ଛାଡ଼ିଲା ବନ୍ୟାଜଳ, ରାସ୍ତା ସାରା ଖାଲ

କଣାସ/ଡେଲାଙ୍ଗ,୨୫।୮(ସ୍ବ.ପ୍ର./ଡି.ଏନ୍‌.ଏ.): ଚଳିତ ବର୍ଷ ଦୟା ନଦୀରେ ବନ୍ୟା ଯୋଗୁ ପୁରୀ ଜିଲାର କଣାସ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ଦୟା ନଦୀର କଣ୍ଟି ଓ ମାଧିପୁର କାଜରୁ ନିର୍ଗତ ହେଉଥିବା ଜଳ ଡେଲାଙ୍ଗ-କଣାସ ମୁଖ୍ୟରାସ୍ତାକୁ ବୁଡାଇ ଦୀର୍ଘ ୫ ଦିନ ହେବ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ଫଳରେ କଲ୍ୟାଣପୁରଠାରୁ ଆଙ୍କୁଲା ପର୍ଯ୍ୟନ୍ତ ରାସ୍ତାସାରା ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାତାୟାତ ହୋଇପାରୁ ନ ଥିଲା। ବର୍ତ୍ତମାନ ବନ୍ୟାଜଳ କମିଯାଇଥିଲେ ମଧ୍ୟ ରାସ୍ତାସାରା ଖାଲ ଥିବାରୁ ଯାତାୟାତ ଠିକ୍‌ ଭାବେ ହୋଇପାରୁନି। ଉକ୍ତ ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣା ଘଟି ଲୋକ ଆହତ ହେଉଛନ୍ତି। ଏହି ରାସ୍ତାଟି ପୂର୍ତ୍ତ ବିଭାଗର ହୋଇଥିବାରୁ ତୁରନ୍ତ ଏହାର ମରାମତି ପାଇଁ ଡେଲାଙ୍ଗ-କଣାସ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି କଣାସଠାରୁ ଗୋଳବାଇକୁ ସଂଯୋଗ କରିଥିବା ରସ୍ତାର ଦୋକନ୍ଦା, ବାଲିପାଟଣା ରାସ୍ତାରେ ମଧ୍ୟ ସମାନ ଅସୁବିଧା ସୃଷ୍ଟି ହେଉଛି। ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବାରୁ ରାସ୍ତା ମରାମତି କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି। ସେହିପରି ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତା ମଧ୍ୟ ମରଣଯନ୍ତା ପାଲଟିଛି। ଡେଲାଙ୍ଗ ହାଟବଜାରଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ବନ୍ୟାଜଳ କମିଯାଇଥିବା ବେଳେ ଖାଲ ହୋଇଯାଇଥିବାରୁ ଗମନାଗମନରେ ଅସୁବିଧା ହେଉଛି। ଡେଲ୍‌ଟା ଛକ ରାସ୍ତାରେ ବନ୍ୟାଜଳ ଥିବାବେଳେ ବାଲିବସ୍ତା ପକାଇ ଯାତାୟାତ କରିଛନ୍ତି। ଏହି ରାସ୍ତା ବ୍ଲକର ମୁଖ୍ୟରାସ୍ତା ହୋଇଥିବା ବେଳେ ଏହାର ଶୀଘ୍ର ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।