କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍‌ କୋର୍ଟରେ ହେବ ଶୁଣାଣି

ବଲାଙ୍ଗୀର ଅଫିସ, ୨୬ା୨: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଶୁଣାଣି ଖୁବ ଶୀଘ୍ର ଆରମ୍ଭ ହେବ। କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍‌ କୋର୍ଟରେ ଏହି ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରୁ ମାମଲାଟିକୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍‌ କୋର୍ଟକୁ ପ୍ରେରଣ (କମିଟ୍‌) କରାଯାଇଥିବା ଜଣାପଡିଛି। ପୋଲିସ ପକ୍ଷରୁ ଘଟଣାର ଚାର୍ଜଶିଟ୍‌ ଦାଖଲ କରାଯିବା ପରେ ଗୁରୁବାର ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ମମିତା ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀଙ୍କୁ ହାଜର କରାଯାଇଥିଲା। ଏହାପରେ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟ ମାଜିଷ୍ଟ୍ରେଟ୍‌ ମାମଲାଟିର ଚାର୍ଜସିଟ୍‌କୁ କଣ୍ଟାବାଞ୍ଜି ଦୌରାଜଜ୍‌ କୋର୍ଟକୁ ପ୍ରେରଣ କରିଛନ୍ତି। କଣ୍ଟାବାଞ୍ଜି ଦୌରାଜଜ୍‌ କୋର୍ଟରେ ଏହି ମାମଲାର ନ୍ୟାୟିକ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ଗୁରୁବାର କଣ୍ଟାବାଞ୍ଜି ଉପକାରାଗାରରୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀଙ୍କୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବା ପରେ ଉଭୟଙ୍କୁ ମାମଲାର ଚାର୍ଜଶିଟ୍‌ କପି ପ୍ରଦାନ କରାଯାଇଥିଲା।
କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଗତବର୍ଷ ଅକ୍ଟୋବର ୮ରୁ ଘରୁ ନିଖୋଜ ହୋଇଥିଲେ। ଏନେଇ ପରିବାର ଲୋକେ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଖୋଳତାଡ ପରେ ସ୍କୁଲ ପରିଚାଳାନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ଟିଟିଲାଗଡ ପୋଲିସ ବାରାକ୍‌ରେ ଅଟକ ରଖିଥିଲା। ଗତ ଅକ୍ଟୋବର ୮ ତାରିଖରେ ମମିତାଙ୍କୁ ନିଜ କାରରେ ଚାନ୍ଦୋତରା ଛକରୁ ଅପହରଣ କରି ନେଇ କାର ଭିତରେ ତଣ୍ଟିଚିପି ହତ୍ୟା କରିବା ପରେ ମହାଲିଙ୍ଗସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରେ ଗାତ ଖୋଳି ପୋଡି ଦେଇ ପୋତି ଦେଇଥିବା ଜଣାପଡିଥିଲା। ଅଭିଯୁକ୍ତ ଗୋବିନ୍ଦଙ୍କୁ ଟିଟିଲାଗଡ ପୋଲିସ ବାରାକ୍‌ରେ ରଖିଥିବା ବେଳେ ଅକ୍ଟୋବର ୧୭ ତାରିଖ ରେ ପୋଲିସକୁ ଚକ୍‌ମା ଦେଇ ସେ ସେଠାରୁ ଫେରାର ହୋଇଯାଇଥିଲେ। ୧୯ ତାରିଖ ରେ ପୋଲିସ ବଙ୍ଗୋମୁଣ୍ଡା ଥାନା ବୁଢ଼ୀପଦର ଗଁାର ଏକ ଆଖୁ କିଆରିରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା। ମମିତା ହତ୍ୟାକାଣ୍ଡରେ ଗୋବିନ୍ଦଙ୍କ ସହଯୋଗୀ ରାଧେଶ୍ୟାମଙ୍କ ସମ୍ପୃକ୍ତି ଜଣାପଡିବା ପରେ ତାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା।