କରୋନାରେ ମୃତକଙ୍କ ସତ୍କାର ନେଇ ଗାଇଡଲାଇନ ଜାରି କଲେ ସରକାର

ଭୁବନେଶ୍ୱର,୨୫।୭(ବ୍ୟୁରୋ)-କୋଭିଡ-୧୯ ମୃତକଙ୍କ ଶବ ସତ୍କାରକୁ ନେଇ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସତ୍କାର ନ ହୋଇ ଶବ ବହୁ ସମୟ ଧରି ପଡି ରହୁଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। କରେନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବ ସତ୍କାରକୁ ନେଇ ଶନିବାର ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରିଛନ୍ତି । ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲାପାଳ ଓ ସମସ୍ତ ମହାନଗର ନିଗମ କମିଶନରଙ୍କୁ ଗାଇଡଲାଇନ ପାଳନ କରିବା ନେଇ ଜଣାଇ ଦିଆଯାଇଛି। ନୂତନ ଗାଇଡଲାଇନରେ କରୋନା ମୃତ ବ୍ୟକ୍ତି ଆଇସୋଲେଶନ ଓ୍ବାର୍ଡରୁ ବାହାରିବା ବେଳେ ଯଦି ସମ୍ପର୍କିତ ମୃତ ଶରୀରକୁ ଦେଖିବାକୁ ଚାହିଁବେ ତେବେ ସେମାନଙ୍କୁ ଆବଶ୍ୟକ ସତର୍କତାକ ଅବଲମ୍ବନ କରି ଦେଖିବାକୁ ସୁଯୋଗ ଦିଆଯିବ। ଶବ ସଂସ୍କାର ବେଳେ ପରିବାର ସଦସ୍ୟମାନେ ମୃତ ଶରୀରକୁ ନ ଛୁଇଁ ନିଜ ଧର୍ମ ଅନୁସାରେ ରୀତିନୀତି କରି ପାରିବେ। ସର୍ବନିମ୍ନ ଦୂରତା ରକ୍ଷା କରିବା ସହିତ ସ୍ବାସ୍ଥ୍ୟଗତ ପୂର୍ବସତର୍କତା ଅବଲମ୍ବନ କରିବେ। ହାତରେ ଗ୍ଲୋବସ ପିନ୍ଧିବା ସହିତ ସର୍ବସାଧାରଣ ସ୍ଥାନରେ ଛେପ ପକାଇ ପାରିବେ ନାହିଁ। ଶବକୁ ଛଇଁବା, ଗାଧୋଇ ଦେବା, ଚୁମା ଦେବା କିମ୍ବା କୁଣ୍ଢାଇବାକୁ ବାରଣ କରାଯାଇଛି।