ଧରମ ଭାଇ ସାଜି ୩୦ ହଜାର ଟଙ୍କା ଲୁଟିଲେ

ଭୁବନେଶ୍ୱର,୧୧।୨(ବ୍ୟୁରୋ):ରଙ୍ଗ୍‌ ନମ୍ବରରୁ ସମ୍ପର୍କ ଯୋଡ଼ିଲେ। ଧରମ ଭାଇ ହୋଇ ବିଶ୍ୱାସ ବଢ଼ାଇଲେ। ଶେଷରେ ଯୁବତୀ ଓ ତାଙ୍କ ମା’ଙ୍କୁ ଭୁବନେଶ୍ୱର ବୁଲାଇ ୩୦ ହଜାର ସହ ଏଟିଏମ୍‌ ଓ ବ୍ୟାଙ୍କ୍‌ ପାସ୍‌ବୁକ୍‌ ଆଦି ଲୁଟିନେଲେ। ଲୁଟ୍‌ର ଶିକାର ମା’ଝିଅ ବୁଧବାର ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଅଭିଯୋଗକାରିଣୀ ଯୁବତୀଙ୍କ ଘର ମୟୂରଭଞ୍ଜରେ। ଯୁବକ ଜଣକ ରଙ୍ଗ୍‌ ନମ୍ବରରେ ଯୁବତୀଙ୍କ ସହ ପ୍ରଥମେ କଥା ହୋଇଥିଲେ। ପରେ ବାରମ୍ବାର ଫୋନ୍‌ କରି ମିଠା କଥା କହି ତାଙ୍କୁ ଧରମ ଭଉଣି ସଜାଇ ଦେଇଥିଲେ। କିଛିଦିନପରେ ଉଭୟ ପରସ୍ପରକୁ ଭେଟିବାକୁ ଯୋଜନା କଲେ। ବୁଧବାର ଯୁବତୀ ତାଙ୍କ ମା’ଙ୍କ ସହ ଭୁବନେଶ୍ୱର ରାମ ମନ୍ଦିରରେ ପହଞ୍ଚତ୍ ଉକ୍ତ ଯୁବକଙ୍କ ହାତରେ ଡୋରି ବାନ୍ଧି ମିଠା ଖୁଆଇ ଧରମ ଭାଇ କରିଥିଲେ। କିନ୍ତୁ ଯୁବତୀଙ୍କ ସରଳତାର ଫାଇଦା ନେବାକୁ ଯୁବକ ଜଣକ ଯୋଜନା କରିସାରିଥିଲେ। ସେ ଯୁବତୀଙ୍କ ଆକାଉଣ୍ଟକୁ ୨ଲକ୍ଷ ଟଙ୍କା ଟ୍ରାନ୍ସଫର କରିବେ ବୋଲି କହି ସେମାନଙ୍କୁ ସ୍କୁଟିରେ ବସାଇ ବ୍ୟାଙ୍କଯିବାକୁ କହିଥିଲେ। ପରେ ସେମାନଙ୍କୁ ବିଭିନ୍ନ ଗଳିକନ୍ଦିରେ ବୁଲାଇ ସାରି କଳ୍ପନା ଛକ ନିକଟରେ ହେଲମେଟ୍‌ ଚେକିଂ ହେଉଥିବା କହି ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଏହି ସମୟରେ ଯୁବକ ଜଣକ ତାଙ୍କଠାରୁ ଭ୍ୟାନିଟ୍‌ ନେଇ ଚମ୍ପଟ ମାରିଥିଲେ। ଭ୍ୟାନିଟ୍‌ରେ ଟଙ୍କା, ଏଟିମ୍‌ କାର୍ଡ ଓ ବ୍ୟାଙ୍କ୍‌ ପାସ୍‌ବୁକ୍‌ ଥିଲା।