ଭାଙ୍ଗିରୁଜି ଗଲାଣି ମୁକ୍ତାକାଶ ବ୍ୟାୟାମଶାଳା

ପଟ୍ଟାମୁଣ୍ଡାଇ,୧୪ା୪(କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇକୁ ୧୯୮୮ରେ ରାଜ୍ୟ ସରକାର ଏନ୍‌ଏସି ଓ ପରେ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ଇତିମଧ୍ୟରେ ଏହି ପୌରପରିଷଦକୁ ୩୫ବର୍ଷ ପୂରିଥିବା ବେଳେ ପୌରାଞ୍ଚଳକୁ ସୌନ୍ଦର୍ଯ୍ୟକରଣ ପାଇଁ ଅନେକ କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରାଯାଉଛି ା ହେଲେ ସରକାର ତଥା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବାରୁ ସହରର ଥିବା ସୌନ୍ଦର୍ଯ୍ୟକରଣ ମାଟିରେ ଲୋଟିବାକୁ ଲାଗିଛି ା ନୂଆକରି ହେଉଥିବା ବିଭିନ୍ନ ପ୍ରକଳ୍ପ କେଉଁଠି କାମରେ ଲାଗୁଛି ତ ଆଉ କେଉଁଠି ବ୍ୟବହାର ହେଉ ନ ଥିବା ଦେଖିବାକୁ ମିଳିଛି।
ଏଠାରେ ପୌରାଞ୍ଚଳ ୧୪ ନଂ. ୱାର୍ଡ ଅଧୀନ ଏମ୍‌ଏନ୍‌ ହାଇସ୍କୁଲ ପଡ଼ିଆ ପାର୍ଶ୍ୱରେ ହୋଇଥିବା ମୁକ୍ତାକାଶ ବ୍ୟାୟାମଶାଳାକୁ ଉଦାହରଣ ଭାବେ ନିଆଯାଇଛି ା ୨୦୨୨-୨୩ ଆର୍ଥତ୍କ ବର୍ଷ ଜୁଲାଇରେ ଶ୍ରୀରାମଚନ୍ଦ୍ର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଏହି ବ୍ୟାୟାମଶାଳା ନିର୍ମାଣ ହୋଇଛି ବୋଲି ସେଠାରେ ଲାଗିଥିବା ଫଳକରୁ ସୂଚନା ମିଳିଛି ା ଏହା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା ଅଧୀନରେ ଜନସାଧାରଣଙ୍କ ପାଇଁ କରାଯାଇଛି। ଏଥିପାଇଁ ୬ ଲକ୍ଷ ୫୦ ହଜାର ଟଙ୍କା ଲେଖା ବ୍ୟୟ ହୋଇଛି ବୋଲି ସେଠାକାର ପାଚେରୀ ଓ ଫଳକରେ ଲେଖା ଯାଇଥିବା ୩ଟି ଫଳକରୁ ଜଣାପଡିଛି ା କିନ୍ତୁ ସେହି ବ୍ୟାୟାମଶାଳା ଉପକରଣ ଅଧିକାଂଶ ଭାଙ୍ଗିରୁଜି ଯାଇଥିବା ବେଳେ ସେଠାରେ ଛୋଟମୋଟ ଗାଡ଼ି ପାର୍କିଂ କରାଯାଉଥିବା ଦେଖିବାକୁ ମିଳିଛି। ଉକ୍ତ ଉପକରଣଗୁଡ଼ିକରେ କେହି ବ୍ୟାୟାମ କରୁ ନ ଥିବା ଜଣାପଡିଛି। ଏପରି କି ବ୍ୟାୟାମ ଉପକରଣଗୁଡ଼ିକରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି ା ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରିଙ୍କୁ ପଚାରିବାରେ ଭାଙ୍ଗି ଯାଇଥିବା ଉପକରଣ ଖୁବ୍‌ଶୀଘ୍ର ମରାମତି କରାଯିବ ବୋଲି ସେ କହିଛନ୍ତି ା