ଟିକାକରଣ ପାଇଁ କମିଟି ଗଠନ କଲେ ସରକାର

ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ଖୁବ୍‌ଶୀଘ୍ର ଦେଶରେ କରୋନା ଟିକା ଉପଲବ୍ଧ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ବ୍ୟବସ୍ଥା ଯେଭଳି ସୁଗମ ହୋଇପାରିବ ସେଥିପାଇଁ ବିଭିନ୍ନ କମିଟି ଗଠନ କରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ରାଜ୍ୟ ଓ ଜିଲାସ୍ତରରେ କମିଟି ଗଠନ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ୨୧ ଜଣିଆ ରାଜ୍ୟସ୍ତରୀୟ ଟିକାକରଣ କମିଟିର ଅଧ୍ୟକ୍ଷ ରହିଛନ୍ତି। ରାଜ୍ୟ ଟିକାକରଣ ଅଧିକାରୀ ଏଥିରେ ସଦସ୍ୟ ସଚିବ ଭାବେ କାମ କରିବେ। ସେହିପରି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର, କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିବି ମେଡିକାଲର କେତେଜଣ ବିଭାଗୀୟ ମୁଖ୍ୟଙ୍କ ସହ ଅନ୍ୟ ସମ୍ବନ୍ଧିତ ବିଭାଗର ଅଧିକାରୀ ଏବଂ ବିଶେଷଜ୍ଞ ଏହି କମିଟିରେ ସଦସ୍ୟ ରହିଛନ୍ତି।