ଗୋରାସେତୁରେ ପ୍ରଥମ ଥର ଉଡ଼ିଲା ତ୍ରିରଙ୍ଗା

ଚିତ୍ରକୋଣ୍ଡା,୨୬ା୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଆନନ୍ଦର ସହ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ପଣଷପୁଟ ପଞ୍ଚାୟତ ଗୋରାସେତୁଠାରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହେବାପରେ ପ୍ରଥର ଥର ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଯୋଡ଼ାମ୍ବ ଥାନା ଅଧିକାରୀ ଅନିଲ୍‌ କୁମାର ପରିଡ଼ାଙ୍କ ନେତୃତ୍ୱରେ ବିଏସ୍‌ଏଫ୍‌ କ୍ୟାମ୍ପ୍‌ର ମିଳିତ ସହଯୋଗରେ ପତାକା ଉତ୍ତୋଳନ କରାଯାଇଥିଲା। ସେହିପରି ପାପରମେଟେଲା ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ମୁଦୁଲିଙ୍କ ନେତୃତ୍ୱରେ ଓ ବିଏସ୍‌ଏଫ୍‌ କ୍ୟାମ୍ପର ମିଳିତ ଉଦ୍ୟମରେ ଗୁରୁପ୍ରିୟା ସେତୁଠାରେ ପତାକା ଉତ୍ତୋଳନ କରାଯାଇଛି। ଏହା ବ୍ୟତୀତ ସ୍ବାଭିମାନ ଅଞ୍ଚଳରେ ନୂତନ ଭାବେ ସରକାରୀ ସ୍ବୀକୃତି ପାଇଥିବା ଧୂଳିପୁଟ ପଞ୍ଚାୟତରେ ସାମାଜିକ କର୍ମୀ ତପନ ଶାହା ଓ ପୀତାମ୍ବର ଖେମୁଡୁଙ୍କ ଉଦ୍ୟମରେ ପତାକା ଉତ୍ତୋଳନ କରାଯାଇଥିଲା। ସେହିପରି ହନ୍ତାଳଗୁଡ଼ା ବିଏସ୍‌ଏଫ କ୍ୟାମ୍ପ, ରାଲେଗାଡ଼ା ପଞ୍ଚାୟତ କାର୍ଯ୍ୟାଳୟ, ଚିତ୍ରକୋଣ୍ଡା ଥାନା, ପାପରମେଟେଲା ପଞ୍ଚାୟତ ସମେତ ସ୍ବାଭିମାନ ଅଞ୍ଚଳର ପ୍ରତ୍ୟେକ ସ୍କୁଲ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପୂର୍ବରୁ ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନେ କଳା ପତାକା ଉଡାଉଥିଲେ। ଏବେ ସବୁଠି ତ୍ରିରଙ୍ଗା ଉଡ଼ୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।