ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ସ୍ତମ୍ଭ ଅବହେଳିତ

ଚଣ୍ଡିଖୋଲ,୧୫ା୮(ଡି.ଏନ.ଏ.): ସାରାଦେଶ ଏବେ ପାଳୁଛି ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ। ଏଥିପାଇଁ ୩ ଦିନ ଧରି ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି। ଯେଉଁମାନଙ୍କ ତ୍ୟାଗ ଓ ବଳିଦାନରେ ଦେଶ ସ୍ବାଧୀନତା ଲାଭ କରିଥିଲା ସେମାନଙ୍କୁ ସ୍ମରଣ କରିବା ପାଇଁ ଏହି ଉତ୍ସବ ପାଳନ କରାଯାଉଛି। ତେବେ ଦୁଃଖର କଥା ସେହି ସଂଗ୍ରାମୀଙ୍କୁ ପୂଜା କରିବା ପାଇଁ ନିର୍ମାଣ କରାଯାଇଥିବା ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ ସ୍ତମ୍ଭ ଏବେ ଅବହେଳିତ ଅବସ୍ଥାରେ ରହିଛି। ଏହି ସ୍ତମ୍ଭରୁ ବିଭିନ୍ନ ସ୍ଥାନରୁ ଟାଇଲ ଖସିପଡ଼ି ଖଣ୍ଡିଆ ଖାବରା ଦେଖାଯାଉଥିବା ବେଳେ ସଂଗ୍ରାମୀମାନଙ୍କ ନାମଫଳକ ସ୍ତମ୍ଭରୁ ଗଳିପଡ଼ିଲାଣି। ସୋମବାର ସ୍ବାଧୀନତା ଦିବସ ପାଳନ କରାଯିବ। ତେବେ ଏହି ସ୍ତମ୍ଭର ଫଳକଗୁଡ଼ିକ ଖସି ନ ଯିବା ପାଇଁ ରଶି ବନ୍ଧା ଯାଇ ବାଉଁଶ ଡେରା ଦିଆଯାଇଥିବା ରବିବାର ଦେଖିବାକୁ ମିଳିଛି, ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲାର ବଡ଼ଚଣା ବ୍ଲକରେ। ବଡ଼ଚଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ କରାଯାଇଛି ସ୍ବାଧୀନତା ସଂଗ୍ରାମୀ ସ୍ମାରକୀସ୍ତମ୍ଭ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମାର୍ଚ୍ଚ ୨ରେ ଲୋକାର୍ପଣ କରିଥିଲେ। ଏଥିରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଓ ରାଜ୍ୟ ସ୍ବାଧୀନତା ସଂଗ୍ରାମ ସମିତି ସଭାପତି ନୀଳମଣି ସାମଲ ଯୋଗ ଦେଇଥିଲେ।
ତେବେ ଆଶ୍ଚର୍ଯ୍ୟର କଥା ନିର୍ମାଣ ହେବାର ତିନିବର୍ଷ ପରେ ଏହି ସ୍ତମ୍ଭରୁ ଖଣ୍ଡଖଣ୍ଡ କରି ଟାଇଲ ଗଳିପଡୁଛି। ବଡ଼ଚଣାର ୮୫ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ନାମ ଓ ଗ୍ରାମ ଏହି ସ୍ତମ୍ଭରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତର ପିଢ଼ି ସଂଗ୍ରାମୀଙ୍କ ସମ୍ପର୍କରେ ଜାଣିବା ପାଇଁ ଏହି ସ୍ତମ୍ଭର ଉଦ୍ଦେଶ୍ୟ ରହିଛି। ଏଥିସହ ପ୍ରତ୍ୟେକ ବର୍ଷ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇବା ଏହାର ମୂଳ ଲକ୍ଷ୍ୟ ଥିଲା। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏହି ସ୍ତମ୍ଭ ସ୍ଥାପିତ ହୋଇଥିବା ବେଳେ ଏଠାକୁ ଦୈନିକ ଶହଶହ ରାଜନୈତିକ ବ୍ୟକ୍ତିବିଶେଷ ଓ ସରକାରୀ କର୍ମଚାରୀ ଅସିଥାନ୍ତି। ସ୍ତମ୍ଭର ଚତୁଃପାର୍ଶ୍ୱ ଗଛ ଉଠି ଜଙ୍ଗଲ ହୋଇଯାଇଛି, ଯାହାକି ଦିନେ କେହି ପରିଷ୍କାର କରିବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି। ଯଦି ଆମେ ସ୍ବାଧୀନତା ସଂଗ୍ରାମୀଙ୍କୁ ଠିକ୍‌ ଭାବେ ସମ୍ମାନ ନ ଦେଇପାରିବା ତେବେ ସ୍ମୃତିସ୍ତମ୍ଭ କରିବାର ଆବଶ୍ୟକତା ନାହଁି ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ବଡ଼ଚଣା ବିଡିଓ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ସେ କୁହନ୍ତି, ବିଧାୟକଙ୍କ ସହିତ କଥା ହୋଇଛି। ଏବେ ଏହାର ମରାମତି କାର୍ଯ୍ୟ କରାଯାଉଛି। ଆବଶ୍ୟକ ଅର୍ଥ ଆସିବା ପରେ ସମ୍ପୂର୍ଣ୍ଣ ମରାମତି କରାଯିବ।