ପୁଅକୁ ପଥରରେ ଛେଚି ମାରିଲେ ବାପା

ବାରିପଦା ଅଫିସ,୨୪ା୧୦: ରାଗ ସମ୍ଭାଳି ନ ପାରି ନୃଶଂସ ବାପା ପଥରରେ ଛେଚି ନିଜ ୫ବର୍ଷର ପୁଅଙ୍କୁ ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଯଦୁନାଥପୁର ବେଲଡୁଙ୍ଗୁରୀ ଗ୍ରାମରେ ଗୁରୁବାର ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଖବରପାଇ ବଡ଼ସାହି ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା (ନଂ.୧୩୩/୨୦)ରୁଜୁ କରି ଅଭିଯୁକ୍ତ ବାପା ଚେପ ଦେହୁରୀଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, କୁଳିଅଣା ଥାନା ଅଧୀନ ବାଲିଡ଼ିହା ଗ୍ରାମର ଚେପ ଦୀର୍ଘଦିନ ହେଲା ବେଲଡୁଙ୍ଗୁରି ଗ୍ରାମସ୍ଥିତ ଶ୍ୱଶୁରଘରେ ରହି ଆସୁଥିଲେ। ଗୁରୁବାର ବିଳମ୍ବିତ ରାତିରେ ସେ ଘରକୁ ଫେରି ପୁଅ ସୁଦନଙ୍କୁ ପାଇ ନ ଥିଲେ। ଏନେଇ ତାଙ୍କ ରାଗ ବଢିଯାଇଥିଲା। ପରେ ଆଈ କୋଳରେ ସୁଦନ ଶୋଇଥିବା ଦେଖି ଉତ୍ତ୍ୟକ୍ତ ଚେପ ତାଙ୍କୁ ଉଠାଇ ଆଣି ପଥରରେ ଛେଚି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ସେ ମୃତଦେହକୁ ଲୁଚାଇବାକୁ ଚେଷ୍ଟା କରିବା ସମୟରେ ଗ୍ରାମବାସୀ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ଗ୍ରାମର ସନାତନ ମହାନ୍ତଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି। ଶନିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ଗୋପାଳ କର୍ଣ୍ଣ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚେପଙ୍କର ସ୍ତ୍ରୀ ସୁରୁବାଲି ଦେହୁରୀ ଏବଂ ଏକ ଦେଢ଼ବର୍ଷର ଶିଶୁକନ୍ୟା ଅଛନ୍ତି।