ଫୁଡ୍‌କୋର୍ଟକୁ ସଂଯୋଗ ହୋଇପାରୁନି ବିଦ୍ୟୁତ୍‌

ରାଉରକେଲା, ୧୪ା୪(ସଙ୍ଗୀତା ଜେନା)ଉଠାଦୋକାନୀଙ୍କ ପାଇଁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ (ଆର୍‌ଏସ୍‌ସିଏଲ୍‌) ଦ୍ୱାରା କୋଏଲନଗର ଏନ୍‌ଏସି ମାର୍କେଟ ପାର୍ଶ୍ୱରେ ଫୁଡ୍‌କୋର୍ଟ ନିର୍ମାଣ କରାଯାଇଛି। ହେଲେ ନିର୍ମାଣ କାମକୁ ୪ ମାସ ପୂରି ଯାଇଥିଲେ ମଧ୍ୟ ଦୋକାନ ଗୃହଗୁଡିକରେ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ୪୧ଟି ଦୋକାନ ଗୃହ ବ୍ୟବହାର ନ ହୋଇ ପଡି ରହିଥିବାରୁ ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ବାରମ୍ବାର ସ୍ମାର୍ଟସିଟିକୁ ଅଭିଯୋଗ କରିବା ପରେ କେହି ଶୁଣି ନ ଥିବା ଦୋକାନୀମାନେ କହିଛନ୍ତି। ମାର୍କେଟ କମିଟି ସଭାପତି ଦିଗନ୍ତ ପାଣିଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ଏଠାରେ ଉଠାଦୋକାନ କରି କିଛି ଦୋକାନୀ ଫାଷ୍ଟଫୁଡ୍‌ ଓ ଅନ୍ୟ ଖାଦ୍ୟ ପଦାର୍ଥ ବିକ୍ରୟ କରୁଥିଲେ। ପରେ ମାର୍କେଟର ନବୀକରଣ ହେବା ପରେ ଉକ୍ତ ଅସ୍ଥାୟୀ ଫୁଡ୍‌କୋର୍ଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଗଲା। ପରେ ଉକ୍ତ ସ୍ଥାନରେ ୪୧ଟି ଦୋକାନ ଗୃହ ନିର୍ମାଣ କରାଗଲା। ଆବଣ୍ଟନ ପ୍ରକ୍ରିୟା ମଧ୍ୟ ସମ୍ପନ୍ନ ହେଲା। ହେଲେ ଏ ପର୍ଯ୍ୟନ୍ତ ଏଥିରେ ବିଜୁଳି ସଂଯୋଗ ହୋଇପାରିଲା ନାହିଁ। ବିଦ୍ୟୁତ୍‌ ବିଭାଗ କର୍ତ୍ତୃପକ୍ଷଙ୍କୁ ବିଜୁଳି ସମ୍ବନ୍ଧରେ କୁହାଗଲା ପରେ ପ୍ରକୃତ ସମସ୍ୟା ପଦାକୁ ଆସିଥିଲା। ଦୋକାନୀମାନେ ବିଜୁଳି ସଂଯୋଗ ପାଇଁ ଆବେଦନ କରିଥିଲେ। ଟ୍ରାନ୍ସଫରର୍ମର ସ୍ଥାପନ କରାଯିବା ନେଇ ବିଜୁଳି ବିଭାଗ କହିଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା। ଏ ସମ୍ପର୍କରେ ଟିପିଡବ୍ଲ୍ୟୁଓଡିଏଲ ଏସ୍‌ଡିଓଡି ମହାନ୍ତିଙ୍କୁ ପଚାରିବାରୁ ମାର୍କେଟ୍‌କୁ ସ୍ମାର୍ଟ ସିଟି ପକ୍ଷରୁ ଟ୍ରାନ୍ସଫର୍ମର ସ୍ଥାପନା କରିବା ଉଚିତ୍‌। ୨୦୦ କେଭିର ଟ୍ରାନ୍ସଫର୍ମର ସହ ବିଜୁଳି ସଂଯୋଗ କାମ ମଧ୍ୟ ଏପର୍ଯ୍ୟନ୍ତ ହୋଇନାହିଁ। ଦୋକାନୀଙ୍କୁ ଆନୁଷଙ୍ଗିକ କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ସେମାନେ ତାହା କରିନାହାନ୍ତି । ଉକ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ସ୍ମାର୍ଟ ସିଟିର ବୋଲି ଏସ୍‌ଡିଓ ମହାନ୍ତି କହିଥିଲେ। ଏ ସମ୍ପର୍କରେ ସ୍ମାର୍ଟ ସିଟି ଅଧିକାରୀ ଉତ୍ତମ ମହାନ୍ତିଙ୍କୁ ପଚାରିବାରୁ, ଦୋକାନୀମାନେ ପୂର୍ବରୁ ବିଜୁଳି କମ୍ପାନୀର ଗ୍ରାହକ ଅଟନ୍ତି। ଏଥିରେ ସ୍ମାର୍ଟ ସିଟିର କୌଣସି ଭୂମିକା ନାହିଁ। ଯଥାଶୀଘ୍ର ଟିପିଡବ୍ଲ୍ୟୁଓଡିଏଲ୍‌ ଓ ଗ୍ରାହକଙ୍କ ମଧ୍ୟରେ ଆଲୋଚନା ଦ୍ୱାରା ସମସ୍ୟା ଦୂର କରିବାକୁ ଚେଷ୍ଟା କରାଯାଉଛି ବୋଲି ମହାନ୍ତି କହିଥିଲେ। ସୂଚନାଯୋଗ୍ୟ, ୧୯୮୩ରେ କୋଏଲନଗରଠାରେ ଏନ୍‌ଏସି ମାର୍କେଟ ନିର୍ମାଣ କରାଯାଇଥିଲା।