ମା’ଙ୍କ ସହ ସ୍କୁଲ ଗଲା ଝିଅ

ରଘୁନାଥପୁର,୧୪।୩ (ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ସାଦେଇପୁର ପଞ୍ଚାୟତ ଅନ୍ତର୍ଗତ ରାଉତ ନୂଆଗାଁରେ ବଳି ଭୟରେ ନାବାଳିକାଙ୍କ ସ୍କୁଲ ଯିବା ବନ୍ଦ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର ପରାମର୍ଶ ତଥା ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ପରିଡା ନାବାଳିକାଙ୍କ ପରିବାର ସଦସ୍ୟଙ୍କୁ ବୁଝାଶୁଝା କରିଛନ୍ତି। ଏହାପରେ ମା’ଙ୍କ ସହ ସମ୍ପୃକ୍ତା ନାବାଳିକା ସୋମବାର ସ୍କୁଲକୁ ପାଠ ପଢ଼ିବାକୁ ଯାଇଛନ୍ତି। ସ୍କୁଲରେ ନାବାଳିକା ଛାତ୍ରୀଙ୍କ ଉପରେ କଡ଼ା ନଜର ରଖାଯିବା ସହ ଆବଶ୍ୟକ ସ୍ଥଳେ ନେବା ଆଣିବା କ୍ଷେତ୍ରରେ ଶିକ୍ଷକମାନେ ସହଯୋଗ କରିବେ ବୋଲି ପ୍ରଧାନ ଶିକ୍ଷକ ପରିଡା ପ୍ରକାଶ କରିଛନ୍ତି। ଶନିବାର ପରିବାର ମୁଖ୍ୟ ନାରାୟଣ ପାଣି ଏ ପ୍ରସଙ୍ଗରେ ରଘୁନାଥପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା (ନଂ. ୬୮/୨୩) ରୁଜୁ କରିଛି।
ଆଇନଜୀବୀ ପ୍ରତାପ ଚନ୍ଦ୍ର ମହାପାତ୍ର ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଗତ ୨ ଦିନ ହେବ ଘଟଣାସ୍ଥଳରେ ଛାନ୍‌ଭିନ କରାଯାଇଛି। ଏଥିସହ ଜଗତ୍‌ସିଂହପୁର ପୋଲିସ ସହ ମିଶି ସମଙ୍ଗସ୍ଥିତ ମୃତ ନନ୍ଦାବ୍ରତ ନଦୀ ଶଯ୍ୟାର ପରିତ୍ୟକ୍ତ ଜଙ୍ଗଲିଆ ସ୍ଥାନରେ ତନ୍ତ୍ରପୂଜା ହେଉଥିବା ଉଇହୁଙ୍କାକୁ ଅନୁଧ୍ୟାନ କରାଯାଇଛି। ସମଙ୍ଗ ସରପଞ୍ଚ ମିନତୀ ଜେନା ମଙ୍ଗଳବାର ପ୍ରଶାସନ ସହ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ଏଏସଆଇ ପିକେ ମଲ୍ଲିକ ଏହି ମାମଲାର ତଦନ୍ତ କରୁଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖାଯାଇଛି ବୋଲି ଏସ୍‌ଆଇ ଅନିଲ କୁମାର ସାହୁ ପ୍ରକାଶ କରିଛନ୍ତି।
କିଛି ଦିନ ହେବ ଜଣେ ଅଜଣା ବ୍ୟକ୍ତି କଳା ପୋଷାକ ପିନ୍ଧି ରାତିରେ ନାରାୟଣଙ୍କ ଘର ସମ୍ମୁଖରେ ଠିଆ ହେବା ସହ ଗ୍ରୀଲ୍‌କୁ ବାଡ଼ାଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗୁପ୍ତଧନପ୍ରାପ୍ତି ଆଶାରେ ତାଙ୍କ ନାବାଳିକା ଝିଅକୁ ବଳିଦେବା ଉଦ୍ଦେଶ୍ୟରେ ଏପରି କରାଯାଉଥିବା ନେଇ ଅଭିଯୋଗରେ ଦର୍ଶାଯାଇଥିଲା। ନନ୍ଦାବ୍ରତ ନଦୀ ଶଯ୍ୟାର ପରିତ୍ୟକ୍ତ ଜଙ୍ଗଲିଆ ସ୍ଥାନରେ ଥିବା ଉଇ ହୁଙ୍କାରେ ରାତିରେ ଏନେଇ ତନ୍ତପୂଜା କରାଯାଉଥିବା ଗୁଜବ ହୋଇଥିଲା। ଭୟରେ ତାଙ୍କ ଝିଅ ଏକ ସପ୍ତାହ ହେବ ସ୍କୁଲ ଯିବା ବନ୍ଦ କରି ଦେଇଥିଲା।