ସପ୍ତାହକୁ ୩ଦିନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯିବ

ଭୁବନେଶ୍ୱର, ୨୩।୧(ବ୍ୟୁରୋ) : ଏଣିକି ସପ୍ତାହରେ ୩ଦିନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯିବ। ପ୍ରତି ମଙ୍ଗଳ, ବୁଧ ଓ ଶୁକ୍ରବାର ଟିକାକରଣ ହେବ। କିନ୍ତୁ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ଅନ୍ୟ ଦିନରେ ସୁବିଧା ଅନୁଯାୟୀ ଟିକାକରଣ ହେବ। ଏ ନେଇ ଶୁକ୍ରବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ସପ୍ତାହକ ଭିତରେ ୧,୪୯,୭୬୦ କୋଭାକ୍ସିନ ଡୋଜ୍‌ ଆସିବ। ପ୍ରଥମେ ‘କୋଭାକ୍ସିନ’ ଟିକା ପ୍ରତି ରାଜଧାନୀବାସୀ ବିଶେଷ ଆଗ୍ରହ ପ୍ରକାଶ କରୁ ନ ଥିଲେ। କିନ୍ତୁ ଏବେ ଏଥିପ୍ରତି ସେମାନଙ୍କ ଆଗ୍ରହ ପ୍ରକାଶ ପାଉଛି ବୋଲି ସେ କହିଛନ୍ତି। ସେପଟେ ଶୁକ୍ରବାର ରାଜ୍ୟରେ ୧୫୨ଟି ସେସନରେ ଟିକାକରଣ ହୋଇଛି। ୧୩,୧୯୫ ଟିକାକରଣ ଲକ୍ଷ୍ୟ ଥିବାବେଳେ ୧୬,୩୮୪ଜଣ ଅର୍ଥାତ୍‌ ୧୨୪% ଟିକା ନେଇଛନ୍ତି। ଏଥିମଧ୍ୟରେ ୧୧,୮୫୫ଜଣଙ୍କୁ କୋଭିଶିଲ୍ଡ ଦିଆଯିବାର ଯୋଜନା ଥିଲା, କିନ୍ତୁ ୧୫,୨୪୭ଜଣ ଟିକା ନେଇଛନ୍ତି। ସେହିଭଳି ୧,୩୪୦ଜଣ କୋଭାକ୍ସିନ ନେବାକୁ ଥିଲାବେଳେ ୧,୧୩୭ଜଣ ଟିକା ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଆଉଜଣଙ୍କଠାରେ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି। ବରଗଡ଼ ଜିଲାର ଜଣେ ୫୯ବର୍ଷୀୟ ସ୍ବାସ୍ଥ୍ୟକର୍ମୀ ଗୁରୁବାର ଟିକା ନେଇଥିଲେ। ସେ ଲୋୟର ଲିମ୍ବସରେ ଦୁର୍ବଳତା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।