ଅନୁମତି ବାତିଲ କଲେ ସରକାର

ଭୁବନେଶ୍ୱର,୨୬ା୧୧:ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ୍‌ରେ ଗତ ଅକ୍ଟୋବର ୭ ତାରିଖରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣାରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହାର ଅନୁମତି ବାତିଲ କରିଦିଆଯାଇଛି। ଏ ସଂକ୍ରାନ୍ତରେ ନଭେମ୍ବର ୧୭ରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଫିସ୍‌ ଅର୍ଡର ନଂ. ୧୭୪୦୨ ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଛି। ବିସ୍ଫୋରଣ ଘଟିବା ପରେ ଅକ୍ଟୋବର ୮ରେ ଭୁବନେଶ୍ୱରସ୍ଥିତ ଡେପୁଟି ଚିଫ୍‌ କଣ୍ଟ୍ରୋଲ ଅଫ୍‌ ଏକ୍ସପ୍ଲୋସିଭ୍‌ର ଅଧିକାରୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ଚିଠି ନଂ. P/EC/PR/1 4/160 (P45174)ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ୟୁନିଟ୍‌ ୬ ମୌଜାର ଖାତା ନଂ. ୧୧୨, ପ୍ଲଟ ନଂ. ଇ/୧ରେ ଏ.ବି. ରିଟେଲ ଆଉଟଲେଟ୍‌ ସର୍ଭିସ୍‌ ଷ୍ଟେଶନ ସ୍ଥାପନ ଲାଗି ପତ୍ରସଂଖ୍ୟା ୧୪୩୦/ ୧୮ା୬ା୧୯୭୯ରେ ଏନ୍‌ଓସି ପ୍ରଦାନ କରାଯାଇଥିଲା।
ପ୍ରକାଶ ଯେ, ଅକ୍ଟୋବର ୭ରେ ଉକ୍ତ ପେଟ୍ରୋଲ ପମ୍ପ୍‌ରେ ବିସ୍ଫୋରଣ ଘଟି ୩୦୦ ଫୁଟ୍‌ ଉଚ୍ଚର ନିଅଁା ଜଳିବା ସହ ସମ୍ପୃକ୍ତ ଅଞ୍ଚଳରେ ଭୂକମ୍ପ ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଲୋକେ ଭୟଭୀତ ହୋଇଯାଇଥିଲେ। ପେଟ୍ରୋଲ ପମ୍ପ୍‌ରେ ଥିବା ୨୫ଜଣଙ୍କ ମଧ୍ୟରୁ ୧୦ଜଣ ଆହତ ହୋଇଥିଲେ। ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ମେଡିକାଲରେ ପ୍ରାଣ ହରାଇଥିଲେ।