ମଧ୍ୟାହ୍ନଭୋଜନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

ବାସୁଦେବପୁର,୮ା୩: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାନ୍ତିପୁର ୟୁପି ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ ସୋମବାର ନିଲମ୍ବିତ କରାଯାଇଛି। ବିଇଓଙ୍କ ଚିଠି ନଂ. ୭୪୧/୨୧ ତା୮।୩।୨୦୨୧ରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୂଚନା ଅନୁଯାୟୀ, ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ସିଧାସଳଖ ଜମାଖାତାକୁ ଯିବାର ନିୟମ ରହିଛି। ହେଲେ ପ୍ରଧାନ ଶିକ୍ଷକ ନାୟକ ନିୟମ ଉଲ୍ଲଂଘନ କରି ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ ଟଙ୍କା ପ୍ରଦାନ ବେଳେ ୨ହଜାର କାଟି ରଖିଥିଲେ। ଏ ନେଇ ଅଭିଭାବକମାନେ ଲିଖିତ ଭାବେ ବିଇଓଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ। ଗତ ୬ ତାରିଖରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏବିଇଓ କାଳୀପଦ ପ୍ରଧାନ ଘଟଣାର ତଦନ୍ତ କରି ବିଇଓ ଜଗବନ୍ଧୁ ସାହୁଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଗତ ଜୁନ ୧୬ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ରନ୍ଧାଖାଦ୍ୟ ବାବଦ ଟଙ୍କାରୁ ପ୍ରଧାନ ଶିକ୍ଷକ ନାୟକ ୨ ହଜାର ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଏନେଇ ତାଙ୍କୁ ନିଲମ୍ବନ କରାଯାଇଥିବା ଏବିଇଓ ପ୍ରଧାନ କହିଛନ୍ତି।