ଓମିକ୍ରନ୍‌ ପରେ କରୋନା ସରୁନି, ୪ର୍ଥ ଲହର ଆସିପାରେ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଓମିକ୍ରନ ପରେ କରୋନା ଶେଷ ହେବ ନାହିଁ। ଏହାପରେ ୪ର୍ଥ ଲହର ମଧ୍ୟ ଆସିପାରେ। କିଛି ଏଭଳି ଉପାୟରେ ଲୋକଙ୍କୁ ସଚେତନ କରାଇଛନ୍ତି ରାଜ୍ୟ ସରକାର। ମଙ୍ଗଳବାର କୋଭିଡ୍‌ ସମ୍ପର୍କିତ ଖବରଦାତା ସମ୍ମିଳନୀରେ ଡା. ସମ୍ପଦ ଦାସ କହିଛନ୍ତି, ତୃତୀୟ ଲହରରେ ସବୁ ବୟସର ଲୋକ ଆକ୍ରାନ୍ତ ହେଉଛନ୍ତି। ବିଶେଷକରି ୭୦ ବର୍ଷରୁ ଅଧିକ ବୟସ୍କ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ବୟସ୍କଙ୍କ କ୍ଷେତ୍ରରେ ଓମିକ୍ରନ୍‌ର ଲକ୍ଷଣ ଅଲଗା ରହୁଥିବା ବେଳେ ଛୋଟ ପିଲା ଜ୍ୱର ଏବଂ ଝାଡ଼ାରେ ପଡ଼ୁଛନ୍ତି। ଏଣୁ ଓମିକ୍ରନ୍‌କୁ ହାଲୁକା ଭାବେ ନେବା ଅନୁଚିତ। ଏହି ରୋଗୀ ଭେଣ୍ଟିଲେଟରକୁ ମଧ୍ୟ ଯାଇପାରନ୍ତି ବୋଲି ସେ ଚେତାଇ ଦେଇଛନ୍ତି।

ଏହାଛଡ଼ା ସେ କହିଛନ୍ତି, କ୍ୱାରାଣ୍ଟାଇନ୍‌ ଅବଧି ପୂରଣ ହେବା ପରେ ଅତିକମ୍‌ରେ ୩ ଦିନ ମାସ୍କ ପିନ୍ଧନ୍ତୁ। କେମୋ ନେଉଥିବା ବ୍ୟକ୍ତି ଆକ୍ରାନ୍ତ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଫୁସ୍‌ଫୁସ୍‌ ଆକ୍ରାନ୍ତ ହେଉଥିଲେ ଏକ୍‌ମୋ ଚିକିତ୍ସା କରାଯାଇଥାଏ। ଏହା ସହଜ ନୁହେଁ। ଏହାଦ୍ୱାରା ରୋଗୀ ବଞ୍ଚିବ ତାହା ଭାବିବା ଠିକ୍‌ ନୁହେଁ। ସେହିଭଳି କରୋନା ଔଷଧ ମୋଲୁପିରାଭିର ମ୍ୟାଜିକ୍‌ ଡ୍ରଗ୍‌ ନୁହେଁ। ବିନା ଡାକ୍ତରୀ ପରାମର୍ଶରେ ଏହାକୁ ସେବନ କରନ୍ତୁ ନାହିଁ। ରୋଗୀ ଶରୀରରେ ଥିବା ଭୂତାଣୁର ଜିନ୍‌ ପରିବର୍ତ୍ତନ ହୋଇ ନୂଆ ଭାଇରସ୍‌ ସୃଷ୍ଟି କରିପାରେ। କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଔଷଧର ବ୍ୟବହାର ଲାଗି ଅନୁମତି ଦିଆଯାଇଛି।