ହାଇକୋର୍ଟ ରେକର୍ଡ ରୁମ୍‌ରେ ୨ ଶହ ବର୍ଷର ନଥି

କଟକ ଅଫିସ,୫ା୧୨: ଓଡ଼ିଶା ହାଇକୋର୍ଟର ରେକର୍ଡ ରୁମ୍‌ରେ ରହିଛି ୧୮୧୭ ମସିହାର ରେକର୍ଡ ଅର୍ଥାତ୍‌ ୨ ଶହ ବର୍ଷ ତଳର ନଥି। ବର୍ତ୍ତମାନ ସୁଦ୍ଧା କ୍ରିମିନାଲ ଓ ସିଭିଲ୍‌ର ମୋଟ୍‌ ୧୦ ଲକ୍ଷ ୧୧ହଜାର ରେକର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ ଅବସ୍ଥାରେ ରହିଛି। ଅଦାଲତକୁ ପେପରଲେସ୍‌ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେବା ପରେ ହାଇକୋର୍ଟ ରେକର୍ଡ ରୁମ୍‌ରେ ଥିବା ସମସ୍ତ କାଗଜପତ୍ରକୁ ଡିଜିଟାଇଜ୍‌ କରାଯାଉଛି। ୧୯୫୦ ମସିହା ପୂର୍ବର ରେକର୍ଡଗୁଡ଼ିକୁ ସୁରକ୍ଷିତ ଭାବେ ସାଇତି ରଖାଯାଉଥିବାବେଳେ ଏହା ପରର ରେକର୍ଡକୁ ଡିଜିଟାଇଜ୍‌ କରାଯାଉଛି।
ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଚିତ୍ତରଞ୍ଜନ ଦାଶ ଶନିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ହାଇକୋର୍ଟ ସମେତ କଟକ, ବାଲେଶ୍ୱର, ସମ୍ବଲପୁର ଏବଂ ଗଞ୍ଜାମ ଜିଲାର ସମସ୍ତ ଅଦାଲତ ରେକର୍ଡଗୁଡ଼ିକୁ ଡିଜିଟାଇଜ୍‌ କରାଯାଉଛି। ଏହି କ୍ରମରେ ପିଟିଶନ କପି, ଅର୍ଡର କପି ସମେତ ମାମଲା ପରିଚାଳନା ସମ୍ପର୍କିତ ସମସ୍ତ ନଥିପତ୍ରକୁ ସଫ୍ଟ କପିର ରୂପ ଦିଆଯାଉଛି। ପୂର୍ବରୁ ରେକର୍ଡ ସାଇତି ରଖିବା ନେଇ ଯେଉଁ ସମସ୍ୟା ଦେଖା ଦେଉଥିଲା, ତାହାର ସମାଧାନ ହୋଇପାରିବ ବୋଲି ଦାଶ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରେକର୍ଡ ରୁମ୍‌ ଡିଜିଟାଇଜେଶନ ସେଣ୍ଟର ଭିତରେ ରହିଛି ମାଡ୍ରାସ ହାଇକୋର୍ଟ, ପାଟନା ହାଇକୋର୍ଟ ଏବଂ କୋଲକାତା ହାଇକୋର୍ଟର ଅନେକ ରେକର୍ଡ। ଏହାବ୍ୟତୀତ ପାର୍ସୀ ଭାଷାରେ ଲିଖିତ ଅର୍ଡର କପିକୁ ଖୁବ୍‌ ଯତ୍ନର ସହ ସାଇତି ରଖାଯାଇଛି। ରାଜ୍ୟର ସମସ୍ତ ଆଇନ ଅଦାଲତକୁ ପେପରଲେସ୍‌ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି, ଯାହା ଖୁବ୍‌ଶୀଘ୍ର ଶତ ପ୍ରତିଶତ କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି।
ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପ ସମୟରେ ରେଜିଷ୍ଟ୍ରାର(ଇନ୍ସପେକ୍ସନ) ତଥା ନୋଡାଲ ଅଫିସର(ଡିଜିଟାଇଜେଶନ) ପ୍ରଭାକର ଗାଣ୍ଠିଆ, ରେଜିଷ୍ଟ୍ରାର(ଜୁଡିସିଆଲ) ସୁମନ କୁମାର ମିଶ୍ର, ସେଣ୍ଟ୍ରାଲ ପ୍ରୋଜେକ୍ଟ କୋଅର୍ଡିନେଟର ଅନୁପମ ପାତ୍ର, ଡେପୁଟି ରେଜିଷ୍ଟ୍ରାର(ଆଡ୍‌ମିନିଷ୍ଟ୍ରେଶନ ଏବଂ ପ୍ରୋଟୋକଲ) ଦେବାଶିଷ ମହାନ୍ତି, ସ୍ପେଶାଲ ସେଲ୍‌ ଅଧିକାରୀ ଛାୟାକାନ୍ତ ଦାଶ, ଆଡିଶନାଲ କୋଅର୍ଡିନେଟର ସୁକୁମାର ମହାପାତ୍ର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର(ଆଡ୍‌ମିନିଷ୍ଟ୍ରେଶନ) ଆଶିଷ ସାହୁ ଉପସ୍ଥିତ ଥିଲେ। ସୁପରଭାଇଜିଂ ଅଫିସର ତ୍ରିଲୋଚନ ଗୁରୁ, ସିଭିଲ ରେକର୍ଡ ରୁମ୍‌ର ସୁପରିଣ୍ଟେଣ୍ଡେଣ୍ଟ ଅମିୟ କୁମାର ମହାନ୍ତି, କ୍ରିମିନାଲ ରେକର୍ଡ ରୁମ୍‌ର ସୁପରିଣ୍ଟେଣ୍ଡେଣ୍ଟ(ଇନ୍‌ଚାର୍ଜ) ଅମୂଲ୍ୟ କୁମାର ଦାସ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରେକର୍ଡ ରୁମ୍‌ ଡିଜିଟାଇଜେଶନ ସେଣ୍ଟର ବୁଲାଇ ଦେଖାଇଥିଲେ।