‘ଫାୟାର ପାର୍କ’ ଉଦ୍‌ଘାଟିତ

ଭୁବନେଶ୍ୱର, ୬।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭର୍ଚୁଆଲ୍‌ ମାଧ୍ୟମରେ ଭୁବନେଶ୍ୱରଠାରେ ‘ଫାୟାର ପାର୍କ’ ଉଦ୍‌ଘାଟନ କରିବା ସହ ଓଡ଼ିଶା ଅଗ୍ନିଶମ ସେବାର ପ୍ରଭାବୀ ଅନ୍‌ଲାଇନ ପୋର୍ଟାଲ ‘ଅଗ୍ନିଶମ ସେବା’ର ଶୁଭାରମ୍ଭ କରିଛନ୍ତି ା ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଅନଲାଇନ ସେବା ଜନସାଧାରଣ, ବିଶେଷକରି ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ମୌଳିକ ଅଗ୍ନି ନିରାପତ୍ତା ପଦକ୍ଷେପଗୁଡ଼ିକ ସମ୍ପର୍କରେ ସଚେତନ କରାଇବ ା ନାଗରିକମାନଙ୍କୁ ସୁରକ୍ଷା ସମ୍ପର୍କିତ କାର୍ଯ୍ୟ କରିବାରେ ଯଥାର୍ଥ ଦିଗ୍‌ଦର୍ଶନ ଦେବା ପାଇଁ ଏହା ନିଃସନ୍ଦେହରେ ଏକ ଉପଯୁକ୍ତ ଉଦ୍ୟମ। ଅଗ୍ନିଶମ ସେବା ପୋର୍ଟାଲ୍‌ ମାଧ୍ୟମରେ ୧୬ଟି ସେବା ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ମୋ ସରକାର’ ଅଧୀନରେ ଜନସାଧାରଣଙ୍କୁ ଅବାଧ ଓ ସମୟୋପଯୋଗୀ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ ମତାମତ ସଂଗ୍ରହକୁ ଗୁରୁତ୍ୱ ଦେବା ସକାଶେ ଅଗ୍ନିଶମ ବିଭାଗକୁ ସେ ପରାମର୍ଶ ଦେଇଛନ୍ତି ା ମୁଖ୍ୟମନ୍ତ୍ରୀ କୋଭିଡ୍‌-୧୯ ମହାମାରୀରେ ଓଡ଼ିଶା ଅଗ୍ନିଶମ ବିଭାଗର ଭୂମିକାକୁ ଉଚ୍ଚ ପ୍ରଶଂସା କରିବା ସହିତ ଜଟିଳ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ୟାପକ ଭାବରେ ପ୍ଲାଜ୍‌ମା ଦାନ କରିଥିବାରୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ା ସେହିପରି ଗତବର୍ଷ ଅଗଷ୍ଟରେ ସଂଘଟିତ ଅମ୍ଫନ ବାତ୍ୟା ଏବଂ ଭୟଙ୍କର ବନ୍ୟା ସମୟରେ ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ମଧ୍ୟ ଓଡ଼ିଶା ଅଗ୍ନିଶମ ବିଭାଗ ଯଥେଷ୍ଟ କାର୍ଯ୍ୟ କରିଛି ା ଅଗ୍ନିଶମ ବିଭାଗ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ସାଧାରଣ ସେବା ବ୍ୟବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ା