ଅଫିସ୍‌ରେ ଟିକା ନେବେ ସମ୍ମୁଖ ଯୋଦ୍ଧା

ଭୁବନେଶ୍ୱର, ୪।୨(ବ୍ୟୁରୋ):ଏଣିକି ଅଫିସ୍‌ରେ କରୋନା ଟିକାକରଣ ହେବ। କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ନିଜ ଅଫିସରେ ଟିକା ଦିଆଯିବ। ଏଥିପାଇଁ ଅଫିସ୍‌ରେ ସ୍ବତନ୍ତ୍ର ଟିକା ରୁମ୍‌ ଖୋଲାଯାଇ ଆସନ୍ତା ୬ ତାରିଖରୁ ଏହି ଟିକାକରଣ ଆରମ୍ଭ ହେବ। ପ୍ରଥମ ଫେଜ୍‌ରେ ଗୃହ ଓ ନଗର ଉନ୍ନୟନ ବିଭାଗ, ରାଜସ୍ବ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଟିକା ଦିଆଯିବ। ୩ ସପ୍ତାହ ମଧ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୯୨ ହଜାର ଜଣଙ୍କ ଡାଟା ବେସ୍‌ ପ୍ରସ୍ତୁତ ହୋଇସାରିଛି। କାର୍ଯ୍ୟକ୍ଷେତ୍ର ସ୍ଥଳରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ଦେବାକୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଟିକାକରଣରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଛାଡ଼ି ଅନ୍ୟ ଟିକାଦାତା ବା ବିକଳ୍ପ ଟିକାକର୍ମୀଙ୍କୁ ଚିହ୍ନଟ ସହ ତୁରନ୍ତ ନିଯୁୁକ୍ତି ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଭତ୍ତା ଦେବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଟିକା ଯେପରି ଅପଚୟ ନ ହେବ, ସେଥିପାଇଁ ଆଗୁଆ ଟ୍ରେନିଂ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।
ଏପଟେ ଓଡ଼ିଶାକୁ ବୁଧବାର ଆଉ ୧,୪୬,୫୯୦ ଡୋଜ୍‌ କରୋନା ଟିକା ଆସିଛି। ସେଥିମଧ୍ୟରେ ୬୩,୦୯୦ ଡୋଜ୍‌ କୋଭିଶିଲ୍ଡ ଓ ୮୩,୫୦୦ କୋଭାକ୍ସିନ ଟିକା ରହିଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଯାଇଛି, ଯାହା ୬୨ ପ୍ରତିଶତ। ୧୦ ତାରିଖ ଭିତରେ ପ୍ରଥମ ଫେଜ୍‌ ଟିକାକରଣ ସାରିବାରୁ ଲକ୍ଷ୍ୟ ରଖାଯାଇଛି। ଫେବୃୟାରୀ ୧୫ରୁ ଦ୍ୱିତୀୟ ଫେଜ୍‌ ଡୋଜ୍‌ ଦିଆଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ପୂର୍ବରୁ ଓଡ଼ିଶାକୁ ୮ ଲକ୍ଷ ୧୧ ହଜାର ଟିକା ଯୋଗାଇ ଦେଇସାରିଛନ୍ତି।