ସରକାରୀ ଅଫିସକୁ ମନା, ଏଥର ଇ-ଅଭିଯୋଗ ବ୍ୟବସ୍ଥା

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କରୋନା ଫଳରେ ସବୁକିଛି ଏପଟ ସେପଟ ହୋଇସାରିଛି। ବର୍ତ୍ତମାନ ସମୟରେ ସରକାରୀ କାର୍ଯ୍ୟାଳୟଗୁଡିକରେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଉପସ୍ଥିତି ମଧ୍ୟ ରହୁନାହିଁ। ଅଧାରୁ କମ୍‌ କର୍ମଚାରୀଙ୍କୁ ନେଇ ଅଫିସ କାମ ଚାଲୁଛି। ଏଭଳି ସ୍ଥିତିରେ ଗତ ମାର୍ଚ୍ଚ ୨୩ରୁ ଲକ୍‌ଡାଉନ ହେବାପର ଠାରୁ ସରକାରୀ କାର୍ଯ୍ୟାଳୟଗୁଡିକୁ ଯେପରି ଆସି ପ୍ରତ୍ୟେକ ସୋମବାର ଲୋକମାନେ ନିଜ ସମସ୍ୟା ସହିତ ବିଭିନ୍ନ ଅଭିଯୋଗ ଉପରେ ମତ ରଖିପାରୁଥିଲେ ସେସବୁ ବର୍ତ୍ତମାନ ସମୟରେ ବନ୍ଦ ହୋଇଯାଇଛି। ଏହାର ସମାଧାନ ସକାଶେ ଏବଂ ସାଧାରଣ ଲୋକମାନଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ଲାଗି ସରକାର ଡିଜିଟାଲ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଇ-ଅଭିଯୋଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି। ଲୋକଙ୍କ ଯାତାୟତ ଉପରେ ନିୟନ୍ତ୍ରଣ ଏବଂ ସାମାଜିକ ଦୂରତାର ଦୃଢ କାର୍ଯ୍ୟାନ୍ବୟନ ପରିପ୍ରେକ୍ଷୀରେ ଇ-ଅଭିଯୋଗ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବର୍ତ୍ତମାନ ସମୟରେ ଅଧିକ ଲୋକାଭିମୁଖୀ କରି ଲୋକଙ୍କ ଅଭିଯୋଗକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ ଲାଗି ସେ କହିଛନ୍ତି। ଇ-ଅଭିଯୋଗ ବ୍ୟବସ୍ଥା ଏକ ଅନ୍‌ଲାଇନ୍‌ ପ୍ଲାଟଫର୍ମ ଏବଂ ଏହାସବୁ ବିଭାଗ ସହ ସଂଯୁକ୍ତ। ଏହି ବ୍ୟବସ୍ଥା ମାଧ୍ୟମରେ ଅଭିଯୋଗକାରୀ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଜିଲାପାଳ, ରାଜସ୍ବ କମିଶନରଙ୍କୁ ଅଭିଯୋଗ ଦାଖଲ କରିପାରିବେ। ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଅଭିଯୋଗ ବାକ୍ସ ରଖାଯିବ। ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ସମ୍ପର୍କିତ ଚିଠି ଉକ୍ତ ବାକ୍ସରେ ପକାଇବେ। ସେହିଭଳି ଅଫିସ ଗେଟ୍‌ରେ ଟେଲିଫୋନ ନମ୍ବର ଲଗାଯିବ, ସେମାନେ ସେଥିରେ କଥା ହୋଇପାରିବେ। ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ସମ୍ପର୍କିତ ଅଭିଯୋଗ ସେଲ୍‌ ଗଠନ କରିବେ। ଉପଜିଲାପାଳ, ଇନ୍‌ଫରମେଟିକ୍ସ ଅଧିକାରୀ ଏବଂ ସି.ଏମ୍‌.ଡି.ଆଇ. ଷ୍ଟାଫ୍‌ ଏହି ସେଲ୍‌ ମାମଧ୍ୟରେ ଆସିଥିବା ଅନ୍‌ଲାଇନ ଓ ଅଫ୍‌ଲାଇନ ଅଭିଯୋଗର ଆଶୁ କାର୍ଯ୍ୟାନୁଷ୍ଠାନ ନେବେ। ଜିଲାପାଳଙ୍କ ଅଧୀନସ୍ଥ ସବୁ କାର୍ଯ୍ୟାଳୟରେ ସମାନ ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିଲାଗି ଜିଲାପାଳମାନେ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବେ। ଜିଲାସ୍ତରୀୟ ଅଭିଯୋଗ ସେଲ୍‌ ପ୍ରତ୍ୟେକ ଦିନ ଅଭିଯୋଗଗୁଡିକ ତନଖିକରି ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପ୍ରତି ସୋମବାର ଜିଲାପାଳମାନେ ଏହି କାର୍ଯ୍ୟ ସମ୍ପର୍କିତ ସମୀକ୍ଷା କରିବେ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଅଭିଯୋଗ ମନିଟରିଂ ସେଲ୍‌ କାର୍ଯ୍ୟ କରିବ। ପ୍ରତି ୧୫ଦିନରେ ସମସ୍ତ ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ହେବ ବୋଲି ଜଣାପଡିଛି।