ନିଜସ୍ବ ଆଇନ ଆଣିବ ଅଗ୍ନିଶମ ବିଭାଗ

କଟକ ଅଫିସ,୧୩।୮: ପୋଲିସ ଓ ଜେଲ୍‌ ମାନୁଆଲ ଭଳି ଅଗ୍ନିଶମ ବିଭାଗ ନିଜସ୍ବ ମାନୁଆଲ ବା ଆଇନ ଲାଗୁ କରିବା ପାଇଁ ଯୋଜନା କରୁଛି। ପୂର୍ବରୁ ପୋଲିସ ମାନୁଆଲ୍‌ ହିଁ ଅଗ୍ନିଶମ ବିଭାଗରେ କାର୍ଯ୍ୟକାରୀ ହେଉଥିଲା। କିନ୍ତୁ ସଙ୍ଗଠନର ସୁପରିଚାଳନା ପାଇଁ ନୂଆ ମାନୁଆଲ ଅଣାଯାଉଥିବା ଜଣେ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟରେ ୧୯୪୦ରେ ପୋଲିସ ମାନୁଆଲ ଲାଗୁ ହୋଇଥିଲା। ୧୯୪୪ରୁ ଅଗ୍ନିଶମ ବିଭାଗରେ ଏହି ମାନୁଆଲ୍‌କୁ ବ୍ୟବହାର କରାଯାଉଛି। ଏବେ ନିଜସ୍ବ ମାନୁଆଲ୍‌ ପ୍ରସ୍ତୁତ କରିବା ପାଇଁ ଅତିରିକ୍ତ ମହାନିର୍ଦ୍ଦେଶକ (ଅଗ୍ନିଶମ ଓ ଗୃହରକ୍ଷୀ) ସୌମ୍ୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ୩ରୁ ୪ ମାସ ଭିତରେ ମାନୁଆଲ୍‌ ପ୍ରସ୍ତୁତି ସରିବ ବୋଲି ବିଭାଗ ଆଶା ରଖିଛି। ଏଥିରେ ଅଗ୍ନିଶମ ବାହିନୀର କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ୱ, ଭୂମିକା, ବିପର୍ଯ୍ୟୟ ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ଅଗ୍ନି ମୁକାବିଲା ନେଇ ବିଭିନ୍ନ ବିଷୟ ସ୍ଥାନ ପାଇବ। ସେହିଭଳି କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ନିଯୁକ୍ତି ପ୍ରକ୍ରିୟା, ପଦୋନ୍ନତି ନେଇ ଏଥିରେ ସ୍ବତନ୍ତ୍ର ନିୟମ ରଖାଯିବ। ବିସ୍ତୃତ ଉପକୂଳ ଯୋଗୁ ଓଡ଼ିଶା ପ୍ରତିବର୍ଷ ସାମୁଦ୍ରିକ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ। ଉପକୂଳବାସୀଙ୍କୁ ବନ୍ୟା ବାତ୍ୟାରୁ ଉଦ୍ଧାର ପାଇଁ ନିୟମିତ ଅଗ୍ନିଶମ କର୍ମଚାରୀଙ୍କୁ ତାଲିମ୍‌ ଦିଆଯାଉଛି। ବର୍ତ୍ତମାନ ରାଜ୍ୟରେ ୩୪୧ଟି ଦମକଳ କେନ୍ଦ୍ର ଥିବାବେଳେ ପାଖାପାଖି ୫ ହଜାର କର୍ମଚାରୀ କାମ କରୁଛନ୍ତି। ଏଥିସହ ଭୁବନେଶ୍ୱରରେ ଓଡ଼ିଶା ଅଗ୍ନିଶମ ସେବା ପ୍ରଶିକ୍ଷଣ ଅନୁଷ୍ଠାନ (ଓଏଫ୍‌ଡିଆର୍‌ଏ), କଟକ ନରାଜରେ ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ଅନୁଷ୍ଠାନ (ଓଏଫ୍‌ଡିଆର୍‌ଆଇ) ଏବଂ ପୁରୀ ଜିଲା ରାମଚଣ୍ଡିରେ ଓଡ଼ିଶା ରାଜ୍ୟ ୱାଟର୍‌ମ୍ୟାନଶିପ୍‌ ଓ ଲାଇଫ୍‌ଗାର୍ଡ଼ ଅନୁଷ୍ଠାନ (ଓଏସ୍‌ଡବ୍ଲ୍ୟୁଏଲ୍‌ଆଇ) ଭଳି ୩ଟି ସ୍ବତନ୍ତ୍ର ତାଲିମ ଅନୁଷ୍ଠାନ ରହିଛି। ବିଭାଗର ମାନବ ସମ୍ବଳ ଓ କାର୍ଯ୍ୟ ବଢୁଥିବାରୁ ନିଜସ୍ବ ମାନୁଆଲ୍‌ର ଆବଶ୍ୟକତା ଥିଲା।