୫୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ

ଯୋଡ଼ା,୨।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଓ ପୌରପାଳିକା ଅଧୀନରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକରେ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ୫୬ ଛାତ୍ରୀଛାତ୍ର ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି। ଖବର ନେବାରୁ ଜଣାପଡିଛି ଯେ, ଯୋଡ଼ା ବ୍ଲକରୁ ୨୮୬ ଓ ପୌରପାଳିକାରୁ ୮୩ ଜଣ ଅଷ୍ଟମ ଶ୍ରେଣୀରୁ ନବମକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ର ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାରୁ ବଞ୍ଚିତ ହୋଇଥିଲେ। ଏ ନେଇ ଶିଶୁ ସୁରକ୍ଷା ସମିତି ଯୋଡ଼ା ଶାଖାର ଆବାହକ ନିରଞ୍ଜନ ବହିଦାର ଜିଲା ଶିକ୍ଷା ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହେବାପରେ ଯୋଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୩୧୦ ଛାତ୍ରୀଛାତ୍ର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇ ଥିବାବେଳେ ଅବଶିଷ୍ଟ ୫୬ ଛାତ୍ରୀଛାତ୍ର ଏଯାଏ କୌଣସି ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସୁଯୋଗ ପାଇ ନ ଥିବା ଅଭିଯୋଗ ହୋଇଛି। ଅଭିଭାବକ ମାନେ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡିଛନ୍ତି। ଅନ୍ୟପକ୍ଷରେ ଛାତ୍ରୀଛାତ୍ର ମାନେ ପାଠ ପଢ଼ାରୁ ମଧ୍ୟ ବଞ୍ଚିତ ହେଲେଣି । ଶିକ୍ଷା ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହୋଇଛି ।