ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁ

ପୁରୀ ଅଫିସ, ୧୯ା୧୧: ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ୍‌ କାର୍ତ୍ତିକ ମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ (ଡାଳିକିଆ ବେଶ) ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଏହି ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି।
ପରମ୍ପରା ଅନୁଯାୟୀ, ପ୍ରଥମେ ଶ୍ରୀକ୍ଷେତ୍ରର ଚକ୍ରନୃସିଂହଙ୍କଠାରୁ ମହାପ୍ରଭୁଙ୍କ ପାଖକୁ ଆଜ୍ଞାମାଳ ଆସିଥିଲା। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଲକ୍ଷ୍ମୀନୃସିଂହ ବେଶ ଆରମ୍ଭ ହୋଇଥିଲା। ସେବାୟତମାନେ ରତ୍ନଭଣ୍ଡାରରୁ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାର ଆଣି ଶ୍ରୀବିଗ୍ରହମାନଙ୍କୁ ସଜ୍ଜିତ କରିଥିଲେ। ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ରଙ୍ଗବେରଙ୍ଗର ଫୁଲ ଗୁନ୍ଥି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀମସ୍ତକରେ ଲଗାଯାଇଥିଲା। ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ବର୍ଣ୍ଣକିଆ ଖଞ୍ଜାଯାଇଥିଲା। ସେହିପରି ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ସହ ପ୍ରଭୁ ବଳଭଦ୍ର ହସ୍ତରେ ହଳ ମୁଷଳ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଶଙ୍ଖ ଓ ଚକ୍ର ଧାରଣ କରିଥିଲେ। ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳ ଧୂପ ଶେଷ ହେବା ପର୍ଯ୍ୟନ୍ତ ଏହି ବେଶ ରହିଥିଲା। ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ତେବେ ପ୍ରଶାସନ ପକ୍ଷରୁ ଜାରି କଟକଣା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ତେଣୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚତ୍ତ ହେବେ।