ଜଳୁଛି ଜଙ୍ଗଲ

ରାଧାମୋହନ ମହାପାତ୍ର

 

କଥାରେ ଅଛି, ଘରପୋଡ଼ିଠାରୁ ବିପତ୍ତି ନାହିଁ। କିନ୍ତୁ ଘରପୋଡ଼ିଠାରୁ ଜଙ୍ଗଲ ପୋଡ଼ି ଆହୁରି ମାରାତ୍ମକ। ଘରଟିଏ ପୋଡ଼ିଗଲେ ମାସେ, ଦୁଇମାସ, ଛ’ମାସ କିମ୍ବା ବର୍ଷକ ଭିତରେ ନୂଆ ଘରଟିଏ ତିଆରି କରିହେବ। କିନ୍ତୁ ଜଙ୍ଗଲରେ ନିଆଁ ଲାଗି ଗଛ ଗୁଳ୍ମାଦି ନଷ୍ଟ ହୋଇଗଲେ, ସେମିତି ସବୁଜ ସୁନ୍ଦର ଜଙ୍ଗଲଟିଏ ସୃଷ୍ଟି କରିବା ପାଇଁ ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ଲାଗିଯାଇପାରେ। ଘରପୋଡ଼ି ବା କୋଠାବାଡ଼ି ପୋଡ଼ିକୁ ଅଗ୍ନି ନିର୍ବାପକ ସଂସ୍ଥା ଦ୍ୱାରା ଲିଭାଯାଇପାରେ। କିନ୍ତୁ ଜଙ୍ଗଲରେ ଥରେ ନିଆଁ ଲାଗିଲେ ତାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼େ, ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ହୋଇଯାଏ; ଧନ ଜୀବନ ହାନି ସହ ପଶୁପକ୍ଷୀ, କୀଟପତଙ୍ଗଙ୍କର ପ୍ରାଣହାନି ହୁଏ। ମୋଟାମୋଟି କହିବାକୁ ହେଲେ ବନାଗ୍ନି ଦ୍ୱାରା ଉଦ୍ଭିଦ ଜଗତ, ପ୍ରାଣୀ ଜଗତ, ଜୈବ ବିବିଧତା ଓ ପାରିବେଶିକ ପରିସଂସ୍ଥା ନଷ୍ଟ ହୋଇଯାଏ। ଏଇ କେତେବର୍ଷ ହେଲା ଭାରତ ସରକାରଙ୍କର ବନ ସର୍ବେକ୍ଷଣ ସଂସ୍ଥା (ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ) ‘ମୋର୍ଡିସ୍‌’ ସାଟେଲାଇଟରୁ ସିଧାସଳଖ ବିଭିନ୍ନ ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ନିକଟକୁ ଏବଂ ରେଜିଷ୍ଟ୍ରି ହୋଇଥିବା କ୍ଷେତ୍ର ୟୁନିଟର ମୋବାଇଲକୁ ଜିପିଏସ୍‌ ମାଧ୍ୟମରେ ସୂଚିତ କରାଯାଉଛି, ଜଙ୍ଗଲର କେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିଆଁ ଲାଗିଛି ଯଦ୍ଦ୍ବାରା ପ୍ରଶାସନ ଅବଗତ ହୋଇପାରୁଛି।
