କେନ୍ଦ୍ରାପଡ଼ା,୨୩ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ପାରଦ ୪୦ ଡିଗ୍ରୀ ଉପରେ ଅଛି। ମହାନଦୀ, ବାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀ ଶୁଖିଲା ପଡ଼ିଛିି। ଜନଜୀବନ ପାଇଁ ପାଣି ନାହିଁ। ଜିଲା ପ୍ରଶାସନର ଜନଶୁଣାଣି ଶିବିରରେ ଏପ୍ରକାର ଅଭିଯୋଗ ବଢ଼ିଛାଲିଛି। କେତେକ ସ୍ଥାନରେ ପାନୀୟ ଜଳ ପାଇଁ ଆନ୍ଦୋଳନ ହେଉଛି। ଉପକୂଳବର୍ତ୍ତୀ ଏହି ଜିଲାରେ ୧୭,୨୩୮ଟି ନଳକୂପ, ୩୩୧ ପାନୀୟଜଳ ପ୍ରକଳ୍ପ, ୧୮୧ ଓଭରହେଡ୍ ଟାଙ୍କି ଜିଲାବାସୀଙ୍କ ପାନୀୟଜଳ ପାଇଁ ରହିଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ତଥ୍ୟରେ ଉଲ୍ଲେଖ ଅଛି। ଏହାସତ୍ତ୍ୱେ ଜିଲାବାସୀଙ୍କ ଶୋଷ ମେଣ୍ଟୁନାହିଁ। ରାଜ୍ୟର ଏକମାତ୍ର ଜଳସଙ୍କଟ ଜିଲା ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ ଜଳଶକ୍ତି ଅଭିଯାନ ମାଧ୍ୟମରେ ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହାର ସୁଫଳ ଜିଲାବାସୀ ପାଉନାହାନ୍ତି। କେନ୍ଦ୍ର ସରକାରଙ୍କ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ଯୋଜନା ଏହି ଜିଲାରେ ଏବେ ବି ସ୍ବପ୍ନ ହୋଇ ରହିଥିବା ମତ ମିଳିଛି। ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ ପାଢ଼ୀ, ବିଭୂତି ଭୂଷଣ ରାଉତ, ପ୍ରତାପ ରଞ୍ଜନ ତ୍ରିପାଠୀ, ଦେବାଶିଷ ସାମଲ, ମନୋଜ କୁମାର ସିଂ ପ୍ରମୁଖ କହିଛନ୍ତି, ୭ ନଦୀ ପ୍ରବାହିତ ହେଉଥିବା କେନ୍ଦ୍ରାପଡ଼ା ଜିଲାରେ ପାନୀୟ ଜଳସଙ୍କଟ ଏକ ମୁଖ୍ୟ ସମସ୍ୟା। ସମୁଦ୍ର ତଟବର୍ତ୍ତୀ ଜିଲା ହୋଇଥିବାରୁ ଭୂତଳଜଳ ଲୁଣା ହୋଇଯାଇଛି। ଟାଙ୍କିଗୁଡ଼ିକ ପ୍ରାୟ ଶୁଖିଲା ରହୁଛି। ଉପାନ୍ତ ଅଞ୍ଚଳରେ ଗୋଟିଏ ନଳକୂପ ଖୋଳିଲେ ଅନୂ୍ୟନ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସେଥିରୁ ମଧ୍ୟ ଲୁଣିପାଣି ବାହାରୁଛି। ସେହିପରି ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀରୁ ଶିଳ୍ପ ଜଳ ଶୋଷୁଛି। ଫଳରେ ଜଳଧାରା ହ୍ରାସ ହୋଇଛି। ଏହାଯୋଗୁ ଭୂତଳ ଜଳ ରିଚାର୍ଜ ହେବା ସମ୍ଭାବନା