ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଏପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୂଅ ମଧ୍ୟରୁ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିଛି । ଘଟଣାକୁ ନେଇ କୋଇଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ସୂଚନାନୁଯାୟୀ, କୋଇଡା ବ୍ଲକର ଡେଙ୍ଗୁଳା ପଞ୍ଚାୟତର କୁଲା ମୁଣ୍ଡା ବସ୍ତିରେ ରୁହନ୍ତି ପାଣ୍ଡୁ ମୁଣ୍ଡା(୨୧)। ସ୍ତ୍ରୀ ଧୋବଲି ମୁଣ୍ଡା(୨୦), ଝିଅ ସୀମା ମୁଣ୍ଡା (୫),ପୁଅ ରାଜୁ ମୁଣ୍ଡା,(୨)ଓ ଦୁଇ ମାସର ଝିଅକୁ ନେଇ ତାଙ୍କର ସଂସାର ଥିଲା। ହେଲେ ପାଣ୍ଡୁ ମଦ ପିଇ ମଝିରେ ମଝିରେ ସ୍ତ୍ରୀ ସହିତ ଝଗଡା କରୁଥିଲେ। ଶନିବାର କୋଇଡାରେ ହାଟ ଥିବାରୁ ପାଣ୍ଡୁ ମଦ ପିଇ ରାତିରେ ୧୦ଟାରେ ଘରକୁ ଫେରିଥିଲେ। ମଦ ନିଶାରେ ପାଣ୍ଡୁ ସ୍ତ୍ରୀ ଧୋବଲିଙ୍କ ସହିତ ଝଗଡା କରିଥିଲେ। ଏପରିକି ଏକ ଟାଙ୍ଗିଆରେ
ସ୍ତ୍ରୀଙ୍କୁ ମାରିବାକୁ ଗୋଡ଼ାଇବାରୁ ସ୍ତ୍ରୀ ନିକଟସ୍ଥ ଗ୍ରାମକୁ ଦୌଡ଼ି ପଳାଇ ଥିଲେ । ଏହାପରେ ସ୍ତ୍ରୀଙ୍କ ଉପରେ ଥିବା ରାଗକୁ ସୁଝାଇବାକୁ ଯାଇ ପାଣ୍ଡୁ ଘରେ ଶୋଇଥିବା ୩ ନିଷ୍ପାପ ଶିଶୁଙ୍କୁ ଗୋଟିଏ ପରେ ଗୋଟିଏ ଟେକି ନେଇ ନିକଟରେ ଥିବା ଏକ କୂଅକୁ ଫିଙ୍ଗି ଦେଇଥିଲେ। ସ୍ତ୍ରୀ ଧୋବଲି କିଛି ସମୟ ପରେ ଘରକୁ ଆସି ଛୁଆ ସବୁ ଘରେ ନ ଥିବା ଦେଖିବାକୁ ପାଇଥିଲେ। ବହୁତ ଖୋଜା ଖୋଜି କରିବା ପରେ ବିଛଣା ପଡ଼ିଥିବା ଦେଖି କୂଅ ନିକଟକୁ ଯାଇ ବଡ଼ ଝିଅ ଭାସୁଥିବା ଦେଖିଥିଲେ। ସେଠାରୁ ସେ ଦୌଡ଼ିଯାଇ ଦେଢ଼ଶୁରଙ୍କୁ ଜଣାଇବା ସହ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ରବିବାର କୋଇଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି ପାଣ୍ଡୁ ଫେରାର ହୋଇଯାଇଥିଲେ। ଏଣୁ ପୋଲିସ କୋଇଡାଅଗ୍ନିଶମ ବିଭାଗ ସହାୟତାରେ ଶିଶୁମାନଙ୍କର ମୃତଦେହକୁ ଜବତ କରିଛି। କୂଅରେ ଆନୁମାନିକ ୩୦ଫୁଟର ପାଣି ଥିବା ଅଗ୍ନିଶମ ବିଭାଗ ହାବିଲଦାର ସୁବାସ ରାଉତ ପ୍ରକାଶ କରିଛନ୍ତି । ତେବେ ଅଞ୍ଚଳରେ ମଦ୍ୟପାନ କାରଣରୁ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପୋଲିସ ଜନ ସଚେତନତା ଜରିଆରେ କାର୍ଯ୍ୟ କଲେ କୌଣସି ସୁଫଳ ମିଳିବ ବୋଲି ସାଧାରଣରେ ଆଲୋଚନା ହେଉଛି।