ସାଧାରଣତଃ ଶୀତ ଋତୁର ଶେଷଆଡ଼କୁ ଜଙ୍ଗଲରେ ବଡ଼ ବଡ଼ ଗଛରୁ ପତ୍ର ଝଡ଼ିବା ଆରମ୍ଭ କରେ ଏବଂ ଗଛମୂଳରେ ଝଡ଼ାପତ୍ର, ଶୁଖିଲା ଡାଳ ଗଦାହୋଇ ଶୁଷ୍କ ପରିବେଶ ସୃଷ୍ଟି କରେ। ବାରୁଦରେ ନିଆଁ ଲାଗିଲା ଭଳି ସାମାନ୍ୟ ଅଗ୍ନି ସ୍ଫୁଲିଙ୍ଗ ସମଗ୍ର ଜଙ୍ଗଲକୁ ଧ୍ୱଂସ ସ୍ତୂପରେ ପରିଣତ କରିଦିଏ। ସାଧାରଣତଃ ଓଡ଼ିଶା ଜଙ୍ଗଲରେ ଫେବୃୟାରୀରୁ ମେ ମାସ ପର୍ଯ୍ୟନ୍ତ ନିଆଁ ଲାଗିଥାଏ। ଚଳିତବର୍ଷ ମାର୍ଚ୍ଚ ପ୍ରାରମ୍ଭରୁ ନିଆଁ ଅଣାୟତ୍ତ କଲାଣି। ଜଳୁଛି ଜଙ୍ଗଲ। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ରାଜ୍ୟ ତମାମ ଜଙ୍ଗଲ ଜଳୁଛି। ଜଙ୍ଗଲ ନିଆଁରେ ଦେଶରେ ସବୁଠୁ ଆଗରେ ରହିଛି ଓଡ଼ିଶା। ଏଇ ମାର୍ଚ୍ଚ ସପ୍ତାହେ ଭିତରେ ଦିନକରେ ଦେଶରେ ୫୮୬ଟି ବଡ଼ ବଡ଼ ଅଗ୍ନିକାଣ୍ଡ ମଧ୍ୟରୁ ଓଡ଼ିଶାରେ ୨୧୪ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। ୨୦୨୦-୨୧ରେ ଦେଶରେ ଯେତିକି ସ୍ଥାନରେ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି, ସେଥିରେ ଓଡ଼ିଶା ହିଁ ଶୀର୍ଷରେ ଅଛି, ଯାହା କି ଚିନ୍ତାଜନକ। ୨୦୨୦-୨୧ରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ସର୍ବାଧିକ ୧୦, ୬୦୦ ସ୍ଥାନରେ ନିଆଁ ଲାଗିଛି। ଓଡ଼ିଶା ତଳକୁ ରହିଛି ମଧ୍ୟପ୍ରଦେଶ। ସେଠାରେ ୬୦୯୮ ଅଗ୍ନିକାଣ୍ଡ ଘଟିଛି ଜଙ୍ଗଲରେ। ୨୭୫୦ ବର୍ଗ କିଲୋମିଟର ପରିମିତ ଏସିଆ ମହାଦେଶର ୨ୟ ବୃହତ୍‌ ଜୈବମଣ୍ଡଳ, ଶିମିଳିପାଳରେ ବର୍ତ୍ତମାନ ମାର୍ଚ୍ଚ ୧ରୁ ୧୦ ମଧ୍ୟରେ ୯୧୮ଟି ସ୍ଥାନରେ ନିଆଁ ଲାଗିଛି। ଉଭୟ ମୟୂରଭଞ୍ଜ ଓ କେନ୍ଦୁଝର ପଟୁ ଗ୍ରାସିଛି ନିଆଁ। କେନ୍ଦୁଝରର ଗଡୁଅଁା ବିଟ୍‌ରେ ଶିମିଳିପାଳ ଅଭୟାରଣ୍ୟ ତଥା ଜାତୀୟ
ଉଦ୍ୟାନ ଜଳୁଥିଲାବେଳେ ମୟୂରଭଞ୍ଜର ନିଗିର୍ଧାର ଉଦାର ବିଟ୍‌ରେ ନିଆଁ ଲାଗିଲା। ଏହି ସପ୍ତାହ ଭିତରେ ପିଠାବଟା ବିଟ୍‌, ବେତନଟୀର ବାଦମପୁର ବିଟ୍‌ରେ ନିଆଁ ଲାଗିରହିଛି। ବାଲେଶ୍ୱରର କୁଲଡିହା ଅଭୟାରଣ୍ୟରେ ମଧ୍ୟ ନିଆଁ ଲାଗିଛି।