କମିଛି। ଜିଲାର ଗରଦପୁର ବ୍ଲକ ଅଞ୍ଚଳର ଭୂତଳ ଜଳସ୍ତର ପାନୀୟ ଜଳ ପାଇଁ ଅନୁପଯୁକ୍ତ ବୋଲି ରାଜ୍ୟ ଓ କେନ୍ଦ୍ର ଜଳସମ୍ପଦ ବିଭାଗ ରିପୋର୍ଟରୁ ସୂଚନା ମିଳିଛି। ସେହିପରି ଆଳି, ରାଜନଗର, ରାଜକନିକା ଅଞ୍ଚଳରେ କେନାଲ ନାହିଁ। ଏଠାରେ ଭୂତଳ ଜଳ ରିଚାର୍ଜ ହୋଇପାରୁ ନ ଥିବାରୁ ପାନୀୟଜଳ ସ୍ଥିତି ମହାକାଳପଡ଼ା ବ୍ଲକ ପରି ଅଭାବ ଦେଖାଦେଇଛି। ଭୂତଳ ଜଳସ୍ତର ରିଚାର୍ଜ ପାଇଁ ୨୦୧୯ରେ ରାଜ୍ୟର ଏକମାତ୍ର କେନ୍ଦ୍ରାପଡା ଜିଲାକୁ ଜଳଶକ୍ତି ଅଭିଯାନରେ ସାମିଲ କରାଯାଇଛିି।
ଏହି ଜଳଶକ୍ତି ସଂରକ୍ଷଣ ଅଭିଯାନରେ ପ୍ରତି ନଳକୂପରେ ସକିଂ ପାଇପ୍ ପିଟ୍ ଫିଟିଂ, ବନୀକରଣ, ବର୍ଷାଜଳ ସଂରକ୍ଷଣ, ଜଳଉତ୍ସର ପୁନରୁଦ୍ଧାର ଆଦିକୁ ଗୁରୁତ୍ୱ ଦିଆଯାଇଛି। ତେବେ ଏହି ଅଭିଯାନ ଜିଲାର ପ୍ରଶାସନିକ ଅବହେଳା ଯୋଗୁ ଫେଲ୍ ମାରିଛି। ଭୂତଳ ଜଳ ରିଚାର୍ଜ ହୋଇପାରୁନାହିଁ। ଅପରପକ୍ଷରେ ୨୦୨୬ ମାର୍ଚ୍ଚ ସୁଦ୍ଧା ଜିଲାର ୨,୯୧,୧୬୦ ପରିବାରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ। ମାତ୍ର ୩୩ ହଜାର ପରିବାର ଏଥିରୁ ଉପକୃତ ହୋଇଛନ୍ତି। ପାଇପ୍ ଯୋଗେ ପାଣି ଯୋଗାଇବା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ମେଗା ଜଳପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଆରମ୍ଭ ପୂର୍ବରୁ ଜମି ଓ ପରିବେଶ ସମ୍ପର୍କରେ ତଦନ୍ତ ହୋଇନାହିଁ। ଫଳରେ ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟଜଳ ପ୍ରକଳ୍ପ ଏନ୍ଜିଟି ମାମଲାରେ ଛନ୍ଦି ହୋଇଥିଲା। ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ସେମାନେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଏଡିଏମ୍ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି, ନିକଟରେ ପାନୀୟଜଳ ଯୋଗାଣ ସମ୍ପର୍କରେ ବୈଠକ ହୋଇଥିଲା। ଗ୍ରାମାଞ୍ଚଳରେ ପାଇପ୍ ପାଣି ସଂଯୋଗ ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରକ୍ରିୟା ଜାରି ରହିଛି। ଖୁବ୍ଶୀଘ୍ର ସମସ୍ତଙ୍କ ଘରେ ପାନୀୟଜଳ ପାଇପ୍ ଯୋଗେ ପହଞ୍ଚିବ ବୋଲି ସେ ମତ ଦେଇଛନ୍ତି।