୍ଞାନ କିମ୍ବା ଚିକିତ୍ସା ବିଜ୍ଞାନ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ତିନି ଜଣ ଭୂତାଣୁ ବିଜ୍ଞାନୀ। ଏମାନେ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭେ ଜେ. ଅଲଟର, ଚାର୍ଲସ ଏମ. ରାଇସ୍‌ ଏବଂ ବ୍ରିଟେନ୍‌ର ମାଇକେଲ ହଫଟନ୍‌। ହେପାଟାଇଟିସ୍‌ ‘ସି’ ଭାଇରସ ବା ଯକୃତ ପ୍ରଦାହ ‘ସି’ ଭୂତାଣୁର ଆବିଷ୍କାର ପାଇଁ ଏହି ତିନି ଜଣ ବିଜ୍ଞାନୀଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପାଇଁ ଚୟନ କରାଯାଇଛି। ସଂପ୍ରତି ପ୍ରଫେସର ଅଲଟର ଅଛନ୍ତି ଆମେରିକାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହେଲ୍‌ଥର ଡିପାର୍ଟମେଣ୍ଟ ଅଫ ଟ୍ରାନ୍ସଫ୍ୟୁଜନ ମେଡିସିନ୍‌ରେ। ପ୍ରଫେସର ରାଇସ୍‌ ଗବେଷଣାରତ ରକ୍‌ଫେଲର ୟୁନିଭର୍ସିଟିରେ। ପ୍ରଫେସର ହଫଟନ୍‌ ରହିଛନ୍ତି କାନାଡାର ଆଲବର୍ଟା ୟୁନିଭର୍ସିଟିରେ ଲି କା ସିଙ୍ଗ ପ୍ରଫେସର ତଥା ଡାଇରେକ୍ଟର। ଏହି ତିନି ବୈଜ୍ଞାନିକଙ୍କୁ ମୋଟ ୧,୧୦୦,୦୦୦ ଡଲାର ପରିମାଣର ଅର୍ଥ ସମେତ ପ୍ରତ୍ୟେକଙ୍କୁ ପ୍ରଦତ୍ତ ହେବ ସ୍ବର୍ଣ୍ଣ ପଦକ ଓ ପୁରସ୍କାର ପ୍ରାପ୍ତିର ପ୍ରମାଣପତ୍ର। ପ୍ରତିବର୍ଷ ଡିସେମ୍ବର ୧୦ରେ ପାଳିତ ହେଉଥିବା ‘ନୋବେଲ ଦିବସ’ ଅବସରରେ ଏହି ନୋବେଲ ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ମାତ୍ର ଚଳିତବର୍ଷ କରୋନା ମହାମାରୀ ଯୋଗୁ ପୁରସ୍କାର ପ୍ରଦାନ କରାଯିବ ବିଜେତାମାନଙ୍କର ନିଜ ନିଜ ରାଷ୍ଟ୍ରରେ।
କାହିଁକି ପାଇଛନ୍ତି : ହେପାଟାଇଟିସ୍‌ ‘ସି’ ଭାଇରସ ବା ଯକୃତ ପ୍ରଦାହ ‘ସି’ ଭୂତାଣୁର ଆବିଷ୍କାର ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିଛି। ସେମାନଙ୍କର ଏହି ଆବିଷ୍କାର ଫଳରେ ହେପାଟାଇଟିସ୍‌ ‘ସି’ ସଂକ୍ରମଣର ନିର୍ଣ୍ଣୟ ପାଇଁ ରକ୍ତ ପରୀକ୍ଷା ସମ୍ଭବ ହୋଇଛି ଓ ନୂତନ ଔଷଧ ଉଦ୍‌ଭାବିତ ହୋଇ ସମ୍ଭବ ହୋଇଛି ଏହି ରୋଗର ଆରୋଗ୍ୟ।
ଆବିଷ୍କାର ସମ୍ଭବ ହେଲା କିପରି : ଯକୃତ ବା ଲିଭରରେ ପ୍ରଦାହ ହେଲେ ତାକୁ ହେପାଟାଇଟିସ୍‌ ବା ଯକୃତ ପ୍ରଦାହ ବୋଲି କୁହାଯାଏ। ହେପାଟାଇଟିସ୍‌ ହେବାର ରହିଛି ଅନେକ କାରଣ। ମାତ୍ର ଏହା ମୁଖ୍ୟତଃ ହୋଇଥାଏ ଭୂତାଣୁ ବା ଭାଇରସ ସଂକ୍ରମଣ ଯୋଗୁଁ। ସେଥିପାଇଁ ଏହାକୁ ‘ଭାଇରାଲ ହେପାଟାଇଟିସ୍‌’ ବୋଲି କହନ୍ତି। ରୋଗ ଜାତ କରୁଥିବା ଭାଇରସ ଭେଦରେ ଏହା ବିଭିନ୍ନ ପ୍ରକାରର, ଯଥା-ହେପାଟାଇଟିସ୍‌-ଏ, ବି, ସି, ଡି, ଇ ଏବଂ ଜି। ୧୯୪୦ ଦଶକରେ ଜଣାପଡିଥିଲା ଯେ ଭାଇରାଲ ହେପାଟାଇଟିସ୍‌ ଦୁଇ ପ୍ରକାରର-ହେପାଟାଇଟିସ୍‌-ଏ ଏବଂ ହେପାଟାଇଟିସ ‘ବି’। ହେପାଟାଇଟିସ ‘ଏ’ ଖାଦ୍ୟ ଓ ଜଳ ମାଧ୍ୟମରେ ସଂରଚିତ ହେଉଥିବା ବେଳେ ହେପାଟାଇଟିସ୍‌ ‘ବି’ ଭାଇରସ ସଂରଚିତ ହୋଇଥାଏ ମୁ୍‌ଖ୍ୟତଃ ରକ୍ତ ମାଧ୍ୟମରେ। ହେପାଟାଇଟିସ୍‌ ‘ବି’ ସଂକ୍ରମଣ ଅତି ମାରାତ୍ମକ। କାରଣ ଏହା ଦୀର୍ଘକାଳିକ ହୋଇ ଯକୃତର ସିରୋସିସ୍‌ ଓ କ୍ୟାନ୍‌ସର କରାଇପାରେ। ଏହି ଭାଇରସଟି ସୁସ୍ଥ ବ୍ୟକ୍ତିକୁ ନୀରବରେ ସଂକ୍ରମଣ କରି ବହୁବର୍ଷର ବ୍ୟବଧାନ ପରେ ଜାତ କରିଥାଏ ଗୁରୁତର ଜଟିଳତା। ୧୯୬୦ ଦଶକରେ ବାରୁଚ୍‌ ବ୍ଲୁମବ୍ରଗ ହେପାଟାଇଟିସ୍‌ ‘ବି’ ଭାଇରସର ଆବିଷ୍କାର କରି ୧୯୭୬ରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଲାଭ କରିଥିଲେ। ଏହାର ନିର୍ଣ୍ଣୟ ପଦ୍ଧତି ଜଣା ଏବଂ ଏହାକୁ ନିବାରଣ କରିବାର ପ୍ରତିଷେଧକ ଟିକା ମଧ୍ୟ ଉପଲବ୍ଧ।
ହାର୍ଭେ ଅଲଟର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହେଲଥ୍‌ରେ ରହି ରକ୍ତ ନେଇସାରି ହେପାଟାଇଟିସ୍‌ରେ ଆକ୍ରାନ୍ତ ହୋଇପଡିଥିବା ରୋଗୀମାନଙ୍କ ଉପରେ ଗବେଷଣା କରିଥିଲେ। ସେ ଓ ତାଙ୍କର ସହ-ଗବେଷକମାନେ ଲକ୍ଷ୍ୟ କଲେ ଯେ ଏହି ରୋଗୀମାନଙ୍କଠାରୁ ରକ୍ତ ନେଇ ସିପାଞ୍ଜିଙ୍କୁ ଇଞ୍ଜେକସନ ଦେଇଦେଲେ ସିପାଞ୍ଜିମାନେ ହେପାଟାଇଟିସ୍‌ରେ ଆକ୍ରାନ୍ତ ହୋଇପଡୁଛନ୍ତି। ସେମାନେ ସନ୍ଦେହ କରୁଥିଲେ, ରୋଗୀଟି ହେପାଟାଇଟିସ୍‌ ‘ଏ’ ନୁହେଁ କି ‘ବି’ ନୁହେଁ। ତେଣୁ ସେମାନେ ଏହାକୁ ‘ନନ୍‌-ଏ’ ଏବଂ ନନ୍‌-ବି’ ହେପାଟାଇଟିସ୍‌ ବୋଲି କହିଲେ।
ମାଇକେଲ ହଫଟନ ସେତେବେଳେ ଗବେଷଣା କରୁଥାଆନ୍ତି ଚିରନ୍‌ ଫାର୍ମାସିଉଟିକାଲ ଫାର୍ମରେ। ସେ ଓ ତାଙ୍କର ସହକର୍ମୀମାନେ ଗୋଟିଏ ସଂକ୍ରମିତ ସିମ୍ପାଞ୍ଜି ରକ୍ତରୁ ଡିଏନଏ ଖଣ୍ଡମାନ ସଂଗ୍ରହ କରି ଚିନ୍ତା କଲେ ଯେ ଉକ୍ତ ଖଣ୍ଡମାନ ହୁଏତ ସେହି ଅଜଣା ଭାଇରସଠାରୁ ଆସିଥିବ। ବିଭିନ୍ନ ଜଟିଳ ପଦ୍ଧତି ଅବଲମ୍ବନ କରି ହଫଟନ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ସେହି ଅଜଣା ଭାଇରସ୍‌ଟି ହେଉଛି ଏକ ଆରଏନଏ ଭାଇରସ। ସେ ଏହାକୁ ହେପାଟାଇଟିସ୍‌ ‘ସି’ ଭାଇରସ ଭାବରେ ନାମକରଣ କଲେ।
ହେପାଟାଇଟିସ୍‌ ‘ସି’ ଭାଇରସଟି ସିନା ଆବିଷ୍କୃତ ହୋଇଗଲା, ହେଲେ ପ୍ରଶ୍ନ ଉଠିଲା, ସେହି ଭାଇରସ୍‌ଟି ହିଁ କେବଳ ହେପାଟାଇଟିସ୍‌ କରିବା ପାଇଁ ଦାୟୀ ? ଚାର୍ଲସ ରାଇସ୍‌ ସେତେବେଳେ ଗବେଷଣା କରୁଥିଲେ ଆମେରିକାର ସେଣ୍ଟ ଲୁଇସ୍‌ସ୍ଥିତ ଓ୍ବାଶିଂଟନ୍‌ ୟୁନିଭର୍ସିଟିରେ। ସେ ଓ ତାଙ୍କର ସହକର୍ମୀମାନେ ଜେନେଟିକ୍‌ ଇଞ୍ଜିନିୟରିଂ ପଦ୍ଧତିରେ ହେପାଟାଇଟିସ୍‌ ‘ସି’ ଭାଇରସର ଏକ ଅବିକଳ ନକଲ ବା କ୍ଲୋନ୍‌ ସଂଶ୍ଳେଷଣ କଲେ। ସେହି କ୍ଲୋନକୁ ସିମ୍ପାଞ୍ଜିର ଯକୃତରେ ଇଞ୍ଜେକସନ ଦେଇ ଦେବା ପରେ ସିମ୍ପାଞ୍ଜିର ରକ୍ତରେ ଭାଇରସର ସନ୍ଧାନ ମିଳିଗଲା। ହେପାଟାଇଟିସ୍‌ ‘ସି’ ଦ୍ୱାରା ସଂକ୍ରମିତ ରୋଗୀଙ୍କଠାରେ ଯେଉଁଭଳି ଲକ୍ଷଣମାନ ପ୍ରକାଶ ପାଇଥାଏ, ଠିକ୍‌ ସେହିଭଳି ଲକ୍ଷଣମାନ ପ୍ରକାଶ ପାଇଲା ସଂକ୍ରମିତ ସିମ୍ପାଞ୍ଜିଙ୍କଠାରେ। ସୁତରାଂ ଏଥିରୁ ପ୍ରମାଣିତ ହୋଇଗଲା ଯେ ରକ୍ତ ନେଇଥିବା ସେହି ରୋଗୀମାନଙ୍କଠାରେ ନୂତନ ପ୍ରକାର ହେପାଟାଇଟିସ୍‌ ପ୍ରକାଶ ପାଇବାର କାରଣ ହେଉଛି ହେପାଟାଇଟିସ୍‌ ‘ସି’ ଭାଇରସର ସଂକ୍ରମଣ।
ହେପାଟାଇଟିସ୍‌ ‘ସି’ ଭାଇରସ୍‌ ଦ୍ୱାରା ସଂକ୍ରମିତ ରକ୍ତ ମାଧ୍ୟମରେ ହିଁ ଏହି ସଂକ୍ରମଣର ପ୍ରସାର ସବୁଠାରୁ ସାଧାରଣ। ହେପାଟାଇଟିସ୍‌ ‘ସି’ ଭାଇରସ ଦ୍ୱାରା ସଂକ୍ରମିତ ରକ୍ତ ଏବଂ ରକ୍ତର ଉପାଦାନ ଗ୍ରହଣ କଲେ, ଭାଇରସ ସଂକ୍ରମିତ ସିରିଞ୍ଜ ଓ ଛୁଞ୍ଚତ୍ରେ ଇଞ୍ଜେକସନ ନେଲେ, ହେପାଟାଇଟିସ୍‌ ‘ସି ଭାଇରସ ସଂକ୍ରମିତ ମାଆଠାରୁ ଜନ୍ମ ନେଇଥିଲେ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ସହ ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ ହେପାଟାଇଟିସ୍‌ ‘ସି’ ରୋଗ ଭୋଗିବାର ଆଶଙ୍କା ଅଧିକ। ସଂକ୍ରମଣ ପରେ ପରେ ଅନ୍ତତଃ ୮୦ପ୍ରତିଶତ ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ସଂକ୍ରମଣର ପ୍ରାଥମିକ ଅବସ୍ଥାରେ ରୋଗ ସହଜରେ ଧରା ପଡି ନ ଥାଏ।
ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୭କୋଟି ଲୋକ ହେପାଟାଇଟିସ୍‌ ‘ସି’ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥାନ୍ତି। ଭାରତରେ ଦୀର୍ଘକାଳୀନ ଯକୃତ ରୋଗର ୨୦-୩୦ ଶତାଂଶ ରୋଗୀଙ୍କ କ୍ଷେତ୍ରରେ ହେପାଟାଇଟିସ୍‌ ‘ସି’ ଭାଇରସ୍‌ ସଂକ୍ରମଣ ହିଁ ରୋଗ ସୃଷ୍ଟିର କାରଣ। ଭାରତରେ ହେପାଟାଇଟିସ୍‌ ‘ସି’ଭାଇରସ ରୋଗୀଙ୍କ ସଂଖ୍ୟା ପାଖାପାଖି ୧.୫କୋଟି।
ହେପାଟାଇଟିସ୍‌ ‘ସି’ ରୋଗର ଚିକିତ୍ସା ପାଇଁ ମଧ୍ୟ ଉଦ୍ଭାବିତ ହୋଇପାରିଛି ଭାଇରସ ବିରୋଧୀ ଔଷଧ। ତେଣୁ ହେପାଟାଇଟିସ୍‌ ‘ସି’ ସଂକ୍ରମିତ ରୋଗୀଙ୍କ ସମ୍ପୂର୍ଣ୍ଣ ଆରୋଗ୍ୟ କରିପାରିବା ସମ୍ଭବ। ସୁତରାଂ ଭବିଷ୍ୟତରେ ହେପାଟାଇଟିସ୍‌ ‘ସି’ ଭାଇରସ ସଂକ୍ରମଣକୁ ପୃଥିବୀରୁ ସମ୍ପୂର୍ଣ୍ଣ ଲୋପ କରିଦେବା ଆଉ ଅସମ୍ଭବ ହେବ ନାହିଁ।

ଡା. ନିତ୍ୟାନନ୍ଦ ସ୍ବାଇଁ

-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ. ୧୧୩୧,ଅଭିନବ ବିଡାନାସୀ, କଟକ
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଛତାର କଥା

ଛତା! ସେ ରୋକି ନ ପାରେ ବର୍ଷା, କିନ୍ତୁ ଭିଜିବାକୁ ବି ଦିଏନା। ସେ କମ୍‌ ନ କରି ପାରେ ସୂର୍ଯ୍ୟର ଉତ୍ତାପ ହେଲେ ପ୍ରଦାନ...

ଏହି ସମସ୍ୟା ଥିଲେ କାଜୁଠାରୁ ଦୂରେଇ ରୁହନ୍ତୁ

ନଟ୍‌ସ ବା ଡ୍ରାଏ ଫ୍ରୁଟ୍‌ସ ଆମ ଶରୀର ପାଇଁ ଲାଭଦାୟକ। ଉତ୍ତମ ସ୍ବାସ୍ଥ୍ୟ ପାଇଁ କାଜୁ ବାଦାମ, ଅଖରୋଟ ଆମେ ଖାଇଥାଉ। କାଜୁର ବ୍ୟବହାର ମିଠା...

ଏସିଡିଟିରୁ ମୁକ୍ତି ପାଇଁ ଘରୋଇ ଉପଚାର

ଏସିଡିଟି ଏକ ସାଧାରଣ ସମସ୍ୟା। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏପରି ସମସ୍ୟା ଦେଖାଦେଇଥାଏ। ଏହାର ଅନ୍ୟ କାରଣ ମଧ୍ୟ ରହିଛି। ଯେପରି...

ଡିପ୍ରେଶନ ବଢ଼ାଇ ଥାଏ ଏହି ୫ ଜିନିଷ : ଡାଏଟରେ କରନ୍ତୁ ନାହିଁ ସାମିଲ

ଧାରାବାହିକରୁ ଚଳଚ୍ଚିତ୍ର ଜଗତକୁ ଯାଇଥିବା ସୁଶାନ୍ତ ସିଂ ରାଜପୁତ ଆଉ ଦୁନିଆରେ ନାହାଁନ୍ତି। ତାଙ୍କର ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ପାଇଁ, ତାଙ୍କର ଦେହାନ୍ତ କିଛି...

ମୁହଁ ଖୋଲି କହି ନ ପାରିଲେ ବି ଝିଅଙ୍କ ଏହି ଜିନିଷକୁ ବହୁତ ପସନ୍ଦ କରନ୍ତି ପୁଅ

ପୁରୁଷମାନେ ମନଖୋଲି ସବୁକଥା କୁହନ୍ତି ନାହିଁ। ମାତ୍ର ମହିଳାମାନେ ସେମାନଙ୍କ କଥା ସହଜରେ କହି ଦେଇଥାନ୍ତି। ସେମାନେ ସହଜରେ କୁହନ୍ତି ଯେ, ସେମାନଙ୍କର ମନରେ କ’ଣ...

କାର୍ଡିଗାନ୍‌ ଫ୍ୟାଶନ୍‌

କାର୍ଡିଗାନ୍‌ ଏକପ୍ରକାର ସ୍ବେଟର୍‌, ଯାହାର ଲୁକ୍‌ ପ୍ରାୟତଃ ଜ୍ୟାକେଟ୍‌ ପରି। କିଛି କାର୍ଡିଗାନ୍‌ର ଫ୍ରଣ୍ଟରେ ବଟନ୍‌ ଥାଏ ତ କିଛି ଥାଏ ସମ୍ପୂର୍ଣ୍ଣ ଓପନ୍‌। ବିଭିନ୍ନ...

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଅଲୁଭା

କେରଳର କୋଚିସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅଲୁଭା। ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ହେଉଥିବା ପ୍ରସିଦ୍ଧ ପେରିୟାର୍‌ ନାମକ ନଦୀଠାରୁ ଏହା ପ୍ରାୟ ୧୫ କି.ମି...

ପର୍ଯ୍ୟଟନର ପେଣ୍ଠସ୍ଥଳ ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶ ଭାରତର ଏମିତି ଏକ ରାଜ୍ୟ, ଯେଉଁଠାରେ ପର୍ଯ୍ୟଟକ ଅନେକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର, ଦୁର୍ଗ, ସଂଗ୍ରହାଳୟ, ମଠ, ମନ୍ଦିର ଆଦି ଦେଖିବାକୁ ପାଇପାରିବେ।...

Advertisement
Archives

Model This Week