ଶିଶୁ ହେପାଜତ ମାମଲାରେ ହେବିୟସ୍‌ କର୍ପସ ହୋଇପାରିବ ନାହିଁ: ହାଇକୋର୍ଟ

କଟକ,୨୧ା୬:ସ୍ବାମୀଙ୍କ ଠାରୁ ଶିଶୁକୁ ହେପାଜତକୁ ନେବା ଦାବିରେ ସ୍ତ୍ରୀ କରିଥିବା ଆବେଦନ ଉପରେ ହେବିୟସ୍‌ କର୍ପସ ଇସ୍ୟୁ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆବେଦନକାରିଣୀ କୌଶଲ୍ୟା ଦାସଙ୍କ ପକ୍ଷରୁ ଦାଏର ପିଟିଶନର ଶୁଣାଣି କରି ଜଷ୍ଟିସ୍‌ ସଂଗ୍ରାମ କୁମାର ସାହୁ ଏବଂ ଏମ୍‌.ଏମ୍‌. ରମଣଙ୍କ ଖଣ୍ଡପୀଠ ଏହା କହିଛନ୍ତି। ଏନେଇ ଖଣ୍ଡପୀଠ ତେଜସ୍ବସିନୀ ଗୌଡ଼ ଏବଂ ଜଗଦୀଶ ପ୍ରସାଦ ତିଓ୍ବାରୀଙ୍କ ମଧ୍ୟରେ ହୋଇଥିବା ଅନୁରୂପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ଉଦାହରଣ ଦେଇଥିଲେ। ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ଦର୍ଶାଇଥିଲେ ଯେ, ହେବିୟସ୍‌ କର୍ପସ ପ୍ରୋସିଡିଂ ଶିଶୁର ଆଇନଗତ ହେପାଜତ ପ୍ରସଙ୍ଗକୁ ଯଥାର୍ଥ ଭାବେ ଦର୍ଶାଉନାହିଁ। ଶିଶୁର ହେପାଜତ ଆଇନଗତ ହୋଇ ନ ଥିଲେ, ମାମଲାରେ ହାଇକୋର୍ଟ ରିଟ୍‌କୁ ଗ୍ରହଣ କରିଥାନ୍ତି। ଶିଶୁର କଲ୍ୟାଣ ଓ ବିକାଶ ହେଉଛି ପ୍ରାଥମିକ। ସେଥିପାଇଁ ମହିଳାଙ୍କ ଏଭଳି ଆବେଦନକୁ ହାଇକୋର୍ଟ ଗ୍ରହଣ କରିନାହାନ୍ତି। ମାମଲାରେ ସବିଶେଷ ତଦନ୍ତ ଆବଶ୍ୟକ ଥିବା ଅଦାଲତ କହିଛନ୍ତି। ହେପାଜତ ମାମଲାରେ ଉଭୟ ସ୍ତ୍ରୀ-ସ୍ବାମୀ ସିଭିଲ୍‌ କୋର୍ଟରେ ଆବେଦନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।