କୋଣାର୍କ ସୂର୍ଯ୍ୟମନ୍ଦିରରେ ହେବ ଜି-୨୦ ବୈଠକ

କୋଣାର୍କ,୨୧।୧୨(ଡି.ଏନ୍‌.ଏ.): ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆୟୋଜନ ହେବାକୁ ଯାଉଛି ଜି-୨୦ର ଶିଖର ବୈଠକ। ଏ ନେଇ ମଙ୍ଗଳବାର ପୂର୍ବାହ୍ନରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ କୋଣାର୍କ ଆସି ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ଅନୁଧ୍ୟାନ କରିଥିଲେ। କେନ୍ଦ୍ର ସଂସ୍କୃତି ବିଭାଗର ଯୁଗ୍ମ ସମ୍ପାଦକ ଲିଲି ପାଣ୍ଡିଆ, ଏଏସ୍‌ଆଇ ଏଡିଜି ଗୁରୁମିତ ସିଂହ ଚାଓ୍ବଲା, ଏଏସ୍‌ଆଇ ପୁରୀ ସର୍କଲ ସୁପରିଣ୍ଟେଣ୍ଡେଣ୍ଟ ଦିବିସିତା ବ୍ରଜସୁନ୍ଦର ଗଡ଼ନାୟକ ପ୍ରମୁଖ ଉଚ୍ଚ ପଦାଧିକାରୀ ପ୍ରଥମେ ବ୍ୟାଖ୍ୟାନ କେନ୍ଦ୍ର ଓ ପରେ ସୂର୍ଯ୍ୟମନ୍ଦିରର ବିଭିନ୍ନ ସ୍ଥାନ ବୁଲି ଦେଖି ଟିକିନିଖି ପରଖିଥିଲେ। ୨୦୨୩ ନଭେମ୍ବର ୩୦ ପର୍ଯ୍ୟନ୍ତ ବିଭିନ୍ନ ଐତିହ୍ୟ ସ୍ଥଳୀରେ ଜି-୨୦ର ୨୦୦ରୁ ଅଧିକ ବୈଠକର ଆୟୋଜନ ଭାରତର ଅଧ୍ୟକ୍ଷତାରେ ହେବ। ବସୁଧୈବ କୁଟୁମ୍ବକମ୍‌ ଏବଂ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ରହିଛି ଏହାକୁ ନେଇ ହେବ ଜି-୨୦ ବୈଠକ। ଏହି ବୈଠକରେ ୨୦ଟି ଧନୀ ରାଷ୍ଟ୍ରର ମୁଖ୍ୟ ଭାଗ ନେବେ ବୋଲି ସୂଚନା ମିଳିଛି। ତେବେ ସୂର୍ଯ୍ୟମନ୍ଦିରରେ କେବେ ଏହି ବୈଠକ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କୋଣାର୍କ ସୂର୍ଯ୍ୟମନ୍ଦିରରେ ବୈଠକ ଆୟୋଜନ ପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥା, ସୂର୍ଯ୍ୟମନ୍ଦିର ପରିସର, ଯାତାୟାତ ବ୍ୟବସ୍ଥା ଆଦି ସମସ୍ତ ଦିଗ ପ୍ରତି କିଭଳି ଧ୍ୟାନ ଦିଆଯିବ ସେନେଇ ଅନୁଧ୍ୟାନ କରି ଫେରିଥିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ। ଅନ୍ୟମାନଙ୍କ ମଧ୍ୟରେ ଏଏସ୍‌ଆଇ ଇଞ୍ଜିନିୟର ଚିତ୍ତରଞ୍ଜନ ଦାଶ, ସଂରକ୍ଷଣ ଅଧିକାରୀ ନୀରଜ ସିଂ, ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।