ବେଳକୁ ବେଳ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା ବଢ଼ି ବଢ଼ି ଚାଲିଛି। ଗତ ଫେବୃୟାରୀ ୨୪ରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ ଉପଲବ୍ଧ ତଥ୍ୟ ମୁତାବକ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୯୩୭୬ଟି ବଡ଼ ଅଗ୍ନିକାଣ୍ଡ ଘଟିଛି। ଶହ ଶହ ହେକ୍ଟର ପୋଡ଼ି ଧ୍ୱଂସ ପାଉଥିଲା ବେଳେ, ବହୁ ସଂଖ୍ୟାରେ ବଣ୍ୟପ୍ରାଣୀ ପୋଡ଼ିହୋଇ ମରୁଛନ୍ତି। ନିଆଁ ଦାଉରେ ଅନେକ ଜନ୍ତୁ ଗାଁ ମୁହଁା ହେଉଛନ୍ତି ଏବଂ କେତେ ଗାଁ ଲୋକଙ୍କ ଦ୍ୱାରା ବଧ ହେଉଛନ୍ତି। ମୂଲ୍ୟବାନ ଗଛ, ଔଷଧୀୟ ଗଛଲତା, ଗୁଳ୍ମ ଜଳି ପୋଡ଼ି ପାଉଁଶ ହୋଇଯାଉଛି। ଅନେକ ପ୍ରାଣୀ ଜଳି ଯାଇଥିବାର ମୋ ନଜରକୁ ଆସିଛି (ପୃ୮୭, ‘ମିଷ୍ଟର ଖରସେଲ’)। ମୋ ଅନୁଭୂତିରେ ଅଗ୍ନିର ସବୁଠାରୁ ଭୟାନକ ଦୃଶ୍ୟ ହେଉଛି ବରଗଡ଼ ବାରପାହାଡ଼ (ଦେବ୍ରୀଗଡ଼ ଅଭୟାରଣ୍ୟ)ରେ ବାଉଁଶ ପୋଡ଼ିର କରୁଣ ଦୃଶ୍ୟ। ମନେହେଉଥିଲା ଯେମିତି ଅନଳାସୁରର ଲେଲିହାନ ଜିହ୍ବା ଚାଟି ଚାଲିଥିଲା ସୁଶ୍ୟାମଳ ବନରାଜିକୁ, ହୁତାସନର ରୋଶଣି ଛୁଇଁଛି ସ୍ବର୍ଗକୁ। ବାଉଁଶ ବଣରେ ନିଆଁ ଲାଗିଲେ ବାଉଁଶ ଗଣ୍ଠି ବାଣପରି ପ୍ରଚଣ୍ଡ ଶବ୍ଦ କରିଥାଏ; ଭୂଇଁର ଶୁଖିଲାପତ୍ର ଜଳି ଜଳି ଦ୍ରୁତଗତିରେ ଅଗ୍ନି ସୁଅ ଭଳି ମାଡ଼ିଚାଲିଥାଏ ଚତୁର୍ଦ୍ଦିଗକୁ। ଜୀବଜନ୍ତୁ ଛୋଟରୁ ବଡ଼ ପର୍ଯ୍ୟନ୍ତ ଜୀବନ ପାଇଁ ଦୂରକୁ ଦୂରକୁ ପ୍ରାଣ ବିକଳରେ ପଳାୟନ କରନ୍ତି। ସାପ, ଠେକୁଆ, ଝିଙ୍କ, ଗୋଧି ଇତ୍ୟାଦି ସରୀସୃପଗୁଡ଼ିକ ଉଗ୍ର ଅନଳରେ ଜିଅନ୍ତା ଜଳିଯାନ୍ତି। ଭୂଇଁରେ ଶୁଖିଲା ପତ୍ର ଓ ଗଛବସାରେ ପକ୍ଷୀ ଦେଇଥିବା ଅଣ୍ଡାଗୁଡ଼ିକ ଜଳିଯାଏ। ବର୍ଷା କାଳରେ ହସି ଉଠିଥିବା ଏଇ ବନ ଇଲାକାରେ ସ୍ତୂପୀକୃତ ପାଉଁଶର ପାହାଡ଼ଗୁଡ଼ିଏ ଛିଡ଼ା ହୁଏ।
ବନର ଅଗ୍ନିକାଣ୍ଡ କୌଣସି ଭୌତିକ କାରଣରୁ ଘଟି ନ ଥାଏ। ଅଗ୍ନିକାଣ୍ଡ କେବଳ ମନୁଷ୍ୟକୃତ। ମହୁଲ ଫୁଲ ଓ ଶାଳମଞ୍ଜି ସଂଗ୍ରହ ପାଇଁ ସ୍ଥାନୀୟ ଲୋକେ ଜଙ୍ଗଲରେ ନିଆଁ ଲଗାଉଛନ୍ତି କାରଣ ଗଛମୂଳ ସଫା ରହିଲେ ଫୁଲ ଓ ମଞ୍ଜି ସଂଗ୍ରହ କରିବା ସହଜ ହୋଇଥାଏ। କେନ୍ଦୁପତ୍ର ଓ ଶାଳପତ୍ର ତୋଳିବା ଏବଂ ବିଭିନ୍ନ ଫୁଲ ଫଳ ସଂଗ୍ରହ କରିବାକୁ ଯାଉଥିବା ଲୋକେ ବି ଅନେକ ସମୟରେ ନିଆଁ ଲଗାଇଥାନ୍ତି। ପୋଡ଼ୁଚାଷ ପାଇଁ ଗିରିଜନମାନେ ପାହାଡ଼ରେ ସଫା କରିବା ଲାଗି ନିଆଁ ଲଗାଇଥାନ୍ତି। ଶିକାରୀ ବି ଗୋଟିଏପଟୁ ନିଆଁ ଲଗାଇ ବଣ୍ୟପ୍ରାଣୀ ଶିକାର କରିଥାନ୍ତି। ଜଙ୍ଗଲରେ ଭୋଜିଭାତ ଓ ପିକ୍‌ନିକ୍‌ କରିବାକୁ ଯାଉଥିବା ଲୋକଙ୍କ ଯୋଗୁ ମଧ୍ୟ ଅନେକ ସମୟରେ ନିଆଁ ଲାଗିଥାଏ।
ବନାଗ୍ନିର ଦୂରୀକରଣ ପାଇଁ ରାଜ୍ୟ ବନ ବିଭାଗ ଯେତିକି ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବା କଥା, ତାହା କରୁନି। ନା ଜନସଚେତନତା, ନା ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା। କେବଳ ନିଆଁ ଲାଗିଲା ପରେ ଦମକଳ ବାହିନୀକୁ ଡାକି ନିଆଁ ଲିଭାରେ ନିୟୋଜିତ କରାଯାଉଛି ଓ ବନ ବିଭାଗୀୟ ବ୍ୟକ୍ତିଙ୍କୁ ଏବଂ ଓଡ୍ରାଫ ଟିମ୍‌କୁ ଡାକି ନିଆଁକୁ ଡାଳରେ ପିଟି ପିଟି ଆୟତ୍ତ କରିବାକୁ ଚେଷ୍ଟା କରାଯାଉଛି। ଦମକଳ ପାଣିଟାଙ୍କି ନେଇ ଅଭ୍ୟନ୍ତର ପାହାଡ଼କୁ ଚଢ଼ିବା ସମ୍ଭବ ହୋଇ ନ ଥାଏ। ଚୋର ଚୋରି କରିସାରିଲା ପରେ ବୁଦ୍ଧି ଢୁକିଲା ଭଳି ଯେତେ ଟାସ୍କଫୋର୍ସ ଗଠନ କଲେ ମଧ୍ୟ ଅଗ୍ନି ବୃକ୍ଷ ଜଗତକୁ ଚାଟି ଚାଲିଥାଏ।
ବିଶ୍ୱର ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ଦେଶରେ ଗ୍ରୀଷ୍ମ ପ୍ରଭାବ ଅହେତୁକ ଭାବେ ବଢ଼ି ଚାଲିଛି ଏବଂ ତହିଁ ସହିତ ଜଙ୍ଗଲ ନିଆଁର ବୃଦ୍ଧି ଘଟୁଛି। ଜଙ୍ଗଲ ଏକ ଜାତୀୟ ସମ୍ପଦ। ପରିବେଶକୁ ସୁସ୍ଥ ଓ ସୁରକ୍ଷିତ ରଖିବାରେ ଜଙ୍ଗଲର ମହାର୍ଘ ଅବଦାନକୁ ଅସ୍ବୀକାର କରାଯାଇ ପାରିବ ନାହିଁ। ଜଙ୍ଗଲ ସମ୍ପଦର ସୁରକ୍ଷା ଓ ସଂରକ୍ଷଣ ପାଇଁ ଜନସଚେତନତା ଓ ସହଯୋଗିତା ଏକାନ୍ତ ଆବଶ୍ୟକ ହୋଇପଡ଼ିଛି। ବନବାସୀଙ୍କୁ ବନାଗ୍ନିର ମାରାତ୍ମକ ଦିଗ ପ୍ରତି ପଥପ୍ରାନ୍ତ ନାଟକ, ଆଲୋଚନା ଚକ୍ର ତଥା ଓ୍ବାର୍କଶପ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇପାରେ।
ବୁଦ୍ଧେଶ୍ୱରୀ, ଭୁବନେଶ୍ୱର
ମୋ: ୯୮୬୧୧୮୯୯୩୬


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri