ସରକାର ପାଇଛନ୍ତି ୨୮ ନୂଆ ଜିଲା ପ୍ରସ୍ତାବ

ଭୁବନେଶ୍ୱର,୮।୨(ଅନିଲ ଦାସ)ବରଗଡ଼ ଜିଲାର ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଜିଲା ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲାରୁ ମଧ୍ୟ ନୂତନ ଜିଲା ଗଠନ ଦାବି ବଢ଼ିବାରେ ଲାଗିଛି। ୧୫ ଜିଲାରୁ ପଦ୍ମପୁର ସମେତ ୨୮ଟି ନୂଆ ରାଜସ୍ବ ଜିଲା ଗଠନ ପାଇଁ ଦାବିପତ୍ର ମିଳିଛି। ଭାଜପା ସଭ୍ୟ କୁସୁମ ଟେଟେ ଓ ନବଚରଣ ମାଝିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପଦ୍ମପୁର, ଧର୍ମଗଡ଼ ଓ କଣ୍ଟାବାଞ୍ଜି ସହ ୨୮ଟି ନୂଆ ଜିଲା ପାଇଁ ଦାବି ହୋଇଛି । ମୟୂରଭଞ୍ଜ ଜିଲାକୁ ଭାଙ୍ଗି ୫ଟି ଜିଲା କରିବା ପାଇଁ ଦାବି ହୋଇଛି। ସେହିପରି ଗଞ୍ଜାମ ଜିଲାକୁ ମଧ୍ୟ ଭାଙ୍ଗି ୫ଟି ଜିଲା କରିବା ପାଇଁ ଦାବି ସରକାରଙ୍କୁ ମିଳିଛି। ବାଲେଶ୍ୱରକୁ ଭାଙ୍ଗି ୪ଟି, ବଲାଙ୍ଗୀର ଜିଲାକୁ ୪, କଟକ ଓ ଅନୁଗୋଳ ଜିଲାକୁ ଭାଙ୍ଗି ୩ଟି ଲେଖାଏ ଜିଲା କରିବା ପାଇଁ ସରକାରଙ୍କ ନିକଟରେ ଦାବି ହୋଇଛି । ବରଗଡ଼ରୁ ପଦ୍ମପୁର, କଳାହାଣ୍ଡିରୁ ଧର୍ମଗଡ଼, ମୟୂରଭଞ୍ଜରୁ ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ ଏବଂ କରଞ୍ଜିଆ, ସୁନ୍ଦରଗଡ଼ରୁ ବଣାଇ, ରାଉରକେଲା, ବଲାଙ୍ଗୀରରୁ ଟିଟିଲାଗଡ଼, କଣ୍ଟାବାଞ୍ଜି, ପାଟନାଗଡ଼, ଅନୁଗୋଳରୁ ତାଳଚେର ଓ ପାଲଲହଡ଼ା ଗଡ଼ଜାତ, ଖୋର୍ଦ୍ଧାରୁ ଭୁବନେଶ୍ୱର, ଗଞ୍ଜାମରୁ ଘୁମସର, ଆସ୍କା, ବ୍ରହ୍ମପୁର ଓ ଭଞ୍ଜନଗର, କଟକରୁ ଚଣ୍ଡିଖୋଲ ଏବଂ ଆଠଗଡ଼କୁ ଜିଲା କରିବାକୁ ଦାବି ହୋଇଛି। ସେହିପରି ସମ୍ବଲପୁରରୁ କୁଚିଣ୍ଡା, କନ୍ଧମାଳରୁ ବାଲିଗୁଡ଼ା, କେନ୍ଦୁଝରରୁ ଆନନ୍ଦପୁର, ବାଲେଶ୍ୱରରୁ ନୀଳଗିରି, ସୋର ଓ ଜଳେଶ୍ୱର, ପୁରୀରୁ ନିମାପଡ଼ା ଏବଂ ରାୟଗଡ଼ା ଜିଲାରୁ ଗୁଣୁପୁରକୁ ଜିଲା ମାନ୍ୟତା ଦେବା ଲାଗି ସରକାରଙ୍କ ନିକଟକୁ ପ୍ରସ୍ତାବ ଆସିଛି।
ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ଦାବି ଉପରେ ଉପଯୁକ୍ତ ସମୟରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ନୂତନ ଜିଲା ଗଠନ କରିବା ସମ୍ବନ୍ଧୀୟ ଏକ ପିଆଇଏଲ୍‌ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ ହୋଇଛି। ବିନାନୁମତିରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ ନ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।