ଗରିବ ଟଙ୍କା ହଡ଼ପ କରିବାକୁ ସରକାରଙ୍କ ପ୍ରୟାସ ଲଜ୍ଜାଜନକ: ଭାଜପା

ଭୁବନେଶ୍ୱର,୧୮।୪(ବ୍ୟୁରୋ): ସମାଜର ତଳସ୍ତରରେ ବାସ କରୁଥିବା ସବୁଠୁ ଗରିବ ଲୋକ କିଭଳି ବିକାଶର ଲାଭ ପାଇପାରିବେ ସେନେଇ କେନ୍ଦ୍ରରେ ମୋଦି ସରକାର କାର୍ଯ୍ୟରତ। ଅନ୍ତ୍ୟୋଦୟକୁ ପ୍ରାଥମିକତା ଦେଇ ଆର୍ଥିକ ଦୁର୍ବଳ ଅନଗ୍ରସର ଲୋକଙ୍କୁ ଦେଶର ଆର୍ଥିକ ଅର୍ଥନୈତିକ ବ୍ୟବସ୍ଥା ସହ ଯୋଡ଼ିହେବା ପାଇଁ ମୋଦି ସରକାର ବହୁ ସଂସ୍କାର ଆଣିଛନ୍ତି। ଏହାଦ୍ୱାରା ଗରିବ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିଛି। ହେଲେ ଯୋଜନାବଦ୍ଧ ଭାବେ ଚଞ୍ଚକତା କରି ଗରିବଙ୍କ ଟଙ୍କାକୁ ହଡପ କରିବାର ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଗରିବମାରଣ ନୀତିକୁ ସ୍ପଷ୍ଟ କରୁଛି ବୋଲି ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କରିବାରେ ଦେଶର ୪୫ କୋଟିରୁ ଅଧିକ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ପ୍ରାୟ ୧ ଲକ୍ଷ ୭୬ ହଜାର ୮୦୦ କୋଟି ଟଙ୍କା ଡିପୋଜିଟ ହୋଇଛି। ସମୁଦାୟ ଜନଧନ ଖାତାର ୫୫ ପ୍ରତିଶତ ହେଉଛନ୍ତି ମହିଳା। ଓଡ଼ିଶାରେ ୭୪ ଲକ୍ଷ ୨୦ ହଜାର ୬୬୫ ପରିବାରର(୯୯.୮୫ ପ୍ରତିଶତ) ବ୍ୟାଙ୍କ ଆକାଉଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ବାର୍ଷିକ ମାତ୍ର ୧୨ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କାର ମାଗଣା ଦୁର୍ଘଟଣା ବୀମା ସୁବିଧା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୨୮.୧୯ କୋଟି ଲୋକ ଉପକୃତ ହୋଇଛନ୍ତି। ଜନଧନ-ଆଧାର-ମୋବାଇଲକୁ ଯୋଡିବା ଫଳରେ ବ୍ୟବସ୍ଥାରେ ସ୍ବଚ୍ଛତା ଆସିଛି। ଡିବିଟି କାରଣରୁ ଆର୍ଥକ ସହାୟତା ବାଟମାରଣା ହୋଇ ନ ପାରି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି। ଗରିବ ଓ ବଞ୍ଚିତମାନଙ୍କ ଆର୍ଥିକ ସୁରକ୍ଷା ସୁନିଶ୍ଚିତ ହୋଇଛି। କେବଳ କ୍ଷମତାକୁ ଆସିବା ପାଇଁ ନୁହେଁ, ବରଂ ଗରିବଙ୍କ ପ୍ରକୃତ ବିକାଶ ପାଇଁ ଧ୍ୟାନ ଦିଅନ୍ତୁ। ରାଜ୍ୟ ସରକାର ମୋଦି ସରକାରଙ୍କ ଅର୍ଥନୈତିକ ସଂସ୍କାର ଦ୍ୱାରା କିପରି ଓଡ଼ିଶାରେ ଲୋକେ ଉପକୃତ ହେବେ ଏବଂ ଗରିବ, ଖଟିଖିଆ ଓ ମହିଳାଙ୍କ ସମୃଦ୍ଧି ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରିବାକୁ ଲେଖାଶ୍ରୀ କହିଛନ୍ତି।