କାଳିଆ ଆବେଦନ ଖୋଲାଥିବା କହି ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ସରକାର

ଭୁବନେଶ୍ୱର,୪ା୯(ବ୍ୟୁରୋ):କାଳିଆ ଯୋଜନାକୁ ନେଇ ସରକାର ରାଜ୍ୟବାସୀଙ୍କୁ ଅନେକ ମିଛ କହିଛନ୍ତି। ୨୦୧୯ ନିର୍ବାଚନ ଜିତିବା ପରଦିନ କାଳିଆ ଅର୍ଥ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। କିନ୍ତୁ ଯୋଗ୍ୟ ଚାଷୀଙ୍କୁ ଏଯାବତ୍‌ କାଳିଆ ଅର୍ଥ ପ୍ରଦାନ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଉ ଏବେ ବାହୁସ୍ଫୋଟ ମାରିବାକୁ କାଳିଆ ପାଇଁ ଆବେଦନ ଖୋଲା ଅଛି କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ସରକାର ଷଡଯନ୍ତ୍ର କରୁଥିବା ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ ଏବଂ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି।
ଉଭୟ ନେତା ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନରେ ରାଜ୍ୟ ସରକାର କାଳିଆ ଯୋଜନାରେ ୭୨ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବାର ତତ୍କାଳୀନ କୃଷିମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାର ପ୍ରଥମ କିସ୍ତିରେ ୩୧ ଲକ୍ଷ ଚାଷୀଙ୍କ ତାଲିକା ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିଥିବାବେଳେ ତାହା ବର୍ତ୍ତମାନ ଷଷ୍ଠ କିସ୍ତିରେ ୯ ଲକ୍ଷ ହିତାଧିକାରୀରେ ପହଞ୍ଚିଛି। ରାଜ୍ୟ ସରକାର କାଳିଆ ଯୋଜନାକୁ ଚଲାଇ ନ ପାରିବାରୁ ପିଏମ୍‌ କିଷାନ ନିଧି ଯୋଜନାରେ କାଳିଆ ଯୋଜନାକୁ ସାମିଲ କରିଛନ୍ତି। ପ୍ରତି କିସ୍ତିରେ ପିଏମ୍‌ କିଷାନ ନିଧି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କାହିଁକି ହ୍ରାସ ପାଉଛି। ରାଜ୍ୟବାସୀଙ୍କୁ ମନ୍ତ୍ରୀ ଓ ନେତା ମିଥ୍ୟା କହୁଛନ୍ତି। ସରକାର ୩୦ ଦିନ ଭିତରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଜୀକୃତ କରି ତୁରନ୍ତ କେନ୍ଦ୍ରକୁ ତାଲିକା ପ୍ରଦାନ କରନ୍ତୁ ବୋଲି ପୃଥ୍ବିରାଜ ଦାବି କରିଛନ୍ତି।