Posted inରାଜ୍ୟ

ଓଡ଼ିଆ ଜାତିର ମହାନାୟକ

ପକ୍ଷୀମାନେ ମାଟିରେ ଚାଲନ୍ତି କମ୍‌, ଆକାଶରେ ଉଡ଼ନ୍ତି ଅଧିକ। ବିଜୁ ପଟ୍ଟନାୟକ ଥିଲେ ଏଭଳି ଏକ ବିରଳ ବ୍ୟକ୍ତିତ୍ୱ, ଯେ କି ଆକାଶରେ ଯେତିକି ଉଡ଼ୁଥିଲେ, ମାଟି ଉପରେ ବି ସେତିକି ଚାଲୁଥିଲେ। ମାଟି ଉପରେ ଦୃଢ଼ ଭାବରେ ପାଦ ଥାପି ସେ ଆକାଶ ଆଡ଼କୁ ଦୃଷ୍ଟି ପ୍ରସାରିତ କରିଥିଲେ। ମାଟି ଉପରେ ଠିଆ ହୋଇଥିବା ପ୍ରତ୍ୟେକ ଓଡ଼ିଆ ଆକାଶ ଆଡ଼କୁ ହାତ ବଢ଼େଇ ତା’ର ଈପ୍‌ସିତ ସବୁକିଛି ହାସଲ କରିପାରିବ, ଏଇ ପ୍ରତ୍ୟୟ ଟିକକ ସୃଷ୍ଟି କରିଥିଲେ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଏଇ ପ୍ରତ୍ୟୟ ହିଁ ଦୁର୍ଦ୍ଦିନରେ ଓଡ଼ିଆମାନଙ୍କୁ ବାଟ କଢ଼େଇ ନେଇଥିଲା ନୂଆ ସକାଳ ଓ ନୂଆ ସମ୍ଭାବନା ଆଡ଼କୁ ଏବଂ ସେମାନଙ୍କୁ ଦେଇଥିଲା ନୂଆ ପରିଚୟ। ବହୁ ବିଶେଷଣ ଓ ବିଭୂଷଣରେ ମଣ୍ଡିତ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ତାଙ୍କ ଆକଳନ କଲାବେଳେ ବ୍ୟକ୍ତି ଅପେକ୍ଷା ସେ ପ୍ରତିନିଧିତ୍ୱ କରୁଥିବା ଅଦମନୀୟ ଚେତନା ଓ ଅଫୁରନ୍ତ ପ୍ରାଣସତ୍ତା ହିଁ ଅଧିକ ଉଜ୍ଜ୍ୱଳ ଦିଶେ। ଲୋକପ୍ରିୟ ନେତା ଓ ମୁଖ୍ୟମନ୍ତ୍ରୀ ତ ଅନେକ ଥିଲେ, କିନ୍ତୁ ବିଜୁ ପଟ୍ଟନାୟକ ଥିଲେ ଓଡ଼ିଆ ଜାତିର ମୁକୁଟବିହୀନ ସମ୍ରାଟ୍‌ ଓ ମଉଡ଼ମଣି।
ତାଙ୍କ ଦୀର୍ଘ ରାଜନୈତିକ ଜୀବନରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବରେ ବିଜୁ ପଟ୍ଟନାୟକ କ୍ଷମତା ଭୋଗିଥିଲେ ଖୁବ୍‌ କମ୍‌ ଦିନ। କିନ୍ତୁ ସେହି ସଂକ୍ଷିପ୍ତ ସମୟକାଳ ମଧ୍ୟରେ ସେ ଶାସନ, ପ୍ରଶାସନ ଓ ଜନଜୀବନର ପ୍ରତିଟି କ୍ଷେତ୍ରରେ ଏଭଳି ଅପାର ସଫଳତା ହାସଲ କରିଥିଲେ, ଯାହାକି ତାଙ୍କ ପୂର୍ବ ଓ ପରବର୍ତ୍ତୀ ଶାସକଙ୍କ ପାଇଁ ଅଭାବନୀୟ ଥିଲା। ସେହି ସ୍ବଳ୍ପ ଶାସନକାଳରେ ତାଙ୍କ ଅଭୂତପୂର୍ବ ଅବଦାନ ପାଇଁ ଆଜି ବି ଓଡ଼ିଶା ସଗର୍ବେ ମୁଣ୍ଡ ଟେକି ଠିଆ ହୋଇଛି। ପାରାଦୀପ ବନ୍ଦର, ଏକ୍ସପ୍ରେସ ହାଇଓ୍ବେ, ନାଲ୍‌କୋର ଆଲୁମିନିୟମ ପ୍ଲାଣ୍ଟ, ସୁନାବେଡ଼ାର ହାଲ୍‌ କାରଖାନା, କୃଷି ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ରାଉରକେଲା ଇଞ୍ଜିନିୟରିଂ କଲେଜ ଯାବତୀୟ ପ୍ରତିକୂଳତା ସତ୍ତ୍ୱେ ଏସବୁ ସମ୍ଭବ ହୋଇଥିଲା କେବଳ ବିଜୁ ପଟ୍ଟନାୟକଙ୍କ ଅଦମ୍ୟ ଇଚ୍ଛାଶକ୍ତି ବଳରେ। ପାଣ୍ଠି ନ ଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ଲଢ଼େଇ କରି ବିଜୁ ପଟ୍ଟନାୟକ ଯେଉଁଭଳି ଢଙ୍ଗରେ ପାରାଦୀପରେ ବନ୍ଦର ପ୍ରତିଷ୍ଠା କରେଇଲେ, ସେ କାହାଣୀ କିମ୍ବଦନ୍ତୀରେ ପରିଣତ ହୋଇସାରିଛି। କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ବିମାନବନ୍ଦର, ବିମାନଚାଳନା କେନ୍ଦ୍ର, ଆଞ୍ଚଳିକ ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ କେହି ଭୁଲିପାରିବେ ନାହିଁ। ୧୯୯୦ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ବିଜୁ ପଟ୍ଟନାୟକ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ, ଯାହାର ସୁଫଳ ଆମେ ଆଜି ପାଉଛେ। ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ରାଜନୈତିକ ଲାଭ-କ୍ଷତି ଗଣନାରୁ ଊର୍ଦ୍ଧ୍ୱକୁ ଉଠି ଜଣେ ରାଷ୍ଟ୍ରନୀତିଜ୍ଞ ଭାବରେ ସେ ଓଡ଼ିଶାର ସାମାଜିକ ବିକାଶ, ମହିଳା ସଶକ୍ତୀକରଣ, କ୍ଷମତା ବିକେନ୍ଦ୍ରୀକରଣ ଏବଂ ସର୍ବୋପରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଯଥେଷ୍ଟ ଉଦ୍ୟମ କରିଥିଲେ। ଏହି ସମୟରେ ଜିଲା ସଂଖ୍ୟା ୧୩ରୁ ବଢ଼ି ୩୦ରେ ପହଞ୍ଚତ୍ଥିଲା, ଯାହାଫଳରେ ଓଡ଼ିଶାର ଉପାନ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ପ୍ରଶାସନିକ ସାହାଯ୍ୟ ଓ ସୁବିଧା ପହଞ୍ଚତ୍ବା ସମ୍ଭବ ହୋଇ ପାରିଥିଲା। ବିଜ୍ଞାନ, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷା ଉପରେ ପ୍ରାଧାନ୍ୟ ଦେଇ ବହୁସଂଖ୍ୟାରେ ବାଳିକା ସ୍କୁଲ ଓ ମହିଳା ମହାବିଦ୍ୟାଳୟ ଖୋଲା ଯାଇଥିଲା। ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଗଲା ଏବଂ ସବୁଠୁ ବଡ଼ ପଦକ୍ଷେପ ସ୍ବରୂପ ଓଡ଼ିଶା ଜିଲା ପରିଷଦ ଅଧିନିୟମ ବଳରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ଶତକଡ଼ା ୩୩ ଭାଗ ସ୍ଥାନ ସଂରକ୍ଷିତ ରଖାଗଲା। ଏଭଳି ବ୍ୟବସ୍ଥା ପ୍ରଚଳନ କରିବାରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଥିଲା। ଆଜି ରାଜ୍ୟର ଅର୍ଦ୍ଧାଧିକ ପଞ୍ଚାୟତର ନେତୃତ୍ୱ ନେଇ ମହିଳାମାନେ ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ବିଜୁବାବୁଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ପ୍ରମିଳା ବିଶୋୟୀଙ୍କ ଭଳି ତୃଣମୂଳ ସ୍ତରରୁ ଆସିଥିବା ମହିଳା ସଂସଦରେ ଓଡ଼ିଶାର ବଳିଷ୍ଠ ସ୍ବର ପାଲଟିଛନ୍ତି। ଓଡ଼ିଶାରେ ପଞ୍ଚାୟତି ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପୁନର୍ଗଠନ କରିବାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅନସ୍ବୀକାର୍ଯ୍ୟ।
