Categories: ଗଞ୍ଜାମ

ସରିଲା କନକ ଦୁର୍ଗାଙ୍କ ଘଟ ପରିକ୍ରମା

ବ୍ରହ୍ମପୁର ଅଫିସ,୯।୫: ବ୍ରହ୍ମପୁର ଶିଳ୍ପାଞ୍ଚଳ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ବୁଢ଼ୀ ଠାକୁରାଣୀ ଯାତ୍ରାର ଦ୍ୱାଦଶ ଦିବସ ବିତିଛି। ରବିବାର ରାତ୍ରରୁ ମା’ଙ୍କ ଘଟ ପରିକ୍ରମା ଶେଷ ହୋଇଛି। ଏହି ୧୫ ଦିନିିଆ ଯାତ୍ରା ଗତ ୨୭ ତାରିଖରୁ ଆରମ୍ଭ ହୋଇଥିଲା। ଅବଧି ମଧ୍ୟରେ ୫ ଦିନ ଘଟ ବୁଲି ନଥିଲା। ଅସ୍ଥାୟୀ ମଣ୍ଡପରେ କେବଳ ସନ୍ଧ୍ୟା ଆଳତି ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବାର ବ୍ୟବସ୍ଥା ହୋଇଥିଲା। ଅପରପକ୍ଷରେ ଯାତ୍ରା ସମାପନ ଆଉ ମାତ ୪ ଦିନ ଥିବାରୁ ଭକ୍ତଙ୍କ ଗହଳି ବଢ଼ୁଛି। କଳାକୁଞ୍ଜ ଓ ମୀନା ବଜାର ଯୋଗୁ ଆଙ୍କୁଲି ଯାତ୍ରା ଦାଣ୍ଡ ଚଳଚଞ୍ଚଳ ହୋଇଯାଇଛି। ସବୁ ସାହିରେ ରଂଗୀନ ଆଲୋକ ଝଲସୁଛି ଏବଂ ବାଦ୍ୟ ବାଜଣାରେ କମ୍ପୁଛି। ମାନସିକ ବେଶଧାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାମାରି କରୋନା ଯୋଗୁ ଗତ ଦ୍ୱି-ବାର୍ଷିକ ଯାତ୍ରା ହୋଇପାରିନଥିଲା। କଟକଣା କୋହଳ ହେବାରୁ ଚଳିତ ବର୍ଷର ଯାତ୍ରା ଧୂମଧାମରେ ହେବାରୁ ଅଞ୍ଚଳବାସୀ ଉତ୍ସାହିତ ହୋଇଯାଇଛନ୍ତି। ସବୁଠି କୋଳାହଳ ଲକ୍ଷ୍ୟ କରାଯାଇଛି। ଯାତ୍ରା ଦାଣ୍ଡରେ ବିଭିନ୍ନ ପସରା ଖୋଲିଛି ଓ ବେ ଅପରାହ୍ନରୁ ଅର୍ଦ୍ଧରାତ୍ର ଯାଏଁ ଅସମ୍ଭବ ଗହଳି ହେଉଛି।
ଆସନ୍ତା ବୁଧବାର ରାତ୍ର ମା’ କନକ ଦୁର୍ଗା ନିଜସ୍ବ ମନ୍ଦିରକୁ ବାହୁଡ଼ିବା ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଅସ୍ଥାୟୀ ମଣ୍ଡପରୁ ବାହାରି ନୂଆସାହି, କାର୍ଜୀ ସାହି, ପ୍ରଧାନ ସାହି, କାଳିଞ୍ଜି ସାହି, ଖଳା ସାହି, ସ୍କୁଲ ଛକ, ସୁଣ୍ଡି ସାହି, ରେଡ଼ିକା ସାହି, ବଡ଼ ସାହି, ଦେଉଳ ସାହି ଓ ମାଳି ସାହି ଦେଇ ମନ୍ଦିରକୁ ନିଆଯିବ। ବାହୁଡ଼ାଣି ଯାତ୍ରା ବେଳେ ସାହିବାସିନ୍ଦାମାନଙ୍କ ଦୁଆର ଆଗରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ମା’ଙ୍କୁ ବିଦାୟ ଦିଆଯିବ। ୪୦ନଂ ୱାର୍ଡ ବିଜେଡି କର୍ପୋରେଟର ଭାଗିରଥୀ ମହାରଣା ଯାତ୍ରା ପରିଚାଳନା କମିଟି ମୁଖ୍ୟ ଅଛନ୍ତି।