ପୁଅର ମୃତଦେହ ଦେଖି ଟଳି ପଡ଼ିଲେ ବାପା

ବଲାଙ୍ଗୀର ଅଫିସ,୧୫ା୧: ପୁଅର ମୃତଦେହ ଦେଖି ଟଳି ପଡିଲେ ବାପା। ଦୁଇ ଜଣଙ୍କୁ ହରାଇବାର ଦୁଃଖରେ କାନ୍ଦ ବୋବାଳିରେ ଫାଟି ପଡିଲା ଘର। ଏଭଳି ଅଭାବନୀୟ ଘଟଣା ଶୁକ୍ରବାର ବରଗଡ ସହରରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ବଲାଙ୍ଗୀର ଅଞ୍ଚଳର କଂଗ୍ରେସ ନେତା ଭୋଜରାଜ ସାହୁ (୫୨) ମେରୁଦଣ୍ଡ ରୋଗରେ ପୀଡିତ ହୋଇ ବରଗଡରେ ରହୁଥିବା ତାଙ୍କ ସାନଭାଇ ଘରେ ରହି ଚିକିତ୍ସିତ ହେଉଥିଲେ। ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ହୃଦ୍‌ଘାତ ଯୋଗୁ ଭୋଜରାଜଙ୍କ ପରଲୋକ ଘଟିଥିଲା। ଏହି ଖବର ପାଇବା ପରେ ତାଙ୍କ ପିତା ଲୋକନାଥ ସାହୁ (୭୬) ବଲାଙ୍ଗୀରରୁ ବରଗଡରେ ରହୁଥିବା ସାନପୁଅ ଘରକୁ ଯାଇଥିଲେ। ସେଠାରେ ପହଞ୍ଚତ୍ ପୁଅ ଭୋଜରାଜଙ୍କ ମୃତଦେହ ଦେଖିବା ପରେ ଚେତାଶୂନ୍ୟ ହୋଇ ଟଳି ପଡିଥିଲେ। ତାଙ୍କୁ ସେଠାରୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବଲାଙ୍ଗୀରରେ ଶୋକର ଛାୟା ଖେଳିଯାଇଛି। ଛାତ୍ରାବସ୍ଥାରୁ ଭୋଜରାଜ ଜଣେ ସକ୍ରିୟ କଂଗ୍ରେସ କର୍ମୀ ଥିଲେ। ବଲାଙ୍ଗୀର ଜିଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଭାବେ ସେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ସାଙ୍ଗଠନିକ ଦକ୍ଷତା ପ୍ରତିପାଦିତ କରିଥିଲେ।
ତାଙ୍କ ବିୟୋଗରେ ପୂର୍ବତନ ଏମ୍‌ପି ଶରତ ପଟ୍ଟନାୟକ, ବିଧାୟକ ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇଙ୍କ ସମେତ ବହୁ କଂଗ୍ରେସ ନେତା ଗଭୀର ଶୋକବ୍ୟକ୍ତ କରିଛନ୍ତିି।