ବନ ବିଭାଗ ରୁଜୁ କଲା ମାମଲା: ହାତୀ ମୃତ୍ୟୁର ହେବ ତଦନ୍ତ

କେନ୍ଦୁଝର,୯।୫: ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ଦେଓଗାଁ ରେଞ୍ଜ ଶଗଡ଼ପଟା ଗ୍ରାମ ନିକଟରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାତୀର ପଛ ଡାହାଣ ଗୋଡ଼ରେ ଆଘାତ ବାଜିଥିବାରୁ ହାତୀଟି ଠିଆ ହୋଇପାରୁ ନ ଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ଏହି ଘଟଣାକୁ ନେଇ ଦେଓଗାଁ ରେଞ୍ଜ ପକ୍ଷରୁ ଏକ ମାମଲା ରୁଜୁ କରି ଜଣେ ଏସିଏଫଙ୍କ ଦ୍ୱାରା ତଦନ୍ତ କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ ଅଜିତ ଶତପଥୀ କହିଛନ୍ତି। ରେଳ ଲାଇନକୁ ହାତୀ ନ ଆସିବା ପାଇଁ ଟ୍ରେଞ୍ଚ୍‌ ଖୋଳାଯାଇଛି। ଏହା ସତ୍ତ୍ୱେ ଏଭଳି ଅଘଟଣ ଘଟିଥିବାରୁ ବନ୍ୟପ୍ରାଣୀ ପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି।