ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ, ରୋଗୀ ହଇରାଣ

ନିରାକାରପୁର,୧୧ା୭(ଡି.ଏନ୍‌.ଏ.): ଶ୍ରୀକ୍ଷେତ୍ର ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ତେବେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଶ୍ରଦ୍ଧାଳୁମାନେ ନୂଆ ଜଗନ୍ନାଥ ସଡ଼କରେ ନିରାକାରପୁର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଯାଇଥାନ୍ତି। କେତେଜଣ ଶ୍ରଦ୍ଧାଳୁ ରଣପୁରରୁ ପୁରୀକୁ ଯିବା ବେଳେ ରାମେଶ୍ୱର ଏବଂ ନିରାକାରପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଦୁର୍ଘଟଣାରେ ଆହତ ହୋଇ ନିରାକାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ହେଲେ ଏଠାକାର ମେଡିକାଲ ବନ୍ଦ ଥିବାରୁ ଚିକିତ୍ସିତ ହୋଇ ନ ପାରି ରୋଗୀମାନେ ହଇରାଣ ହୋଇଥିଲେ। ଅନ୍ୟପକ୍ଷରେ ସରକାରୀ ଡାକ୍ତରଖାନା ବନ୍ଦ ରହିଥିବାରୁ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଟାଙ୍ଗୀ ମେଡିକାଲ ମୁଖ୍ୟ ଚିକିତ୍ସା ଅଧିକାରୀ ଦିଲୀପ କୁମାର ମଲ୍ଲିକ କୁହନ୍ତି, ନିରାକାରପୁର ମେଡିକାଲ କ’ଣ ପାଇଁ ବନ୍ଦ ରହିଥିଲା ଜାଣିନାହିଁ। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପୁରୀ ଜିଲା କଣାସ ଡାକ୍ତରଖାନାକୁ ପଠାଇ ଦିଅନ୍ତୁ ବୋଲି ସେ କହିଥିଲେ।