ବିଜୁ ପଟ୍ଟନାୟକ ଶିଳ୍ପପତି ଥିଲେ। ପରେ ସେ ରାଜନୀତିକୁ ଆସିଲେ। ଲୋକମାନେ ରାଜନୀତିରେ ପାଦ ଥାପନ୍ତି ନାମ, ଅର୍ଥ, ଯଶ ଅର୍ଜନ କରିବା ପାଇଁ। ଅଥଚ ବିଜୁବାବୁ ନିଜ ବ୍ୟବସାୟ ଓ ଶିଳ୍ପରୁ ପାଉଥିବା ଅର୍ଥ ନିଃସଙ୍କୋଚରେ ରାଜନୀତି ଓ ଲୋକମାନଙ୍କ ପାଇଁ ବ୍ୟୟ କରୁଥିଲେ। ଏକଦା ଓଡ଼ିଶାରେ କଂଗ୍ରେସ ଦଳର ଦୈନନ୍ଦିନ ଖର୍ଚ୍ଚଠୁ ଆରମ୍ଭ କରି ନିର୍ବାଚନଜନିତ ସମସ୍ତ ଖର୍ଚ୍ଚ ତୁଲାଉଥିଲେ ବିଜୁବାବୁ। ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଚାହୁଁଥିବା, ଚାକିରି ଖୋଜୁଥିବା ବହୁ ଅଭାବୀ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସେ ଅଯାଚିତ ଭାବରେ ସାହାଯ୍ୟ କରୁଥିଲେ। ରାଜନୀତି ତାଙ୍କୁ ଅର୍ଥ କି ପ୍ରତିପତ୍ତି ଦେଇ ନ ଥିଲା, ବରଂ ସର୍ବସ୍ବାନ୍ତ ଓ ନିଃସ୍ବ କରିଥିଲା। ରାଜନୀତିକୁ ଆସି ସବୁକିଛି ହରେଇଥିବା ଜଣେ ବିରଳ ରାଜନେତା ଥିଲେ ବିଜୁ ପଟ୍ଟନାୟକ।
ବିଜୟାନନ୍ଦ ନାମ ଧାରଣ କରିଥିବା ଏହି ଦୁର୍ବାର ରାଜନୀତିଜ୍ଞ ବିଜୟ ଅପେକ୍ଷା ପରାଜୟ ଭୋଗିଥିଲେ ଅଧିକ। ଜିତନ୍ତୁ କି ହାରନ୍ତୁ, ବିଜୁ ପଟ୍ଟନାୟକ ସବୁବେଳେ ଲୋକମାନଙ୍କ ସହ ଥିଲେ। ପ୍ରଶାସନିକ କଳର ସାହାଯ୍ୟ ନ ନେଇ ସେ ସିଧାସିଧା ଲୋକମାନଙ୍କ ପାଖରେ ପହଞ୍ଚୁଥିଲେ। ସେମାନଙ୍କ ସୁଖଦୁଃଖରେ ଭାଗୀଦାର ହେଉଥିଲେ। ସେମାନଙ୍କର ସମସ୍ୟାକୁ ନିଜର କରି ସମାଧାନର ବାଟ ଖୋଜୁଥିଲେ। ତାଙ୍କ ଘର ଓ ହୃଦୟର ଦୁଆର ସବୁବେଳେ ସମସ୍ତଙ୍କ ପାଇଁ ସମର୍ଥକ ହୁଅନ୍ତୁ କି ବିରୋଧୀ, ଖୋଲା ରହୁଥିଲା। କେହି କେବେ ତାଙ୍କ ପାଖରୁ ଖାଲିହାତରେ ଫେରୁ ନ ଥିଲେ। ଲୋକଙ୍କ ସହ ନିରନ୍ତର ଯୋଗସୂତ୍ରରେ ବାନ୍ଧି ହୋଇ ରହିଥିଲେ ବିଜୁବାବୁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ। ସେଇଥିପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟରେ ଚକଡ଼ାଏ ଜାଗା ମାଡ଼ି ବସିଛନ୍ତି ବିଜୁବାବୁ ଆଜି ବି। ସେ କେବଳ ଜଣେ ରାଜନେତା ମାତ୍ର ନ ଥିଲେ, ସେ ଅସଲରେ ଥିଲେ ଓଡ଼ିଆ ଜନଜୀବନର ଅନନ୍ୟ ମହାନାୟକ। ୧୯୯୨ରେ ବିଜୁ ପଟ୍ଟନାୟକ ଦେଇଥିବା ବକ୍ତବ୍ୟ ପ୍ରଣିଧାନଯୋଗ୍ୟ
”ଏକବିଂଶ ଶତାବ୍ଦୀରେ ମୋ ସ୍ବପ୍ନର ଓଡ଼ିଶାରେ ତରୁଣ ତରୁଣୀମାନେ ନିଜ ସ୍ବାର୍ଥକୁ ପଛରେ ପକେଇ ରାଜ୍ୟର ସ୍ବାର୍ଥକୁ ଅଗ୍ରାଧିକାର ଦେବେ। ନିଜ ସାମର୍ଥ୍ୟ ଓ ବୁଦ୍ଧିମତ୍ତା ବଳରେ ସେମାନେ କଳିଙ୍ଗର ଗୌରବମୟ ଇତିହାସକୁ ପୁନର୍ଜୀବିତ କରିବାରେ ସକ୍ଷମ ହେବେ।“
ବିଜୁବାବୁ ଦେଖିଥିବା ଏଇ ସ୍ବପ୍ନ ଆଜି ବି ଆମକୁ ପ୍ରଚୋଦିତ କରୁଛି, ନୂଆ ଭବିଷ୍ୟତ ପାଇଁ ବାଟ ଦେଖାଉଛି।

ନେତାଜୀ ଅଭିନନ୍ଦନ

-ଆସିଷ୍ଟାଣ୍ଟ ପ୍ରଫେସର, ରାଜନୀତି ବିଜ୍ଞାନ ବିଭାଗ,
ରେଭେନ୍ସା ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri