ସୁଇସାଇଡ୍‌ ନୋଟର ପ୍ରଥମ ପୃଷ୍ଠା ଗାଏବ

କୋରେଇ,୩୦ା୩(ଡି.ଏନ.ଏ.):ଯାଜପୁର ଜିଲା କୋରେଇ ଥାନା ଅଧୀନ ରଗଡ଼ି ସରକାରୀ ପଲିଟେକନିକ କଲେଜର ୩ୟ ବର୍ଷ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରୀ ରୋଜାଲିନ ପାତ୍ର(୧୮) କଲେଜ ମଧ୍ୟରେ ଥିବା ବିରଜା ହଷ୍ଟେଲର ନିଜ ରୁମରେ ଚୁନି ଲଗେଇ ଆତ୍ମହତ୍ୟା କରିବା ଘଟଣାରୁ ପରଦା ଉଠାଇ ପାରୁନି ପୋଲିସ। ତାଙ୍କ ବାପା ଅମୂଲ୍ୟ ପାତ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ନଂ.୮୦/୨୩ରେ ମାମଲା ରୁଜୁ କରିଥିଲେ ମଧ୍ୟ କେଉଁ କାରଣରୁ ରୋଜାଲିନ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରିନାହିଁ। ରୋଜାଲିନ ୨ ଫର୍ଦ୍ଦର ସୁଇସାଇଡ ନୋଟ ଲେଖିଥିବା ଆଲୋଚନା ହେଉଥିବା ବେଳେ ପୋଲିସ କିନ୍ତୁ ଗୋଟିଏ ଫର୍ଦ୍ଦ ଜବତ କରିଥିବା କହୁଛି। ଅନ୍ୟପକ୍ଷରେ ରୋଜାଲିନ ନିଜ ମୋବାଇଲରେ ବ୍ୟବହାର କରୁଥିବା ସିମ୍‌ ମିଳୁ ନ ଥିବାରୁ ପୁରାଘଟଣା ଉପରେ କଲେଜ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପ୍ରକୃତରେ ରୋଜାଲିନ ନିଜ ମୋବାଇଲରୁ ସିମ କାଢ଼ି ନଷ୍ଟ କରିଛନ୍ତି ନା କେହି ଦୁର୍ବୁତ୍ତ ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୋବାଇଲରୁ ସିମ କାଢ଼ିନେଇଛି ତାହା ତଦନ୍ତ ସାପେକ୍ଷ। ରୋଜାଲିନ ସେହି ରୁମରେ ସେଦିନ କାହିଁକି ଏକା ଥିଲେ। ତାଙ୍କ ସାଥିରେ ଥିବା ସହପାଠୀଙ୍କ ସହ ଘଟଣାଦିନ ତାଙ୍କର କ’ଣ ଆଲୋଚନା ହୋଇଥିଲା। ହଷ୍ଟେଲ ୱାର୍ଡେନଙ୍କ ସହ ତାଙ୍କର ଶେଷ ବାର୍ତ୍ତାଳାପ କ’ଣ ହୋଇଥିଲା, ଏହିସବୁ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି। ପୁରା ଘଟଣାକୁ ଅନୁଧ୍ୟାନ କଲେ ପୋଲିସ ଓ କଲେଜ କର୍ତ୍ତୃପକ୍ଷ କେଉଁଠି ନା କେଉଁଠି କାହାକୁ ସୁରକ୍ଷା ଦେବାକୁ ଚେଷ୍ଟିତ ଥିବା ଚର୍ଚ୍ଚା ହେଉଛି। ୪ଥର କ୍ୟାମ୍ପସ ପାଇ କଲେଜରେ ଚର୍ଚ୍ଚାରେ ଥିବା ମେଧାବୀ ଛାତ୍ରୀ ରୋଜାଲିନଙ୍କୁ ପୂର୍ବରୁ କଲେଜର କିଛି ଛାତ୍ରୀଛାତ୍ର ମାନସିକ ନିର୍ଯାତନା ଦେଇଆସୁଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣାର ପୂର୍ବଦିନ ମଧ୍ୟ ଜଣେ ଛାତ୍ର ତାଙ୍କୁ ମାଡ଼ ମାରିବାକୁ ପ୍ରୟାସ କରିଥିଲେ ବୋଲି ରୋଜାଲିନଙ୍କ କିଛି ସହପାଠୀ କହିଛନ୍ତି। ସେ ଘରକୁ ଯାଇଥିବା ସମୟରେ କେହିଜଣେ ଯୁବକ ତାଙ୍କୁ ହ୍ବାଟ୍ସଆପ ଜରିଆରେ ଅଶ୍ଳୀଳ ମେସେଜ କରି ମାନସିକ ନିର୍ଯାତନା ଦେଉଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ। କଲେଜରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏଭଳି କଳି ଲାଗି ରହୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ଏବିଷୟରେ କିପରି ଅବଗତ ନ ଥିଲେ ନା ସବୁକିଛି ଜାଣିଶୁଣି ଚୁପ ରହୁଥିଲେ ତାହା ଆଲୋଚନାର ବିଷୟ ହୋଇଛି।
ଅନ୍ୟପକ୍ଷରେ ପୋଲିସ ୩ଜଣ ଛାତ୍ରୀଛାତ୍ରଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଥିବା ସଫେଇ ଦେଇଛି। ହେଲେ ଯେଉଁ ଭଳି ଭାବେ ତଦନ୍ତ ହେବା କଥା ତାହା ହେଉନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ମାମଲାକୁ ରଫାଦଫା କରିବାକୁ ଯୋଜନା ହେଉଥିବା ଆଲୋଚନା ହେଉଛି। ଏ ସମ୍ପର୍କରେ ଯାଜପୁର ରୋଡ୍‌ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଛାତ୍ରୀଙ୍କ ଅନ୍ୟ କୌଣସି ହାତଲେଖା ସୁଇସାଇଡ୍‌ ନୋଟ ମିଳିନାହିଁ। ଏବେ ତାଙ୍କ ସିମ୍‌ ନ ମିଳିବା ଉପରେ ଅଧିକ ତଦନ୍ତ କରାଯାଉଛି। ଏଥିସହିତ ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ ବୋଲି ସେ ପ୍ରକାଶ କରିଛନ୍ତି।