ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କରାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ, କହିଲେ କଳାବଜାର ଉପରେ ରହିଛି ନଜର

ଭୁବନେଶ୍ୱର,୪।୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୁଧବାର ସକାଳ ୫ଟା ୩୦ ମିନିଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ବେଳେକୁ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟୁଇଟ୍‌ କରି ସତର୍କ କରାଇଛନ୍ତି।
ବଜାରରେ ସବୁ ପ୍ରକାର ଖାଦ୍ୟ ପଦାର୍ଥ ଯଥେଷ୍ଟ ପରିମାଣର ରହିଛି। ଅତ୍ୟାବଶ୍ୟକ ଜିନିଷ ମହଜୁଦ କରନ୍ତୁ ନାହିଁ ଯାହା କାରଣରୁ ବଜାରରେ କୃତ୍ରିମ ଅଭାବ ଦେଖାଦେଇପାରେ । ଫଳରେ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦର ବୃଦ୍ଧି କରିପାରନ୍ତି । କଳାବଜାରୀ ଏବଂ ଅସାଧୁ ବ୍ୟବସାୟୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଉଅଛି ଏବଂ ଆବଶ୍ୟକ ସ୍ଥଳେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟୁଇଟ୍‌ କରି ସେ ପରାମର୍ଶ ଦେଇଛନ୍ତି ।