ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲେ ବାପା

ଟେନ୍‌ସା,୧୭ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବୁଧବାର ରାତିରେ ବାପା ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକ (୩୨)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପୁଅ ରାଗିଯାଇ ବାପାଙ୍କୁ ମାଡ଼ ମାରିଥିଲେ। ବାପା ରାଗିଯାଇ ପାଖରେ ଥିବା ଏକ ଟାଙ୍ଗିଆରେ ପୁଅକୁ ଆଘାତ କରିଥିଲେ। ଏଥିରେ ପୁଅ ଗୁରୁତର ହୋଇଥିଲେ। ପରିବାର ଲୋକେ ପୁଅ ସୁଶାନ୍ତଙ୍କୁ କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ସୁଶାନ୍ତଙ୍କର ମୃତ୍ୟୁ ହୋଇଛି । ଖବର ପାଇ କୋଇଡ଼ା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଘଟଣାସ୍ଥଳରେ ପହଞ୍ଚି ବାପା ଗୋପୀନାଥ ନାଏକଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି।